Latest Odisha News

BREAKING NEWS

ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ କାଣ୍ଡ: ରାକେଶଙ୍କୁ ବାଡ଼େଇଲା କିଏ? ଥାନାରୁ ହସ୍ପିଟାଲ ପର୍ଯ୍ୟନ୍ତ ବଢ଼ୁଛି ରହସ୍ୟ

ଭୁବନେଶ୍ୱର: କଟକ ଜିଲ୍ଲା ବାରଙ୍ଗ ଥାନା ପୋଲିସ ନାଁରେ ଏବେ ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଦିନକୁ ଦିନ ବିବାଦ ଘନୀଭୂତ ହେବାରେ ଲାଗିଛି।

ଗ୍ରାମବାସୀଙ୍କ ଅଭିଯୋଗ, ପ୍ରକୃତ ତଦନ୍ତ ଆରମ୍ଭ ହେବା ପୂର୍ବରୁ କଟକ ଡିସିପି କେମିତି ଘୋଷଣା କରିଦେଲେ ଯେ ଥାର୍ଡ ଡିଗ୍ରୀ ହୋଇନାହିଁ? ତଦନ୍ତ ସରିବା ପୂର୍ବରୁ ଏଭଳି ବୟାନ କାହିଁକି? ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ବଢ଼ୁଛି।

ଗ୍ରାମବାସୀଙ୍କ ଦାବି, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଥାନା ଏବଂ ଆଖପାଖ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ୍ ସାର୍ବଜନୀନ କରାଯାଉ। ଏହା ସହିତ ପୋଲିସ ଓ ଡାକ୍ତରୀ ଟିମ୍ ମିଳିତ ଭାବେ ଏକ ପ୍ରେସ୍‌ମିଟ୍ କରି ରାକେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଲୋକଙ୍କ ସାମ୍ନାରେ ରଖନ୍ତୁ।

ଏବେ ସବୁଠାରୁ ବଡ଼ ପ୍ରଶ୍ନ, ରାକେଶଙ୍କ ପରିବାର ସତ କହୁଛନ୍ତି, ନା ପୋଲିସ? ଆଉ ଏହି ସମଗ୍ର ଘଟଣାରେ ବିକ୍ରମ ସେନାପତିଙ୍କ ଭୂମିକା କଣ?

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯଦି ପୋଲିସ ରାକେଶଙ୍କୁ ମାଡ଼ ମାରିନାହିଁ, ତେବେ ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ଆସିଲା କୁଆଡୁ? ପରିବାର ଓ ଗ୍ରାମବାସୀଙ୍କ ଦାବି, ରାକେଶଙ୍କୁ ଥାନା ଭିତରେ ଏବଂ ପରେ ଜଙ୍ଗଲ ଅଞ୍ଚଳକୁ ନେଇ ନିର୍ମମ ଭାବେ ପିଟାଯାଇଛି। ଯଦି ଏହି ଅଭିଯୋଗ ଭୁଲ, ତେବେ ତାହାର ପ୍ରମାଣ ସାମ୍ନାକୁ ଆଣିବା ଦାୟିତ୍ୱ ପୋଲିସର ବୋଲି କହୁଛନ୍ତି ସ୍ଥାନୀୟ ଲୋକ।

ଘଟଣାର ଆଉ ଏକ ରହସ୍ୟମୟ ଦିଗ ହେଉଛି ରାକେଶଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା। ଥାନା ହାଜତରୁ ସିଧା ନଖରାସ୍ଥିତ ଏକ ଘରୋଇ ହସ୍ପିଟାଲକୁ ରାକେଶ କେମିତି ପହଞ୍ଚିଲେ? ତାଙ୍କୁ କିଏ ସେଠାରେ ଭର୍ତ୍ତି କଲା? କାହିଁକି କଲା?

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, “ବିକ୍ରମ ସେନାପତି” ନାମକ ଜଣେ ବ୍ୟକ୍ତି ରାକେଶଙ୍କୁ ହସ୍ପିଟାଲରେ ଆଡମିଟ୍ କରାଇଥିଲେ। ଏବେ ପ୍ରଶ୍ନ ଉଠୁଛି, କିଏ ଏହି ବିକ୍ରମ ସେନାପତି? ରାକେଶଙ୍କ ସହ ତାଙ୍କର କଣ ସମ୍ପର୍କ? ବାରଙ୍ଗ ପୋଲିସ ସହ ତାଙ୍କର କୌଣସି ସମ୍ପର୍କ ଅଛି କି? ନା ଏହି ଘଟଣାର କୌଣସି ଗୁରୁତ୍ୱପୂର୍ଣ୍ଣ ସୂତ୍ର ଲୁଚି ରହିଛି ତାଙ୍କ ପାଖରେ?

ପରିବାର ଲୋକଙ୍କ କହିବା ଅନୁଯାୟୀ ପୋଲିସ ଏକ ମାମଲାରେ ପଚରାଉଚରା କରିବା ବାହାନାରେ ଯୁବକଙ୍କୁ ଥାନାକୁ ଉଠାଇ ନେଇଥିଲା। ସେଠାରେ ତାଙ୍କୁ ବିନା କାରଣରେ ନିସ୍ତୁକ ମାଡ଼ ମରାଯାଇଛି। ପୋଲିସର ବର୍ବର ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ଅବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୋଷ ନଥାଇ ପୋଲିସ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ପରିବାର ଲୋକେ ଦାବି କରି ନ୍ୟାୟ ଭିକ୍ଷା କରିଛନ୍ତି। ସେମାନଙ୍କ କହିବା କଥା, ହସ୍ପିଟାଲରେ ରାକେଶଙ୍କୁ ଦେଖିବା ପାଇଁ ତାଙ୍କ ବୃଦ୍ଧ ବାପାଙ୍କୁ ଛାଡ଼ି ପରିବାରର ଅନ୍ୟ କାହାକୁ ଅନୁମତି ଦିଆଯାଉ ନାହିଁ। ଏହା ପଛର କାରଣ କଣ? ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଅନ୍ୟପଟେ ବାରଙ୍ଗ ପୋଲିସ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ଯୁବକଙ୍କୁ କୌଣସି ପ୍ରକାର ଥାର୍ଡ ଡିଗ୍ରୀ ଦିଆଯାଇ ନାହିଁ। ଏକ ନିର୍ଦ୍ଦିଷ୍ଟ ଅପରାଧିକ ମାମଲାରେ ସମ୍ପୃକ୍ତି ସନ୍ଦେହରେ ତାଙ୍କୁ କେବଳ ପଚରାଉଚରା କରାଯାଉଥିଲା। ପୋଲିସର ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ଏବଂ ବିଭାଗକୁ ବଦନାମ କରିବା ପାଇଁ ଏଭଳି ମିଥ୍ୟା ଅଭିଯୋଗ ଅଣାଯାଉଥିବା ପୋଲିସ ଅଧିକାରୀ ସ୍ପଷ୍ଟ କରିଛନ୍ତି।

ପୋଲିସ ଏବଂ ପରିବାର ଲୋକଙ୍କ ଏଭଳି ପରସ୍ପର ବିରୋଧୀ ବୟାନ ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି। ପ୍ରକୃତରେ ଥାନା ଭିତରେ କଣ ଘଟିଥିଲା ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ଏହି ଘଟଣାରେ ହସ୍ତକ୍ଷେପ କରି ଏକ ନିରପେକ୍ଷ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.