ଭୁବନେଶ୍ବର : ଖୁସିର ପର୍ବ ହୋଲି । ପିଲାଠୁ ବୁଢା ସଭିଏଁ ପାଳନ କରନ୍ତି ଏହି ରଙ୍ଗର ପର୍ବ। କିନ୍ତୁ ଅନେକ ସମୟରେ ରାସାୟନିକ ରଙ୍ଗ ଆମ ଶରୀରରେ ଅନେକ ସମସ୍ଯା ଆଣିଦେଇଥାଏ। ହୋଲି ପରେ ପ୍ରାୟତଃ ଦେଖାଦିଏ ଚର୍ମ ସମ୍ବନ୍ଧୀୟ ସମସ୍ୟା। ରାସାୟନିକ ରଙ୍ଗ, ଧୂଳି, ସୂର୍ଯ୍ୟକିରଣ ଏବଂ ପାଣିର ଅତ୍ୟଧିକ ସଂସ୍ପର୍ଶରେ ଆସିବା ଯୋଗୁଁ ଚର୍ମ ମଳିନ ପଡିବା ସହିତ ଶୁଷ୍କ ହୋଇଯାଏ। ଏପରିକି ଚର୍ମରେ କୁଣ୍ଡାଇ ହେବା, ଜଳାପୋଡ଼ା ହେବ ସହିତ ଲାଲ ପଡ଼ିବା ମଧ୍ୟ ଦେଖାଯାଏ। ଏପରି ପରିସ୍ଥିତିରେ, ଚର୍ମର ଅଧିକ ଯତ୍ନ ନେବା ଆବଶ୍ୟକ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଫେସ୍ ମାସ୍କ ଏବଂ କ୍ରିମ୍ ପରିବର୍ତ୍ତେ ଆମେ ବ୍ୟବହାର କରିପାରିବା ଘରେ ତିଆରି ଫେସ ମାସ୍କ। ଏହା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ହୋଇଥାଏ। ଏହା ସହିତ ଏହି ମାସ୍କ ଚର୍ମକୁ ନରମ ଏବଂ ଉଜ୍ଜ୍ୱଳ କରିଥାଏ। ଆସନ୍ତୁ ଜାଣିବା ୩ ଟି ପ୍ରାକୃତିକ ଫେସ୍ ମାସ୍କ ବିଷୟରେ, ଯାହା ହୋଲି ପରେ ଶୁଷ୍କ ଚର୍ମକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିବ।
ଦହି ଏବଂ ମହୁ ଫେସ୍ ମାସ୍କ
ଦହି ଚର୍ମକୁ ଅତ୍ୟଧିକ ଆର୍ଦ୍ର ରଖିଥାଏ। ଅନ୍ୟପଟେ ମହୁ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣରେ ଭରପୂର ଏବଂ ଚର୍ମକୁ ନରମ କରିଥାଏ। ଏହି ଫେସ ମାସ୍କ ପାଇଁ, ୨ ଚାମଚ ତାଜା ଦହି ନେଇ, ଏଥିରେ ୧ ଚାମଚ ମହୁ ମିଶାନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାନ୍ତୁ ଏବଂ ୧୫-୨୦ ମିନିଟ୍ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ପରେ, ଚର୍ମ ନରମ, ହାଇଡ୍ରେଟେଡ୍ ଏବଂ ସତେଜ ଦେଖାଯିବ।
ଆଲୋଭେରା ଏବଂ ଗୋଲାପ ଜଳ ଫେସ୍ ମାସ୍କ
ଆଲୋଭେରା ବା ଘିକୁଆଁରୀ ଚର୍ମକୁ ଥଣ୍ଡା ଏବଂ ହାଇଡ୍ରେଟ୍ କରେ। ସେହିପରି ଗୋଲାପ ଜଳ ମଧ୍ୟ ଚର୍ମକୁ ପରିଷ୍କାର କରିବ ସହିତ ଲାଲପଣ କମ କରେ। ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ଏବଂ କୋମଳ କରିବାକୁ ଚାହୁଁଥିଲେ, ଏହି ଫେସ୍ ମାସ୍କ ବ୍ୟବହାର କରି ପାରିବେ। ଏଥିପାଇଁ, ୨ ଚାମଚ ଆଲୋଭେରା ଜେଲ୍ ନିଅନ୍ତୁ। ଏଥିରେ ୧ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ ଏବଂ ୨୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
କଦଳୀ ଏବଂ ନଡ଼ିଆ ତେଲ ଫେସ୍ ମାସ୍କ
କଦଳୀ ଚର୍ମକୁ ମଇଶ୍ଚରାଇଜ୍ କରେ ଏବଂ ନଡ଼ିଆ ତେଲ ଶୁଷ୍କତା ଦୂର କରିଥାଏ। ଗୋଟିଏ ପାଚିଲା କଦଳୀକୁ ଚକଟି ଏଥିରେ ୧ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ ଏବଂ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ପରେ ହିଁ ଆପଣ ଫରକ ଅନୁଭବ କରି ପାରିବେ।
Comments are closed.