Latest Odisha News

BREAKING NEWS

ହକି ବିଶ୍ୱକପ: ଭାରତକୁ ବଡ ଝଟକା, ୨୮ ବର୍ଷ ପରେ ଘଟିଲା ଏ ଭଳି ଘଟଣା

ନୂଆଦିଲ୍ଲୀ:ଅଗଷ୍ଟ ୧୫ରୁ ନେଦରଲ୍ୟାଣ୍ଡସ ଏବଂ ବେଲଜିୟମର ମିଳିତ ଆୟୋଜନରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପରୁ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି । ୨୮ ବର୍ଷ ପରେ ବିଶ୍ୱକପରେ କୌଣସି ଭାରତୀୟ ଅମ୍ପାୟାର କିମ୍ବା ଟେକ୍ନିକାଲ ଅଫିସିଆଲ ମ୍ୟାଚ୍ ପରିଚାଳନା କରୁଥିବାର ନଜର ଆସିବେ ନାହିଁ । ୧୯୯୮ରେ ବିଶ୍ୱକପ୍ ପରେ ପ୍ରଥମ ଥର ପାଇଁ ଅଫିସିଆଲ ପ୍ୟାନେଲରେ ଜଣେ ହେଲେ ଭାରତୀୟ ଚେହେରା ସାମିଲ ନାହାନ୍ତି । ଏହି ପ୍ୟାନେଲରେ ସବୁଠାରୁ ଅଧିକ ୟୁରୋପୀୟ ଦେଶର ଅମ୍ପାୟର ରହିଛନ୍ତି । ଭାରତୀୟ ହକି ଇତିହାସର ଆଧୁନିକ ଯୁଗରେ ମାତ୍ର ଚାରିଜଣ ପୁରୁଷ ଅମ୍ପାୟାର ବିଶ୍ୱକପ୍ ପର‌୍ୟ୍ୟନ୍ତ ଯାତ୍ରା କରିପାରିଛନ୍ତି। ସେମାନଙ୍କ ମଧ୍ୟରେ ଅମରଜିତ୍ ସିଂହ ବାୱା, ତରଲୋକ ସିଂହ ଭୁଲ୍ଲର, ସତବିନ୍ଦର ଶର୍ମା ଏବଂ ଆର. ଭି. ରଘୁ ପ୍ରସାଦ ସାମିଲ ଅଛନ୍ତି । ଆର. ଭି. ରଘୁ ପ୍ରସାଦ ୨୦୧୦, ୨୦୧୪, ୨୦୧୮ ଏବଂ ୨୦୨୩ ବିଶ୍ୱକପରେ ଏହି ଦାୟିତ୍ୱ ତୁଲାଇସାରିଛନ୍ତି । ଗତବର୍ଷ ଅନ୍ତର୍ଜାତୀୟସ୍ତରରୁ ଅବସର ନେଇଥିବା ରଘୁ ପ୍ରସାଦ ୨୦୦ଟି ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିବାରେ ପ୍ରଥମ ଏସୀୟ ଅମ୍ପାୟାର ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ହକି ଫେଡେରେସନର ଅମ୍ପାୟାରିଂ କମିଟି କେବଳ ସେହି ଅଫିସିଆଲମାନଙ୍କୁ ଚୟନ କରିଥାଏ, ଯେଉଁମାନେ ଅଲିମ୍ପିକ୍ସ, ପ୍ରୋ-ଲିଗ୍ ଏବଂ ଗତ ବିଶ୍ୱକପଗୁଡ଼ିକରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି ।  ଅମ୍ପାୟାର ସତବିନ୍ଦର ଶର୍ମା ଏହାକୁ ନିରାଶାଜନକ ବୋଲି କହିଛନ୍ତି ।  ୨୦୦୮ ବେଜିଂ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ଦଳ କ୍ୱାଲିଫାଇ କରିପାରି ନଥିଲେ ସୁଦ୍ଧା, ସେ ଏକମାତ୍ର ଅଫିସିଆଲ ଭାବେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଆର. ଭି. ରଘୁ ପ୍ରସାଦ କହିଛନ୍ତି ଯେ, ଖେଳାଳିମାନଙ୍କୁ ପଦକ ଜିତିଲେ ସରକାରୀ ଚାକିରି, ଆୱାର୍ଡ ଏବଂ ସମ୍ମାନ ମିଳିଥାଏ, କିନ୍ତୁ ଅମ୍ପାୟାରମାନଙ୍କୁ କୌଣସି ଦରମା କିମ୍ବା ଇନସେଣ୍ଟିଭ୍ ମିଳେନାହିଁ । ଚାକିରି କରୁଥିବା ଅମ୍ପାୟାରମାନଙ୍କୁ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ସହଜରେ ଛୁଟି ମଧ୍ୟ ମିଳିନଥାଏ ।  ହକି ଇଣ୍ଡିଆର ତାଲିକା ଅନୁଯାୟୀ, ଭାରତରେ ୧୦୦ରୁ ଅଧିକ ପୁରୁଷ ଏବଂ ୭୦ରୁ ଅଧିକ ମହିଳା ଅମ୍ପାୟାର ଅଛନ୍ତି, କିନ୍ତୁ ଏଲିଟ୍ ପ୍ୟାନେଲରେ କେବଳ ୬ ଜଣ ଭାରତୀୟ ପୁରୁଷ ଏବଂ ୪ ଜଣ ମହିଳା ସାମିଲ ଅଛନ୍ତି । ରଘୁ ପ୍ରସାଦଙ୍କ ଅବସର ପରେ ଏହି ସଂଖ୍ୟା ଆହୁରି କମିଯାଇଛି । ଏଭଳି ପରିସ୍ଥିତିରେ ଯଦି ଭାରତକୁ ପରବର୍ତ୍ତୀ ବିଶ୍ୱକପ୍ କିମ୍ବା ଅଲିମ୍ପିକ୍ସରେ ନିଜର ସ୍ଥିତି ବଜାୟ ରଖିବାକୁ ହୁଏ, ତେବେ ଏକ ମଜବୁତ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ପଡ଼ିବ ।

Leave A Reply

Your email address will not be published.