Latest Odisha News

BREAKING NEWS

ଏବେ ଅଟୋ ଓ ଗୃହ ଋଣ ହେବ ଶସ୍ତା

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଦେଖାଦେଇଛି ମାନ୍ଦା ଅବସ୍ଥା । ବିଶ୍ୱବ୍ୟାପୀ ଦେଖା ଦେଇଥିବା ଏହି ମାନ୍ଦା ଅବସ୍ଥାରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଚୀନ ପରି ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ଏହି ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସନ୍ଧ୍ୟାରେ ଭାରତ ଲାଗି ଅନେକ ବୃହତ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ଗୃହ ଓ ଅଟୋ ଋଣ ଏବେ ଶସ୍ତା ହେବାକୁ ଯାଉଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ଅନେକ ରାଷ୍ଟ୍ର ଅପେକ୍ଷା ଏବେ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ହାର ଉଚ୍ଚରେ ରହିଛି । ବର୍ତ୍ତମାନ ଚୀନ ଓ ଆମେରିକା ମଧ୍ୟରେ ଅଘୋଷିତ ବାଣିଜ୍ୟ ଟକ୍କର୍ ଚାଲିଥିବା ବେଳେ ଅନେକ ରାଷ୍ଟ୍ରଗୁଡ଼ିକର ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିଛି । ଏପରିକି ଏହିସବୁ ଦେଶଗୁଡ଼ିକର ମୁଦ୍ରାସ୍ଫିତିରେ ହ୍ରାସ ଘଟିଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି ।

ଭାରତର ଅର୍ଥନୀତି ଅଭିବୃଦ୍ଧି ହାର ବୃଦ୍ଧି କରିବା ଲାଗି ଏଥିସହିତ ଆଗାମୀ ୨ ସପ୍ତାହ ମଧ୍ୟରେ ଅନେକ ବଡ଼ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଘୋଷଣାର ମୁଖ୍ୟାଂଶ:

ଗୃହ ଓ ଅଟୋ ଋଣ ଶସ୍ତା:

କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନାଦେଇ କହିଛନ୍ତି, ଏବେ ଗୃହ ଓ ବ୍ୟାଙ୍କ ଓ ଅନ୍ୟ ଋଣ ଉପରେ ଏଏମଆଇ ହ୍ରାସ କରାଯିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ହେଉଥିବା ସୁଧ ଦର ହ୍ରାସର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକମାନଙ୍କୁ ପ୍ରଦାନ କରିବାକୁ ସମସ୍ତ ବ୍ୟାଙ୍କ ମତ ପ୍ରକାଶ କରିଛନ୍ତି । ତେଣୁ ବ୍ୟାଙ୍କ, ଗୃହ, ଅଟୋ ଏବଂ ଅନ୍ୟ ଲୋନ୍ ନେବା ଉପରେ ସୁଧହାର ହ୍ରାସ କରାଯିବ । ଏହି ରେପୋ ରେଟ୍ ହ୍ରାସ ସହିତ ଏମସିଏଲଆର ଉପରେ ମଧ୍ୟ ହ୍ରାସ କରାଯିବ । ତେଣୁ ଏବେଠାରୁ ଗ୍ରାହକମାନଙ୍କୁ ଗୃହ, ଅଟୋ ଏବଂ ଅନ୍ୟ ଲୋନ ନେବାରେ ଶସ୍ତା ହେବ ।

କ୍ଷୁଦ୍ର ବ୍ୟବସାୟୀଙ୍କୁ ଫାଇଦା:

ଏମଏସଏମଇରେ ଋଣ ଲାଗି ୱାନ ଟାଇମ୍ ସେଟେଲମେଣ୍ଟ ପଲିସି ଅଣାଯିବ । ସମସ୍ତ ପଡ଼ି ରହିଥିବା ଜିଏସଟି ରିଫଣ୍ଡ ୩୦ ଦିନରେ ପୈଠ କରାଯିବ । ଏନବିଏଫସି କେୱାସି ଆଧାରରେ ସମସ୍ତ ବ୍ୟବସାୟୀଙ୍କୁ ଋଣ ମିଳିପାରିବ । ତେଣୁ ଗୃହ ଏବଂ ଗାଡ଼ି କିଣିବା ଉପରେ କମ୍ ସୁଧ ଲାଗିବ । ତେବେ ୧୫ ଦିନ ମଧ୍ୟରେ ସମସ୍ତ ଋଣ ପଇଠ କରିବା ପରେ କାଗଜ ପତ୍ର ଗ୍ରାହକ ପାଇପାରିବେ । ପୂର୍ବ ପରି ଆଉ ହଇରାଣ ହେବେନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କରଦାତାଙ୍କ ଲାଗି ଖୁସି ଖବର:

ଆସନ୍ତା ବିଜୟାଦଶମୀଠାରୁ ଆୟକର ବିଭାଗ କର ପଇଠ ଉପରେ ଯାଞ୍ଚ କରିବେ । ମାତ୍ର ଏସବୁ ଲାଗି କରଦାତା ଆଉ ହଇରାଣ ହରକତ ହେବେନାହିଁ । ତେଣୁ ଜିଏସଟି ରିଟର୍ଣ୍ଣ ଓ ରିଫଣ୍ଡକୁ ଅଧିକ ସରଳୀକରଣ କରାଯିବ ।

Leave A Reply

Your email address will not be published.