Latest Odisha News

ଆଶା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ମନୁଷ୍ୟ ଜୀବନର ଅଙ୍କାବଙ୍କା ନଈରେ ବହୁତ କିଛି ଆଶା କରେ । ସବୁ ଆଶା କେବେ ପୂର୍ଣ୍ଣ ହୁଏ ନାହିଁ । କେତେ ଆଶା ଆଶାରେ ରହିଯାଏ । କେତେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବା ଆଶା ପୂର୍ଣ୍ଣ ହୁଏ । ଆଶା ହେଉଛି ଏକ ଜହ୍ନରାତି । ଆଶା ଅଶିଣ ମାସର ଭରା ଧାନକ୍ଷେତ । ଆଶା ହେଉଛି ଏକ ନୀଳପକ୍ଷୀ ସଦୃଶ । ଆଶା ମଧ୍ୟ କେବେ କେବେ ସପନର ମିଠାମିଠା ଗୀତ । ଜୀବନରେ ସଫଳତା ବିଫଳତା ଲାଗିଥାଏ । ବିଫଳତାରୁ ଆମେ ଅନେକ କିଛି ଶିକ୍ଷା ପାଉ । ବିଫଳତା ହିଁ ସଫଳତା ଲାଗି ବାଟ ଦେଖାଏ । ବିଫଳତା ମଣିଷକୁ ଆହୁରି ଦୃଢ଼, ଆଞଗବିଶ୍ୱାସୀ କରିବା ସହିତ ସଫଳତା ଦିଗରେ ପ୍ରୋତ୍ସାହିତ କରିଥାଏ । ମନୁଷ୍ୟ ଜୀବନରେ ଅନେକ ବାଧାବିଘ୍ନ ଦେଇ ଗତି କରିବାକୁ ହୁଏ । ସଫଳ ବ୍ୟକ୍ତି ବିଚାର କରନ୍ତି ଯେ, ସଫଳ ଲାଗି ବିଫଳତାର ପଥ
ଅତିକ୍ରାନ୍ତ କରିବାକୁ ହେବ । ଏଥିଲାଗି ସେମାନେ ଭାଙ୍ଗି ନ ପତି ଅତି ଧୈର୍ଯ୍ୟ ସହକାରେ ଅତିକ୍ରମ କରିବାକୁ ସର୍ବଦା ମନରେ ଅଦମ୍ୟ ସାହସ ସଞ୍ଚୟ କରି କଠିନ ପରିସ୍ଥିତିର ସାମ୍ନା କରିଥାନ୍ତି । ଆଶା ହେଉଛି ଏକ ସୁଦୀର୍ଘ ପଥ ଯାହାର କି ଅନ୍ତିମ ଦିଗନ୍ତ ନାହିଁ । ବେଳେବେଳେ ଆଶା ଏକ ସୁଶୋଭନ ତରୀ । ମଙ୍ଗରେ ଥାଏ ତାର ଆଶା ବିଶ୍ୱାସର ନେତ । ଆଶା ହେଉଛି ଏକ ପ୍ରଜାପତି । ସେ ଫୁଲରୁ ଫୁଲକୁ ଛୁଇଁ ଛୁଇଁ ଉଡ଼ିଚାଲେ । ସ୍ୱପ୍ନରେ ବିଭୋର ହୋଇ ଏକ ଜିଇଁବାର ନିଶା ମଧ୍ୟ ଆଶା, କାରଣ ଉଦାସତାରେ ଅତୀତକୁ ଭୁଲି ଯିବାର ନାମ ମଧ୍ୟ ଆଶା । ଆମେ ଆଶା ବିଶ୍ୱାସ ନେଇ ଆଗେଇ ଚାଲୁ । ସଫଳତା ବିଫଳତା ମନୁଷ୍ୟର କର୍ମ ଅନୁସାରେ ପ୍ରାପ୍ତ ହୋଇଥାଏ ।

ସବୁ କର୍ମରେ ସଫଳତାର ଆଶା ରଖିବା ସଙ୍ଗେ ସଙ୍ଗେ କର୍ତ୍ତବ୍ୟ ପ୍ରତି ଅଧିକ ଦୃଷ୍ଟି ଦେବା ଦରକାର । ଆମେ ଯଦି ଆମର କର୍ତ୍ତବ୍ୟ ଅନୁସାରେ କର୍ମ କରୁଅଛେ, ତା’ହେଲେ ବିଧାତା ନି୧⁄୨ିତ ଆମକୁ ସଫଳକାମୀ କରାଇବେ । ବେଳେବେଳେ ଆମର ଚିନ୍ତାଧାରା ଆମର ମାନସିକତା ଉଚ୍ଚକୁ ଯିବା ପରିବର୍ତ୍ତେ ନିଚକୁ ଯାଇଥାଏ । ଏହାର ମୂଳ କାରଣ ଆମେ ଆମର କର୍ମରେ ବିଶ୍ୱାସ ରଖି ପାରୁନାହୁଁ । ଫଳରେ ଆମର ନିମ୍ନ ମାନସିକତା ଅଧୋଗତି ଆଣି ଦେଉଛି କିନ୍ତୁ ଭଗବାନଙ୍କ ସୃଷ୍ଟି ବିଚିତ୍ର । ଆମେ ଯାହା ଆଶା କରି ନ ଥିବା ତା’ ଠାରୁ ଅଧିକ ପ୍ରାପ୍ତ ହୋଇଥାଏ । ଯଥା- ଥରେ ଏକ ପୁଷ୍କରିଣୀରେ ଗୋଟିଏ ମାଛ ତାର ପରିବାର ସହିତ ବାସ କରୁଥିଲା । ଗ୍ରୀଷ୍ମଦିନରେ ପୁଷ୍କରିଣୀରେ ଜଳ ସଂକଟ ଦେଖାଗଲା । ମାଛ ଭଗବାନଙ୍କୁ ପ୍ରାର୍ଥନା କରି କହିଲା- ହେ ପ୍ରଭୁ! ମୋତେ ଏ ସଙ୍କଟରୁ ଆପଣ ଉଦ୍ଧାର କରନ୍ତୁ । କିଛି ଦିନ ପରେ ଝଡ଼ ପବନ ସହିତ ବର୍ଷା ଆସିଲା । ନଦୀ, ନାଳ, ପୁଷ୍କରିଣୀ ଜଳପୂର୍ଣ୍ଣ ହୋଇ ବନ୍ୟା ହେଲା । ମାଛ ପରିବାର ପୁଷ୍କରିଣୀରୁ ବାହାରି ନଦୀରେ ଆସି ମିଶିଲେ । ନଦୀର ସ୍ରୋତ ନିମ୍ନଗାମୀ । ମାଛ ପରିବାର ସ୍ରୋତରେ ଗଲେ ବିପଦର ଆଶଙ୍କା ଅଛି ବୋଲି ଅନୁଭବ କରି ବିପରୀତ ଦିଗରେ ଯିବାକୁ ଲାଗିଲେ । ନଦୀର ପ୍ରଖର ସ୍ରୋତରେ ସେମାନେ ବିପରୀତ ଦିଗରେ ଯାଇପାରିଲେ ନାହିଁ । ଭଗବାନଙ୍କୁ ଅନ୍ତରରୁ ଭର୍ତ୍ସନା କଲେ । ଆମର ଆଶା ଭଗବାନ ପୂରଣ କରି ଦେଉନାହାଁନ୍ତି ବୋଲି ମନେ ମନେ
ହେଲେ । ନିୟତିର ବିଚାର ଭିନ୍ନ । ନଦୀର ସ୍ରୋତର ବିପରୀତ ଦିଗରେ ନ ଯାଇ ପାରି କ୍ଲାନ୍ତ ହେଲେ । ଧିରେ ଧିରେ ପ୍ରବାହିତ ନଦୀରେ ମାଛ ପରିବାରଟି ଗଭୀର ସମୁଦ୍ରରେ ଆସି ମିଶିଲେ । ସମୁଦ୍ରର ଅତଳ ଜଳ ରାଶିରେ ବିଭୋର ହୋଇଗଲେ । ଭଗବାନଙ୍କୁ କୃତଜ୍ଞତା ଜଣାଇଲେ । ହେ ପ୍ରଭୁ! ଆମେ ଯାହା କେବେ ଆଶା କରି ନ ଥିଲୁ ତାହା ଆପଣ ଦେଇଦେଲେ । ଆମେ ସ୍ୱଳ୍ପ ଜଳରେ ଛଟପଟ ହେଉଥିଲୁ । ଏଠାରେ ତ ଜଳ ହିଁ ଜଳ । ଆପଣ ଆମର ଜୀବନକୁ କ୍ଷୁଦ୍ରରୁ ବୃହତ୍ତରରେ ପରିଣତ କରିଦେଲେ । ଭଗବାନଙ୍କୁ ଶତବାର ସହସ୍ରବାର ପ୍ରଣାମ କଲେ । ତେଣୁ କଥାରେ ଅଛି- ଆଲ୍ଲା ଜବ୍‌ ଦେତା ହୈ ଛପଡ ଫାଡକେ… ତେଣୁ ଭଗବାନ ଯାହାକୁ ଦିଅନ୍ତି । ଆଶାଠାରୁ କାହିଁ କେତେ ଦୂର ।

Comments are closed.