Latest Odisha News

BREAKING NEWS

ପୁଣି ମୁହଁ ଖୋଲିଲେ ଅର୍ଚ୍ଚନା, ‘ମୁଁ କହିଲେ ଓଡ଼ିଶା ବଦଳି ଯିବ, ୩୦ ମିନିଟ୍ ଦିଅନ୍ତୁ’

ଭୁବନେଶ୍ୱର: ମୋତେ ସମୟ ଦିଅ, ସବୁ କହିବି, ସମସ୍ତଙ୍କ ମୁଖା ଖୋଲିବି । ହନିଟ୍ରାପ୍ ମାମଲାରେ ଗିରଫ ଅର୍ଚ୍ଚନା ନାଗ ଆଜି ପୁଣି ପୋଲିସ ଉପରେ ବର୍ଷିଛନ୍ତି । କହିଛନ୍ତି, ମୁଁ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ, ଓଡ଼ିଶା ବଦଳି ଯିବ । ଏଥିପାଇଁ ତାଙ୍କୁ ୩୦ ମିନିଟ୍ ସମୟ ଦେବା ଦରକାର ବୋଲି ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି ।

ଅର୍ଚ୍ଚନା ନାଗଙ୍କୁ ଇଡି ୭ ଦିନିଆ ରିମାଣ୍ଡରେ ଆଜିଠୁ ନେଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ନେଇଥିଲା । ସେଠାରେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ତଦନ୍ତରେ ସହଯୋଗ କରୁଛି । ମୋତେ ଆତଙ୍କବାଦୀ ଭଳି ଗିରଫ ବେଳେ ପୋଲିସ ବ୍ୟବହାର କରିଛି । ମୁଁ ସବୁ କହିବି, ସମସ୍ତଙ୍କ ମୁଖା ଖୋଲିବି । ମୋତେ ସମୟ ଦିଅନ୍ତୁ ।

ଅର୍ଚ୍ଚନା ଆହୁରି କହିଛନ୍ତି, ମୋର ୫ ବର୍ଷର ଛୁଆ ରହିଛି । ତା ଲୁହ ସମସ୍ତଙ୍କ ଉପରେ ପଡ଼ିବ । ଗତକାଲି କୋର୍ଟରେ ହାଜର ବେଳେ ଅର୍ଚ୍ଚନା ପୋଲିସ ଉପରେ ଅଙ୍ଗୁଳି ଉଠାଇବା ସହ ସିବିଆଇ ତଦନ୍ତ ଦାବି କରିଥିଲେ । ଆଜି ସେ ଇଡି ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ।

ଅକ୍ଟୋବର ୬ରେ କମିଶନରେଟ୍ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ ପରେ ଅନେକ ଫଟୋ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ସହ ନଜର ଆସିଥିଲେ । ଗିରଫର ୨ ମାସ ପରେ ଆଜି ଅର୍ଚ୍ଚନା ଦେଇଥିବା ବୟାନ ଏକ ବଡ଼ ଷଡ଼ଯନ୍ତ୍ର ଆଡ଼କୁ ଇସାରା କରୁଛି ।

କାରଣ ଅର୍ଚ୍ଚନାଙ୍କୁ ଗିରଫ ପରେ କମିଶନରେଟ୍ ପୋଲିସ ମୁହଁ ଖୋଲି ନଥିଲା । ଅନେକ ଦସ୍ତାବିଜ୍ ପୋଲିସ ଜବତ କରିଥିବା ବେଳେ କଣ ତଥ୍ୟ ମିଳିଲା ସେନେଇ କିଛି କହି ନଥିଲା । ପରେ ଇଡି ମାମଲାର ତଦନ୍ତ କରିବା ପରେ ୧୫ରୁ ଅଧିକ ଜଣଙ୍କୁ ଜେରା କରିଛି । ଆଜିଠୁ ଅର୍ଚ୍ଚନାଙ୍କୁ ଇଡି ୭ ଦିନିଆ ରିମାଣ୍ଡରେ ନେଇଛି ।

ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପରେ ବୟାନ ଆଧାରରେ ଆଗକୁ ଇଡି ଆଉ କାହାକୁ ସମନ କରିବ । ତାହା ହିଁ ଖୋଲିବ ଅର୍ଚ୍ଚନାଙ୍କ ସହ ଆଉ କେଉଁ କେଉଁ ବଡ଼ ବଡ଼ିଆ ସାମିଲ୍ ।

Leave A Reply

Your email address will not be published.