Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ରୋକ୍: ରାଜ୍ୟର ଏହି ସବୁ ନିୟମ ଉପରେ କେନ୍ଦ୍ର ଆପତ୍ତି ଉଠାଇଛି

ଭୁବନେଶ୍ୱର: ଡିସେମ୍ବର ୨୦୨୦ ରେ ରାଜ୍ୟ ସରକାର ଆଣିଥିବା ସ୍ୱତନ୍ତ୍ର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ବା ନିୟମ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶରେ ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ତେଣୁ ଯେଉଁ ନିୟମ ତିଆରି ହୋଇଛି ଅଧିକାଂଶ କେନ୍ଦ୍ରର ଆମସାର ଆଇନକୁ ବିରୋଧ କରୁଛି। ତେଣୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏହି ଅଧ୍ୟାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏ ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଛି କେନ୍ଦ୍ର । ପରେ ରାଜଭବନ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି। ଏବେ ଶାସନ ସଚିବ ଯେଉଁ ପ୍ରସଙ୍ଗରେ କେନ୍ଦ୍ର ଆପତ୍ତି ଉଠାଇଛି ତାର ସ୍ପଷ୍ଟୀକରଣ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଜଣାଇବେ।

ଆମସାର ନିୟମର ଉଲ୍ଲଂଘନ କଲେ ରାଜ୍ୟ ସରକାର !

ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପାଖରେ ବିଭିନ୍ନ ନିର୍ମାଣ କରି ଆମ୍‌ସାର ଆଇନର ଖୋଲା ଉଲ୍ଲଂଘନ କରିସାରିଛନ୍ତି। ତେଣୁ ଏବେ ରୋକ୍ ଲଗାଇଲେ କଣ ଲାଭ ବା କଣ କ୍ଷତି ହେବ ତାହା ତର୍କର ବିଷୟ । ପ୍ରସ୍ତାବିତ ଅଧ୍ୟାଦେଶରେ ଏପରି ଅନେକ କଥା କୁହାଯାଇଛି, ଯାହା କେନ୍ଦ୍ରର ଆଇନକୁ ସିଧାସଳଖ ବିରୋଧ କରୁଛି।

ଆମସାର ନିୟମ କଣ କହୁଛି?

ଆମସାର ଅଧିନିୟମ, ୧୯୫୮ ଅନୁଯାୟୀ ୧୦୦ ମିଟର ଅଞ୍ଚଳ ନିଷିଦ୍ଧାଞ୍ଚଳ । ସେହିପରି ୨୦୦ମିଟର ଯାଏ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ କିଛି ବି ମରାମତି ଆଦି କାର୍ଯ୍ୟକଳାପ ହେଲେ ଜାତୀୟ ସ୍ମାରକୀ ପ୍ରାଧିକରଣର ସୁପାରିସ ଅନୁଯାୟୀ କର୍ତ୍ତୃପକ୍ଷଙ୍କର ଅନୁମତି ନେବାକୁ ହେବ । ରାଜ୍ୟର ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀର ସଂରକ୍ଷଣ ପାଇଁ ଏଏସ୍‌ଆଇ ଉତ୍ତରଦାୟୀ ରହିବେ । ତେଣୁ ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ନିୟମ ଲାଗୁ ହୋଇପାରିବ ନାହିଁ । ସେହିପରି ମନ୍ତ୍ରଣାଳୟ କହିଛି ଯେ ମନ୍ଦିର ଭିତରେ ଏବଂ ବାହାରେ ଦୋକାନ ପାଇଁ ଓଡିଶା ଅଧ୍ୟାଦେଶର ଧାରା ୧୫ (୨) ରେ ବ୍ୟବସ୍ଥା ରହିଛି। ଏହା ଆମ୍‌ସାର ଅଧିନିୟମ ଅନୁସାରେ ଗ୍ରହଣୀୟ ନୁହେଁ।

ସଂସ୍କୃତି ବିଭାଗ ଏହି ଅଧ୍ୟାଦେଶ ଉପରେ ଆପତ୍ତି ଉଠାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କହିଛି ଯେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଅନୁମୋଦନ ଦେଇଛନ୍ତି, ଏହା ଅନ୍ତର୍ଗତ ଶ୍ରୀ ଲିଙ୍ଗରାଜ ମନ୍ଦିର, ୩ଟି ବିଶାଳ ପୁଷ୍କରିଣୀ ସହିତ ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ରହିଛି।

ବାଧାପ୍ରାପ୍ତ ହେବ ଏକାମ୍ର କ୍ଷେତ୍ର ଯୋଜନା

କେନ୍ଦ୍ର ସରକାର ଏହି ରୋକ୍ ଲଗାଇବା ପରେ ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ବାଧାପ୍ରାପ୍ତ ହେବ । ଏହି ଆଇନ ପୂର୍ବରୁ ଲିଙ୍ଗରାଜ ମନ୍ଦିର ଦେବୋତ୍ତର ଆଇନ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ୨୦୨୦ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ବୈଠକ ବସିଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରିବା ଲାଗି ଅଧ୍ୟାଦେଶ ଅଣାଯାଇ ରାଜ୍ୟପାଳଙ୍କ ଅନୁମୋଦନ ଲାଗି ପଠାଯାଇଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଆଇନ କିଛି ପରିମାଣରେ ରହୁଛି ତେଣୁ ଅଧ୍ୟାଦେଶ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ପଠାଯାଇଥିଲା।

Leave A Reply

Your email address will not be published.