Latest Odisha News

ରାତି ପାହିଲେ ଭୋଟ ଗଣତି, ବିଜେପି ଗଡ଼ ବଜାୟ ରଖିବ ନା ବିଜେଡି ଛଡାଇନେବ!

ରାଜୁ ଦାସ କେତେ ପାଇବେ ଭୋଟ?

ଧାମନଗର:  ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇ ଗତ କିଛି ଦିନ ହେଲା ଚର୍ଚା ଜୋର ଧରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ରହିଛି । ବିଜେପି କହୁଛି ତାଙ୍କ ପ୍ରାର୍ଥୀ ଜିତିବ, ବିଜେଡି କହୁଛି ତାଙ୍କ ପ୍ରାର୍ଥୀ ଜିତିବ । ସେପଟେ ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ କହୁଛନ୍ତି ସେ ଜିତିବେ । ତେବେ କାଲି ଏସବୁ ଆଶଙ୍କା ଦୂର ହୋଇଯିବ ।  ରାତି ପାହିଲେ ଇଭିଏମ ଖୋଲାଯିବ ଏବଂ  ଆସିବ ଧାମନଗର ଉପନିର୍ବାଚନ ଫଳାଫଳ । ବିଜେପି ଗଡ଼ ନିଜ ପାଖରେ ରଖିବ ନା ବିଜେଡି ଛଡାଇ ନେବ ତାକୁ ନେଇ ସବୁଠି ଆଲୋଚନା ।

ଆସନ୍ତାକାଲି ସକାଳ ୮ଟାରୁ ଭଦ୍ରକ ସଂସ୍କୃତି ଭବନରେ ଭୋଟ ଗଣତି ଆରମ୍ଭ ହେବ   । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯିବ । ଏହାପରେ ସାଢେ ୮ଟାରୁ ଆରମ୍ଭ ହେବ  ଇଭିଏମ୍ ଭୋଟ । ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ନେଇ ନେତାଙ୍କ ଛାତି ଧଡପଡ ହେଉଛି । ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି । ହେଲେ ଷ୍ଟ୍ରଙ୍ଗରୁମ ବାହାରେ ଏବେଠୁ  ଜଗି ରହିଛନ୍ତି ନେତା କାର୍ଯ୍ୟକର୍ତ୍ତା ।

ଭୋଟ ଗଣତିକୁ ଆଉ ମାତ୍ର  କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ର ଭୋଟରମାନେ କାହାକୁ ନେତା ବାଛିଛନ୍ତି ତାହା ରାତି ପାହିଲେ କାଲି ସ୍ପଷ୍ଟ ହେବ ।  ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡିର  କେତେ ଭୋଟ୍‌ କାଟିଛନ୍ତି ତାହା କାଲି ହିଁ ଜଣାପଡିବ । ସେପଟେ ଧାମନଗର ଆସନ କାହା ହାତକୁ ଯିବ  ତାହା ବି ସ୍ପଷ୍ଟ ହେବ ।

ଏହି ଉପନିର୍ବାଚନ ଏଥର ଏକ ଏସିଡ ଟେଷ୍ଟ କୁହାଯାଉଛି । ଯଦି ବିଜେପି ଏଠାରେ ବାଜି ମାରେ ତେବେ ଆସନ୍ତା 2024 ନିର୍ବାଚନରେ ଦଳକୁ ଶକ୍ତି ମିଳିବ । ଯଦି ବିଜେପି ପ୍ରାର୍ଥୀ ହାରନ୍ତି ତେବେ ବିଜେଡିକୁ ଟକ୍କର ଦେବା କଷ୍ଟକର ବୋଲି ଭୋଟରଙ୍କ ନିକଟକୁ ମେସେଜ ଯିବ  ।

ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଯଦି ଏଥର ଜିତନ୍ତି ତାଙ୍କର ଦବଦବା ମଧ୍ୟ ଦଳରେ ବଢ଼ିବ । ଆସନ୍ତା ନିର୍ବାଚନରେ ମଧ୍ୟ ତାଙ୍କୁ ଦଳ ସୁଯୋଗ ଦେବ ।  ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ନିଜସ୍ୱ ସଂଗଠନ ର ଭୋଟ ସହ ଅନୁକମ୍ପା ଭୋଟ ତାଙ୍କ ସହ ଥିବାରୁ ବିଜେପି ବହୁତ ଆଶାବାଦୀ ରହିଛି । ମାସେ ଧରି ଧାମନଗରରେ ପହରା ଦେଉଥିବା ବିଜେପି ନେତାମାନେ କାର୍ଯ୍ୟକର୍ତ୍ତାମାନେ  ମଧ୍ୟ ଖୁସି ହେବେ । ସୁରଜ ଯଦି ହାରନ୍ତି ତେବେ ବିଜେପି ପୂର୍ବଭଳି ଫଳ କେବଳ ସମାଲୋଚନା ହିଁ ପାଇବ ।

ସେପଟେ ପ୍ରଥମ ଥର ନବୀନଙ୍କୁ ଖୋଲାଖୋଲି ବିଦ୍ରୋହ କରି ନିର୍ବାଚନ ଲଢ଼ିଥିବା ରାଜୁ ଦାସଙ୍କ ଉପରେ  ସମସ୍ତଙ୍କ ନଜର । ବିଜେଡ଼ିର ମାଳମାଳ ମନ୍ତ୍ରୀ, ବିଧାୟକ ଗତ ଦୁଇ ସପ୍ତାହ ହେଲା ଡେରା ପକାଇଥିବାରୁ ସେ ନିଜ ଇମେଜକୁ ନେଇ କେତେ ଭୋଟ ପାଉଛନ୍ତି ତାହା ଉପରେ ସମସ୍ତଙ୍କର ଆଖି । ଯଦି ରାଜୁ ଦାସ କିଛି ଆଖିଦୃଶିଆ ଭୋଟ ନପାଆନ୍ତି ତାଙ୍କର କ୍ୟାରିୟର ମଧ୍ୟ ଶେଷ ହେଲା ବୋଲି କୁହାଯାଇପାରେ ।

ସେପଟେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବଳରେ ବଳିଆନ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଜିତିବା ନେଇ ବହୁତ ଆଶାବାଦୀ  ଅଛନ୍ତି । ଯଦି ଅବନ୍ତୀ ଜିତନ୍ତି ତେବେ ତାଙ୍କ ଭାଗ୍ୟ ପୁଣି ଚମକିବ । ଯଦି ଅଧିକା ମାର୍ଜିନରେ ଜିତନ୍ତି ତେବେ ଆସନ୍ତା ନିର୍ବାଚନରେ ମଧ୍ୟ ଟିକେଟ ମିଳିପାରେ ।

 

୨୦୧୯ ନିର୍ବାଚନରେ  ବିଜେପିର ବିଜୟ ବ୍ୟବଧାନ ଥିଲା ମାତ୍ର ୪୬୫୨ ଖଣ୍ଡ ଭୋଟ୍‌ । ଏଥର ବିଜେଡି କେତେ ବ୍ୟବଧାନରେ ଜିତୁଛି ତାହା ମଧ୍ୟ ଅବନ୍ତୀ ଦାସଙ୍କ ଭାଗ୍ୟ ନିର୍ଭର କରିବ । କାରଣ ଆଉ ବର୍ଷେ ପରେ ପୁଣି ନିର୍ବାଚନ ପାଇଁ କସରତ ଚାଲିବ ।

ତିହିଡି ବ୍ଲକରେ ନିର୍ବାଚନ ପରବର୍ତ୍ତି ହିଂସାକାଣ୍ଡରୁ ଯାହା ଜଣାପଡୁଛି ବିଜେଡି ସହ ବିଜେପିର ଏଠାରେ ଟକ୍କର ହୋଇଛି  । ଏହି ପଞ୍ଚାୟତଗୁଡ଼ିକରୁ ରାଜେନ୍ଦ୍ର ଦାସଙ୍କ ସପକ୍ଷରେ କେତେ ପଡିଛି ଆଉ ଅବନ୍ତୀ ଦାସଙ୍କ ସପକ୍ଷରେ କେତେ ପଡିଛି ତାହା ମଧ୍ୟ ଚର୍ଚାରେ ରହିଛି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଏହି ବ୍ଲକର ହୋଇଥିବା ବେଳେ ଏଠାରେ ବିଜେପି ମଧ୍ୟ କିଛି ଭୋଟ ହାତେଇଥିବା ଚର୍ଚା ହେଉଛି । ତିହିଡି ବ୍ଲକ୍ ଯାହା ହାତକୁ ଯାଇଥିବ ସେ ହିଁ ଆଗରେ ରହିପାରେ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି ।

ସେପଟେ ଧାମନଗର ବ୍ଲକର ୪୪ଟି ପଞ୍ଚାୟତରେ ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ମୁକାବିଲା ହୋଇଥିବା ଚର୍ଚା ହେଉଛି ।  କାରଣ ଧାମନଗର ଏନଏସିରେ ମାତ୍ର ୮% ଭୋଟ୍‌ ରହିଛି । ଏନଏସିରେ ଥିବା ଭୋଟ ବିଜେଡି ଆଉ ବିଜେପି ଅଧା ଅଧା ପାଇବାର ସଂଭାବନା ରହିଛି । କିନ୍ତୁ  ୯୨% ଗ୍ରାମାଞ୍ଚଳ ଭୋଟ୍‌ ମଧ୍ୟରୁ ବିଜେଡି କେତେ ନେଉଛି ଆଉ ବିଜେପି କେତେ ନେଉଛି ତାହା ଉପରେ ଫଳାଫଳ ନିର୍ଭର କରିବ । କଂଗ୍ରେସର ସ୍ଥିତି ଗତଥରଠାରୁ ଆହୁରି ଖରାପ ଥିବା ନିଜ ନେତାମାନେ ମାନିସାରିଲେଣି । କଂଗ୍ରେସ ଗତଥର ୭ ହଜାର ୨୫୮ ଖଣ୍ଡ ଭୋଟରେ ସୀମିତ ରହିଥିଲା  । ତେଣୁ ବାବା ହରେକୃଷ୍ଣ ଗତଥରଠାରୁ କମ ଭୋଟ ପାଉଛନ୍ତି ନା ଅଧିକ ପାଉଛନ୍ତି ତାହା ସ୍ପଷ୍ଟ ହେବ ।  ତେବେ ରାତି ପାହିଲେ ହିଁ କାହା ଭାଗ୍ୟ ସାଥ ଦେଉଛି ଜଣାପଡିବ ।

Comments are closed.