ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ଗୋଟିଏ ଜାତିର, ଗୋଟିଏ ସଂସ୍କୃତିର, ଗୋଟିଏ ସହରର କିଛି ନା କିଛି ପରିଚୟ ଥାଏ । ତାହା ଛୋଟିଆ ଚିତ୍ରଟେ କି ପଥର ଖଣ୍ଡେ ହେଉ ପଛେ । ସେମିତି ଭୁବନେଶ୍ୱରକୁ ଯେଉଁମାନେ ଆସନ୍ତି, ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା ତାଙ୍କ ଆଖି ଆଗରେ ପଡ଼େ । ରାଜ୍ୟ ଶାସନର ପ୍ରତୀକ ହୋଇ ଏ ଘୋଡ଼ା ୧୯୮୮ ମସିହାରୁ ସେଠାରେ ରହିଛି । ଯାହାକୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ତିଆରି କରିଥିଲେ । ପରେ ରାଜ୍ୟ ସରକାର ତାକୁ ମାଷ୍ଟର କ୍ୟାଣ୍ଟିନ୍‍ ପାଖରେ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଭୁବନେଶ୍ୱର ଓ ସେ ଘୋଡ଼ା ଯେମିତି ପରସ୍ପରର ପ୍ରତୀକ ହୋଇ ରହି ଯାଇଛନ୍ତି । ତାହା ରାଜଧାନୀର ପରିଚୟ ପାଲଟି ଯାଇଛି ।

କିନ୍ତୁ କେଇଦିନ ତଳେ ଖବର ଆସିଲା – ସେ ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା ରାଜଭବନ ପାଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖକୁ ଉଠେଇ ନିଆଯିବ । କାରଣ କଣ ନା- ସହରର ଆଧୁନିକୀକରଣ ଓ ଚଉଡ଼ା ରାସ୍ତାରେ ଏ ଘୋଡ଼ା ବାଧକ ସାଜୁଛି । କି ଅଜବ ନିଷ୍ପତ୍ତି ଏ? କାହା ମୁଣ୍ଡକୁ ଏପରି ଅଦ୍ଭୁତ ଖିଆଲ ଆସିଲା, ଭାବିଲେ ବିସ୍ମୟ ଲାଗେ ।

ଯଦି ରାସ୍ତା ଚଉଡ଼ା କରିବାର ଅଛି, ରାସ୍ତା ଉପରକୁ ମାଡ଼ି ଆସିଥିବା ମଡ଼ ବଡ଼ ଲୋକଙ୍କ ଦୋକାନ, ମଲ୍‍ ଭାଙ୍ଗିବା କଥା ଆଗ ମୁଣ୍ଡକୁ ଢୁକିବା କଥା । କିନ୍ତୁ ଆମ ବାବୁମାନଙ୍କ ମୁଣ୍ଡକୁ ଆସିଲା, ଏ ଘୋଡ଼ା ଉଠେଇ ଦିଅ । ଓଡ଼ିଶାର ରାଜଧାନୀ ସହ ସେ ଘୋଡ଼ାର ସଂପର୍କ କଣ, ସେମାନେ କେବେ ହୁଏତ ବୁଝି ପାରିବେ ନାହିଁ । ବୁଝିଲେନି ବୋଲି ତ ଏମିତି ନିଷ୍ପତ୍ତି ନେଲେ ।

ଭୁବନେଶ୍ୱର ସୁନ୍ଦରୀକରଣ କରିବା ପାଇଁ ସହରର ରାସ୍ତା ଶହ ଶହ ଥର ଖୋଳା ହେଲାଣି । ସେ ରାସ୍ତା ଉପରେ ଏମିତି ପଥର ବିଛେଇ ଦିଆଯାଇଛି ଯେ, ରାସ୍ତା କ୍ରମଶଃ ଅଣ ଚଉଡ଼ା ହୋଇଗଲାଣି । କ୍ରମଶଃ ବଢୁଥିବା ଗାଡ଼ି ମଟର ସଂଖ୍ୟାକୁ ଦୃଷ୍ଟି ନ ଦେଇ ଏମିତି କରିବା ଫଳରେ, ସହରରେ ଜାମ୍‍ ହେଉଛି । ଯେଉଁ ଭୁବନେଶ୍ୱରକୁ ଆଗରୁ ସଂଜରେ ମତୁଆଲା ପବନ ବାଇଆ କରୁଥିଲା, ସେ ପବନ କେବେଠାରୁ ହଜି ସାରିଛି । କେବେ ଯଦି ଦଲକାଏ ପବନ ହେଉଛି, ଆମକୁ ପୁରୁଣା ଦିନର ଭୁବନେଶ୍ୱର ମନେ ପଡ଼ୁଛି ।

ସେମିତି ସହରକୁ ନୂଆ ରୂପ ଦେବାର କଳ୍ପନା ଓ କାର୍ଯ୍ୟକାରିତା ଆମେ ସମସ୍ତେ ବି ଦେଖୁଛୁ । ବର୍ଷାରେ ଏ ସହର ଡୁବୁଛି, ଭାସୁଛି । କାହିଁ- ତାର ସମାଧାନ କରିବା କଥା ଆମ ବାବୁମାନଙ୍କ ମୁଣ୍ଡକୁ ଆସୁନି ତ? ଅନିୟନ୍ତ୍ରିତ ଭାବେ ଘର ତିଆରି କରିବା, ଜବରଦଖଲ କରିବା ପାଇଁ ସମସ୍ତେ ପରୋକ୍ଷରେ ଅନୁମତି ଦେଇଦେଲେ । ଜବରଦଖଲର ଫଳ ଓ ଭବିଷ୍ୟତ ଯୋଜନା ଆଗରୁ ନ କରି ଶୋଇ ପଡ଼ିବାର ଯନ୍ତ୍ରଣା ଏବେ ଭୁବନେଶ୍ୱର ଭୋଗୁଛି ।

ଯଦି ସହରକୁ ସଜାଡ଼ିବାର ଇଚ୍ଛା ଅଛି ତ- ଏ ସହରର ଅନ୍ୟତମ ପରିଚୟ ପାଲଟି ଥିବା ଇସ୍ପନ ମନ୍ଦିର ସମ୍ମୁଖରେ ପ୍ରତି ବର୍ଷାରେ ସୃଷ୍ଟି ହେଉଥିବା ହ୍ରଦ କେମିତି ତିଆରି ନ ହେବ, ସେଥିପାଇଁ ଦୃଷ୍ଟି ଦିଅନ୍ତୁ । ଯେଉଁଠି ଯାତ୍ରୀବାହୀ ବସ୍‍ ବି ଭାସୁଛି ।

ତେବେ ବିରୋଧ ହେବା ପରେ ଶେଷକୁ ମାଷ୍ଟର କ୍ୟାଣ୍ଟିନ୍‍ ଘୋଡ଼ା ସ୍ଥାନାନ୍ତରଣ ନିଷ୍ପତ୍ତିରୁ ଭୁବନେଶ୍ୱର ମହାନଗର ନିଗମ ଓହରି ଯାଇଛି । ଆଉ ଗୋଟାଏ କଥା ବି ବୁଝି ହୁଏନା, ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ନେଇ ଏ ଘୋଡ଼ା ରଖିବାର କାରଣ କଣ? ଯାହା ଅଦରକାରୀ ତାହା ନେଇ ମଧୁବାବୁଙ୍କ ପାଖରେ ରଖିଦେବ କି? ମଧୁ ବାବୁ କଣ ସବୁଦିନେ ଏ ଜାତିର ବୋଝ ବୋହିବେ? ଏମିତିକି ତାଙ୍କ ପ୍ରତିମୂର୍ତ୍ତି ବି!

କୌଣସି ସଭ୍ୟତା ପାଇଁ ତାର ସଂସ୍କୃତି, ତାର ଐତିହ୍ୟ ସର୍ବାଧିକ ଗୁରୁତ୍ୱ ରଖେ । ତାକୁ ହିଁ ଆଧାର କରି ତାର ପରିଚୟ ଯୁଗ ଯୁଗ ଧରି ବଞ୍ଚି ରହେ । ପୁରୀରେ ମଠସବୁ ଭାଙ୍ଗି ଧୂଳିରେ ଲୋଟିଲା । ଜଗନ୍ନାଥ ସଂସ୍କୃତି ଓ ମଠ ପରଂପରା ଅଭିନ୍ନ । କିନ୍ତୁ କିଏ ତାକୁ ବୁଝିଲା ନା କିଏ ତାର ଟିପେ ବି ପ୍ରତିବାଦ କଲା?

ପୁରୁଣା ଯାହା ଅଛି, ତାକୁ ସଜାଡ଼ି ରଖିବା ଆଗ ଆମ କର୍ତ୍ତବ୍ୟ । ନୂଆ ତ ଯେବେ ନାହିଁ, ସେବେ ତିଆରି କରିହେବ । କିନ୍ତୁ ପୁରୁଣା ଆଉ ଥରେ ତିଆରି କରି ପାରିବା କି? ପାରିବା କି କେବେ? ଉତ୍ତର- କେବେ ନୁର୍ହେ । କେବେ ବି ନୁହେଁ । ପ୍ରତିଟି ବିକଶିତ ଦେଶ, ତାଙ୍କର ଐତିହ୍ୟ, ତାଙ୍କର ପୁରୁଣା ଘର, ପୁରୁଣା ଚିଜକୁ ସାଇତି ରଖିଛନ୍ତି । ତାକୁ ହିଁ ସଜାଡ଼ି ରଖୁଛନ୍ତି । ଯାହା ଲୋକଙ୍କୁ ଆକୃଷ୍ଟ କରୁଛି । ଲୋକେ ନିଜର ଇତିହାସ ସେଇଠୁ କଳ୍ପନା କରୁଛନ୍ତି ।

କିନ୍ତୁ ଆମେ ଭାଙ୍ଗିବାରେ ମାତିଛନ୍ତି । କଣ ନା- ନୂଆ ରୂପ ଦିଆଯିବ । ନୂଆ ରୂପ କିନ୍ତୁ କାହା ବଦଳରେ? କାହାକୁ ବିନାଶ କରି ଆମେ ନୂଆ ରୂପ ପାଇବୁ? କେଉଁଟି ଆମ ପରିଚୟ ହେବ, ନୂଆ ନା ପୁରୁଣା?

ଆମେ ସେ ଦିଗରେ ଧ୍ୟାନ ଦେଉନା । ଇତିହାସ ଓ ସଂସ୍କୃତି ଓ ଐତିହ୍ୟ ପ୍ରତି ବିମୁଖ ଏକ ପୀଢି ପୃଥିବୀ ପିଠିରେ ରହୁଛନ୍ତି । ଯାହାର ଫାଇଦା ଆମ ବାବୁମାନେ ଉଠାଉଛନ୍ତି । ସେମାନେ ଭାଙ୍ଗିରୁଜି ସାଫ୍‍ କରି ଦେଉଛନ୍ତି । ନୂଆ ବଡ଼ ବଡ଼ ଘର ଦେଖି ଆମ ଆଖି ତୋରା ହୋଇ ଯାଉଛି । ଆଉ ଆମେ ପୁରୁଣାକୁ ପାଶୋରି ଦେଉଛନ୍ତି ।

ସେମିତି କଟକ କଥା ବି ନିଅନ୍ତୁ । ମହାନଦୀ ଓ କଟକ ଏକ ଓ ଅଭିନ୍ନ । କିନ୍ତୁ ମହାନଦୀ ପୋତା ଚାଲିଛି । ନଦୀ ଗର୍ଭ ବାଲିରେ ପୋତା ସରିଲାଣି । ବାଲିଯାତ୍ରା ପଡ଼ିଆ, ହାଡ଼ିଆପଠା ସବୁ ପୋତା ହୋଇ ଗଲାଣି । କିନ୍ତୁ କଟକରେ କେହି ପ୍ରତିବାଦ କରୁ ନାହାନ୍ତି । ବଡ଼ ସ୍ୱାର୍ଥପର ଜାତି ପୃଥିବୀ ପିଠିରେ ରହୁଛି । ସେମାନେ ହୁଏତ ଭାବୁଛନ୍ତି- ଏ ନଦୀ ପୋତି ହୋଇଗଲେ, ନୂଆ ଜାଗା ବାହାରିବ । ସେଥିରୁ ଆମକୁ ଖଣ୍ଡେ ମିଳିବ ।

ନଦୀ ଓ ସଭ୍ୟତାର ସଂପର୍କ ଏ ପୃଥିବୀ ଯୁଗ ଯୁଗ ଧରି ଦେଖି ଆସିଛି । ନଦୀ ମରିଗଲେ, ସଭ୍ୟତା ବି ମରିଯିବ । ଆମେ ତ ନଦୀକୁ ଜବରଦସ୍ତ ପୋତୁଛୁ, ଅଣନିଶ୍ୱାସୀ କରି ମାରି ଦେଉଛୁ । ନଦୀ ମରିଗଲେ, ସଭ୍ୟତା କେତେ ଦିନ ଜୀଇଁବ ଯେ!