Latest Odisha News

BREAKING NEWS

୬ ଜଣ ଯୁବକ ଆରମ୍ଭ କରିଥିଲେ ଶ୍ରୀଲଙ୍କାର ମହା ଆନ୍ଦୋଳନ

କଲମ୍ବୋ: ଆର୍ଥୀକ ସଙ୍କଟ ବିପକ୍ଷରେ ଶ୍ରୀଲଙ୍କାରେ ଜନ ସାଧାରଣ ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ, ରାଜପାକ୍ଷେ ସରକାରର ପତନ ଘଟିଥିଲା । ମାଗଣାର ପ୍ରଲୋଭନ ଦେଖାଇ କ୍ଷମତା ହାତେଇଥିବା ରାଜପାକ୍ଷେ ସରକାରଙ୍କ ନୀତି ଦେଶକୁ କାଙ୍ଗାଳ କରି ଦେଇଥିଲା । ତେବେ ଏହି ଚର୍ଚ୍ଚିତ ଆନ୍ଦୋଳନ ଆରମ୍ଭ କରିଥିଲେ ଶ୍ରୀଲଙ୍କାର ୬ ଯୁବକ । କେହି କେବେ ଭାବି ନ ଥିଲେ ଯେ, ରାଜପାକ୍ଷେ ସରକାର ଏମାନଙ୍କ ଲାଗି ଭାଙ୍ଗିଯିବ । ମାର୍ଚ୍ଚ ୧ରେ ଦରବୃଦ୍ଧି, ବିଦ୍ୟୁତ କାଟ ଏବଂ ଅନ୍ୟ ଅସୁବିଧା ନେଇ କୋହୁବାଲରେ ୬ଜଣ ଯୁବକ ହାତରେ କ୍ୟାଣ୍ଡେଲ ଓ ସ୍ଲୋଗାନ ଲେଖା ଥିବା କାଗଜ ଧରି ଆନ୍ଦୋଳନର ସୂତ୍ରପାତ କରିଥିଲେ । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ନେଇ ସେମାନେ ଦାବୀ କରିଥିଲେ ।

ଦ୍ୱିତୀୟ ଦିନ ସେମାନଙ୍କ ସହ ୫୦ ପାଖାପାଖି ବ୍ୟକ୍ତି ଆନ୍ଦୋଳନରେ ଯୋଗ ଦେଇଥିଲେ । ଧିରେ ଧିରେ ଏହି ସଂଖ୍ୟା ବଢ଼ିବାରେ ଲାଗିଥିଲା । ପ୍ରଥମେ ରାଜପାକ୍ଷେ ସରକାର ଏହାକୁ ଏତେଟା ଗୁରୁତ୍ୱ ଦେଉ ନ ଥିଲେ ମାତ୍ର ଜନ ସାଧାରଣଙ୍କ ସମର୍ଥନ ତାଙ୍କୁ ଚିନ୍ତାରେ ପକାଇଥିଲା । ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଚରମପନ୍ଥୀ ଭାବେ ଘୋଷଣା କରାଯାଇଥିଲା । ମାର୍ଚ୍ଚର ଶେଷ ଭାଗରେ କଲମ୍ବୋର ବିହାର-ମହାଦେବୀ ନିକଟରେ ଯୋଗ ଦେବା ପାଇଁ ସେମାନେ ଆହ୍ୱାନ କରିଥିଲେ । ବୁଦ୍ଧି ପ୍ରବୋଧ କରୁଣାରତ୍ନେଙ୍କ ଭାଷଣ ଲୋକଙ୍କୁ ପ୍ରଭାବିତ କରିଥିଲା, ଆଉ ସେ ଆନ୍ଦୋଳନକାରୀଙ୍କ ନେତା ପାଲଟି ଯାଇଥିଲେ । ସରକାରଙ୍କ ପକ୍ଷରୁ ଏହା ମଧ୍ୟରେ ଆନ୍ଦୋଳନକୁ ଦମନ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲା ମାତ୍ର…. ସବୁ କିଛି ବିଫଳ ହୋଇଥିଲା ।

୧ ଏପ୍ରିଲରେ ଦେଶର ସମସ୍ତ ରାଜନୈତିକ ଦଳଙ୍କୁ ଏକତ୍ର ହେବା ପାଇଁ ଅନୁରୋଧ କରାଯାଇଥିଲା । ଏପରିକି ବୌଦ୍ଧ ଭିକ୍ଷୁମାନେ ମଧ୍ୟ ସେମାନଙ୍କୁ ସମର୍ଥନ ଯୋଗାଇ ଥିଲେ । ଶେଷରେ ରାଜପାକ୍ଷେ ଦେଶ ଛାଡି ପଳାୟନ କରିବାକୁ ବାଧ୍ୟ ହେଲେ । ଶ୍ରୀଲଙ୍କାରେ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଖୁବ ଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.