କୋଣାର୍କ: ଏଥର ମାଘ ସପ୍ତମୀ ମେଳା ଓ ଚନ୍ଦ୍ରଭାଗା ବୁଡ଼ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ସ୍ଥାନୀୟ ଐଶାନେଶ୍ୱର, ତ୍ରିବେଣୀଶ୍ୱର ଓ ଦଖିଣେଶ୍ୱର ମହାପ୍ରଭୁ ତିନି ଠାକୁରଙ୍କୁ ତୀର୍ଥ ମଣ୍ଡପକୁ ନିଆଯିବ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁ ସନ୍ଥଙ୍କ ଦ୍ୱାରା ମହା ଆଳତୀ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ବୁଡ ପାଇଁ ଅନୁମତି ଦିଆଯିବ ।
ଏନେଇ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୁଡକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏହି ବୈଠକରେ ହୋଇଛି ଆଲୋଚନା । ପୁରୀ ଉପଜିଲ୍ଲାପାଳଙ୍କ ସମେତ ପୁରୀ ଜିଲ୍ଲା ଅତିରିକ୍ତ ଏସପି, ସ୍ଥାନୀୟ ଏନଏସି ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ, ୩ ଠାକୁରଙ୍କ ସେବାୟତ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପୌରାଣିକ ମତାନୁସାରେ, ଏହି ପବିତ୍ର ଦିନ ହେଉଛି ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନ । ସୂର୍ଯ୍ୟ ପୂଜାକୁ ଆଧାର କରି ଚନ୍ଦ୍ରଭାଗା ତୀର୍ଥରେ ଏହି ବୁଡ ଅନୁଷ୍ଠିତ ହୋଇଥାଏ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି ।
Comments are closed.