Latest Odisha News

ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ଵଜ ଓ ଦେବଦଳନ

ପୁରୀ: ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ନୀଳାଚଳକୁ ଫେରିଛନ୍ତି ମହାବାହୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ବଡଦାଣ୍ଡରେ ଲାଗିଛି ତିନି ରଥ। ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ରଥ, ପରେ ସୁଭଦ୍ରାଙ୍କ ରଥ ବଡ଼ ଦାଣ୍ଡରେ ଲାଗିଛି। ସେପଟେ ରାଜାଙ୍କ ନଅର ସମ୍ମୁଖରେ ଅଟକିଛି କାଳିଆ ଠାକୁରଙ୍କ ରଥ। ନବଦିନାତ୍ମକ ଯାତ୍ରା ସାରି ଭାଇଭଉଣୀଙ୍କ ସହ ଜନ୍ମ ବେଦୀରୁ ରତ୍ନ ବେଦୀକୁ ଫେରିବା ବାଟରେ ଶ୍ରୀଜିଉଙ୍କୁ ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଲାଗି ହୋଇଥିଲା।

ହେରାପଞ୍ଚମୀ ତିଥିରୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଗୁଣ୍ଡିଚା ମନ୍ଦିରର ନାକଚଣା ଦୁଆର ପାଖରେ ତିନି ରଥ ଦକ୍ଷିଣ ମୋଡ଼ ନେଇ ଗତକାଲିଠାରୁ ତିନି ଠାକୁରଙ୍କୁ ଅପେକ୍ଷା କରି ରହିଥିଲା। ଆଜି ଭୋରରୁ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ।

ରାମକୃଷ୍ଣ ଓ ମଦନମୋହନ ରଥକୁ ଆସିବା ପରେ ଗଜପତି ମହାରାଜା ଛେରାପହଁରା କରିବାକୁ ଆସିଥିଲେ। ଛେରାପହଁରା ନୀତି ଶେଷ ହେବା ପରେ ରଥ ଗଡ଼ିଥିଲା। ଶ୍ରୀମନ୍ଦିର ଅଭିମୁଖେ ଆସିବା ବେଳେ ମାଉସୀ ମା’ ମନ୍ଦିର ନିକଟରେ ଅଟକିଥିଲା ରଥ। ଏଠାରେ ମହାପ୍ରଭୁ ପୋଡ଼ପିଠା ଖାଇଥିଲେ। ଶ୍ରୀନଅର ସମ୍ମୁଖରେ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଗଜପତି ମହାରାଜା ଲକ୍ଷ୍ମୀ ନାରାୟଣ ଭେଟ କରାଇଥିଲେ।

Comments are closed.