ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ପିଲାଚୋରି ଘଟଣା ବୃଦ୍ଧି ପାଇଥିବା ବେଳେ ମଧ୍ୟ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଏହା ସ୍ଥିତି ଅତ୍ୟନ୍ତ ଭୟାନକ । ଯାହାକୁ ନେଇ ଆଜି ଚିନ୍ତା ପ୍ରକଟ କରି ୟୁପି ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ । କହିଛନ୍ତି, ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଏଥିସହିତ ଯେଉଁ ହସ୍ପିଟାଲରୁ ନବଜାତ ଶିଶୁ ଚୋରି ହେଉଛି, ଆଗ ସେହି ହସ୍ପିଟାଲର ଲାଇସେନ୍ସ ବାତିଲ କରାଯିବା ଉଚିତ ।
ବାରାଣସୀ ଏବଂ ଆଖପାଖର ଡାକ୍ତରଖାନାଗୁଡ଼ିକରେ ଶିଶୁ ଚୋରି ମାମଲାରେ ଅଭିଯୁକ୍ତମାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଗତବର୍ଷ ଜାମିନ ପ୍ରଦାନ କରିବା ମାମଲାରେ ଶୁଣାଣି କରି ଜଷ୍ଟିସ୍ ଜେବି ପାରଦିଓ୍ବାଲା ଏବଂ ଆର୍ ମହାଦେବନଙ୍କ ଏକ ଖଣ୍ଡପୀଠ ଆହ୍ଲାବାଦ କୋର୍ଟ ଉପରେ ବର୍ଷିବା ସହ ୟୁପି ସରକାରଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି । ଯାହାକୁ ନେଇ ଚୋରି ହୋଇଥିବା ଶିଶୁମାନଙ୍କ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏହି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କ ଜାମିନକୁ ବାତିଲ କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, ଏହା ଏକ ଦେଶବ୍ୟାପୀ ଗ୍ୟାଙ୍ଗ ଥିଲା । ଏହି ଗ୍ୟାଙ୍ଗ ଚୋରି କରିଥିବା ପିଲାମାନଙ୍କୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଏପରିକି ରାଜସ୍ଥାନରୁ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଅଭିଯୁକ୍ତମାନେ ସମାଜ ପାଇଁ ବିପଦ । ସେମାନଙ୍କୁ ଜାମିନ ଦେବା ହାଇକୋର୍ଟର ଅସାବଧାନ ମନୋଭାବକୁ ଦର୍ଶାଉଛି ବୋଲି ହାଇକୋର୍ଟ ଉପରେ ବର୍ଷିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହାବ୍ୟତୀତ ସମସ୍ତ ହାଇକୋର୍ଟକୁ ଶିଶୁ ଚାଲାଣ ମାମଲାଗୁଡ଼ିକର ବିବରଣୀ ନେବାକ ସହିତ ୬ ମାସ ମଧ୍ୟରେ ସେଗୁଡ଼ିକର ସମାଧାନ କରିବାକୁ ଟ୍ରାଏଲ୍ କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ ।
ଏଥିସହିତ ଜାମିନ ଆଦେଶକୁ ଚ୍ୟାଲେଞ୍ଜ ନକରିବା ପାଇଁ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । କହିଛନ୍ତି, ଆମେ ସମ୍ପୂର୍ଣ୍ଣ ନିରାଶ ଯେ କାହିଁକି ସରକାରଙ୍କ ପକ୍ଷରୁ ଏନେଇ କୌଣସି ଆବେଦନ କରାଯାଇ ନଥିଲା? ଏଭଳି ଘଟଣାରେ କୌଣସି ଗମ୍ଭୀରତା ଦେଖାଯାଇ ନଥିଲା କାହିଁକି ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏଥିସହିତ ସରକାରଙ୍କୁ ତାଗିଦ୍ କରି ଶିଶୁ ଚାଲାଣ ମାମଲାଗୁଡ଼ିକରେ ଗିରଫଦାରୀ ନେଇ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଯଦି କୌଣସି ନବଜାତ ଚୋରି ହୁଏ, ତେବେ ହସ୍ପିଟାଲଗୁଡ଼ିକର ଲାଇସେନ୍ସ ଆାଗ ବାତିଲ କରାଯିବା ଉଚିତ ବୋଲି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କହିଛନ୍ତି, ଯଦି କୌଣସି ନବଜାତ ଶିଶୁକୁ ହସ୍ପିଟାଲରୁ ଚାଲାଣ କରାଯାଏ, ତେବେ ପ୍ରଥମ ପଦକ୍ଷେପ ହେଉଛି ଏପରି ହସ୍ପିଟାଲଗୁଡ଼ିକର ଲାଇସେନ୍ସ ବାତିଲ କରାଯିବା ଉଚିତ । ଯଦି କୌଣସି ମହିଳା ହସ୍ପିଟାଲକୁ ଶିଶୁ ପ୍ରସବ କରିବାକୁ ଆସନ୍ତି ଏବଂ ଶିଶୁ ଚୋରି ହୋଇଯାଏ, ତେବେ ଉକ୍ତି ହସ୍ବିଟାଲର ଲାଇସେନ୍ସ ବାତିଲ୍ କରାଯାଉ । ଏହା କିଛି ପରିମାଣରେ ପିଲା ଚୋରି ଘଟଣାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି କୋର୍ଟ । ଆହୁରି ମଧ୍ୟ କୋର୍ଟ ସମସ୍ତ ପିତାମାତାଙ୍କୁ ହସ୍ପିଟାଲରେ ନବଜାତ ଶିଶୁଙ୍କ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ।
କୋର୍ଟ ଆହୁରି ମଧ୍ୟ ଚେତାଇ ଦେଇଛନ୍ତି ଯେ, ଯଦି ଆପଣ ନିଃସନ୍ତାନ, ତେବେ ଅନ୍ୟ କାହାର ସନ୍ତାନ କିଣିବା ଭୁଲ୍ । ଯଦି କୌଣସି ପିତାମାତାଙ୍କ ନବଜାତ ଶିଶୁର ମୃତ୍ୟୁ ହୁଏ, ତେବେ ସେମାନେ ଦୁଃଖ ଅନୁଭବ କରନ୍ତି । ସେମାନେ ଭାବନ୍ତି ଯେ ପିଲାଟି ଭଗବାନଙ୍କ ପାଖକୁ ଫେରିଯାଇଛି, କିନ୍ତୁ ଯଦି ସେମାନଙ୍କର ନବଜାତ ପିଲାଟି ଚୋରି ହୋଇଯାଏ, ତେବେ ସେମାନଙ୍କର ଦୁଃଖ କଳ୍ପନା କରାଯାଇପାରିବ ନାହିଁ, କାରଣ ବର୍ତ୍ତମାନ ସେମାନଙ୍କ ପିଲାଟି ଥାଇ କି ମଧ୍ୟ ଏକ ଅଜଣା ସ୍ଥାନରେ ରହିଛି । ତେଣୁ ଏଭଳି ପିଲା ଚୋରି ଗ୍ୟାଙ୍ଗରୁ ପିଲା କିଣୁଥିବା ଲୋକଙ୍କ ଜାମିନ ମଧ୍ୟ ସୁପ୍ରିମକୋର୍ଟ ବାତିଲ କରିଛନ୍ତି ।
Comments are closed.