ନୂଆଦିଲ୍ଲୀ: ହ୍ବାଇଟ୍ ହାଉସର ସିଚୁଏସନ୍ ରୁମରେ ବସି ସାରା ବିଶ୍ବ ଉପରେ ନଜର ରଖନ୍ତି ଆମେରିକା ରାଷ୍ଟ୍ରପତି । ଏଇଠି ପହଞ୍ଚେ ସାରା ଦୁନିଆର ଗୁଇନ୍ଦା ସୂଚନା । ଆତଙ୍କବାଦୀ ଆକ୍ରମଣ ହେଉ କି ଯୁଦ୍ଧ, ସୂଚନା ମିଳିବା ମାତ୍ରେ ଏଠାରୁ ନିଆଯାଏ ନିଷ୍ପତ୍ତି । ଓସାମା ବିନ ଲାଦେନକୁ ମାରିବାକୁ ଯୋଜନା ବି ଏଇଠାରେ ହିଁ କରାଯାଇଥିଲା । ଏଠି ବସି ତତ୍କାଳୀନ ରାଷ୍ଟ୍ରପତିଙ୍କ ସମେତ ବରିଷ୍ଠ ଅଧିକାରୀ ଅପରେସନ୍ ନେପଚୁନ୍ ସ୍ପିୟରର ରିୟଲ ଟାଇମ ଅପଡେଟ୍ ନେଇଥିଲେ । ୫ହଜାର ସ୍କୋୟାର ଫୁଟର ଜାଗାରେ ରହିଛି ସିଚୁଏସନ୍ ରୁମ । ଏଠାରେ ଓ୍ବାଚ୍ ଷ୍ଟେସନଠାରୁ ଆରମ୍ଭ କରି କନଫରେନ୍ସ ରୁମ୍ ମଧ୍ୟ ରହିଛି । ଏହା ଏକପ୍ରକାରର ଓ୍ବାରରୁମ୍, ଯେଉଁଠାରେ ବଡ଼ ବଡ଼ ନିଷ୍ପତ୍ତି ନିଆଯାଏ ।
କାହିଁକି କରାଯାଇଥିଲା ସିଚୁଏସନ୍ ରୁମ?
୧୯୮୯ରେ ଆମେରିକା ଓ ସ୍ପେନ୍ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ସିଚୁଏସନ୍ ରୁମର ଆବଶ୍ୟକତା ଅନୁଭୁତ ହୋଇଥିଲା । ପରେ ୧୯୬୧ରେ ଯେତେବେଳେ କ୍ୟୁବା ସହ ଆମେରିକାର ସଂଘର୍ଷ ଚାଲିଥିଲା ସେତେବେଳେ ଏହାକୁ ଆକାର ମିଳିଲା । କ୍ୟୁବା ଉପରେ ଆକ୍ରମଣ କରି ମାତ୍ ଖାଇଥିଲା ଆମେରିକା । ଆମେରିକା ପାଖରେ ଶକ୍ତ ଗୁଇନ୍ଦା ବ୍ୟବସ୍ଥା ଥିଲେ ଏଭଳି ହୋଇନଥାନ୍ତା ବୋଲି ତତ୍କାଳୀନ ରାଷ୍ଟ୍ରପତି ଜନ୍ ଏଫ କେନେଡି ମାନିଥିଲେ । ଏହାପରେ ହ୍ବାଇଟ ହାଉସରୁ ସବୁ ସମୟରେ ପୂରା ବିଶ୍ବ ଉପରେ ନଜର ରଖିବାକୁ ସିଚୁଏସନ୍ ରୁମ ବନାଇବାକୁ ଯୋଜନା କରାଗଲା ।
କେମିତି ଚାଲେ ସିଚୁଏସନ୍ ରୁମ୍?
ସିଚୁଏସନ୍ ରୁମରେ ପ୍ରାୟ ୧୩୦ଜଣ ଲୋକ ବିଶ୍ବର ବିଭିନ୍ନ ଅଂଶକୁ ମନିଟର କରନ୍ତି । ଏଠାରେ ୫ଟି ଓ୍ବାଚ୍ ଟିମ ରହିଛି । ସେମାନେ ୨୪ଘଣ୍ଟିଆ ସିଫଟରେ ପୂରା ଦୁନିଆରେ ଚାଲିଥିବା ହଲଚଲ ଉପରେ ନଜର ରଖନ୍ତି । ସେହିପରି ଏକ ଟ୍ରାଭେଲ୍ ସପୋର୍ଟ ଟିମ୍ ରହିଛି । ରାଷ୍ଟ୍ରପତି କିମ୍ବା ଅନ୍ୟ କୌଣସି ଭିଆଇପି କେଉଁଆଡେ ଗଲେ ସେମାନଙ୍କ ସୁରକ୍ଷିତ ରୁଟ୍, ଗୁଇନ୍ଦା ସୂଚନା ଓ ସତର୍କତା ଏହି ଟିମ୍ ଦ୍ବାରା ପରିଚାଳନା କରାଯାଏ । ସେହିପରି କମ୍ୟୁନିକେସନ୍ ଟିମ୍ ମଧ୍ୟ ରହିଛି । ଦକ୍ଷ ଅଧିକାରୀଙ୍କୁ ହିଁ ସିଚୁଏସନ୍ ରୁମରେ ନିୟୋଜିତ କରାଯାଏ । ଦୁନିଆର ଯେକୌଣସି କୋଣରେ ଆକ୍ରମଣ, କ୍ଷମତା ପରିବର୍ତ୍ତନ, ମିସାଇଲ୍ ଲଞ୍ଚ କିମ୍ବା ପ୍ରାକୃତିକ ବିପର୍ଯ୍ୟସ୍ତ ହେଲେ ଏମାନେ ଟପ୍ ଅଧିକାରୀଙ୍କୁ ଜଣାଇବା ସହ ପଦକ୍ଷେପ ନେଇ ବି ପ୍ରସ୍ତାବ ଦିଅନ୍ତି ।
କେତେ ସୁରକ୍ଷିତ ସିଚୁଏସନ୍ ରୁମ?
ସିଚୁଏସନ୍ ରୁମର କ୍ୟାମ୍ପସ୍ ହ୍ବାଇଟ୍ ହାଉସରେ ଅଣ୍ଡଗ୍ରାଉଣ୍ଡ ହୋଇ ରହିଛି । ପରମାଣୁ ଆକ୍ରମଣ ଭଳି ସ୍ଥିତି ହେଲେ ମଧ୍ୟ ସୁରକ୍ଷିତ ରହିପାରିବ ସିଚୁଏସନ୍ ରୁମ । ଏହାର କାନ୍ଥ, କବାଟ, ଟେକ୍ନୋଲୋଜି ସବୁ ଇଲୋକ୍ଟ୍ରୋମାଗନେଟିକ୍ ଇଣ୍ଟରଫରେନ୍ସ ପ୍ରୁଫ୍ । ଅର୍ଥାତ ଏଠାକାର ସେଟଅପ୍ ଏମିତି ଯେ, ବାହାରୁ କୌଣସି ଇଲୋକ୍ଟ୍ରୋମାଗନେଟିକ୍ ଓ୍ବେବ୍ ଭିତରକୁ ପ୍ରବେଶ କରିପାରିବନି । ପ୍ରତିଦିନ ସିଚୁଏସନ୍ ରୁମରେ ମର୍ଣ୍ଣିଂ ବୁକ୍ ପ୍ରସ୍ତୁତ କରାଯାଏ । ଏଥିରେ ବିଶ୍ବରେ ଚାଲିଥିବା ଘଟଣା ସହ ଆଗକୁ ହେବାକୁ ଥିବା ଘଟଣା ନେଇ ସୂଚନା ଦିଆଯାଏ । ଏହି ବ୍ରିଫିଂରୁ ରାଷ୍ଟ୍ରପତି କେଉଁ ଦେଶର ନେତାଙ୍କୁ କଲ୍ କରିବେ, କୌଣସି ଓ୍ବାର୍ଣିଂ ଦେବେ କି , କୌଣସି ଅପରେସନ୍ ପ୍ଲାନ୍ କରାଯିବ କି, ନିଷ୍ପତ୍ତି ନିଆଯାଏ ।
ବଡ଼ ଅପରେସନ୍ ନେଇ ଏଇଠୁ ନିଷ୍ପତ୍ତି
ଓସାମା ବିନ୍ ଲାଦେନକୁ ମାରିବାକୁ ଏଇଠୁ ହିଁ ଅପରେସନ୍ ଚାଲିଥିଲା । ଆମେରିକାର ସ୍ପେଶାଲ ଫୋର୍ସ ସିଲ୍ ଟିମ୍-୬ ମିଶନରେ ଯାଇଥିଲା । ତତ୍କାଳୀନ ରାଷ୍ଟ୍ରପତି ଓବାମାଙ୍କ ସହ ବରିଷ୍ଠ ଅଧିକାରୀ ସିଚୁଏସନ୍ ରୁମରୁ ଅପରେସନର ଲାଇଭ୍ ମନିଟରିଂ କରିଥିଲେ । ପ୍ରାୟ ୪୦ମିନିଟର ଏହି ଅପରେସନର ପ୍ରତି ମିନିଟର ସୂଚନା ଆମେରିକା ନେତୃତ୍ବଙ୍କ ପାଖରେ ପହଞ୍ଚିଥିଲା । ସେହିପରି ୯/୧୧ ଆକ୍ରମଣ ପରେ ପ୍ରଥମ ଏମର୍ଜେନ୍ସି ବୈଠକ ଏଠାରେ ହୋଇଥିଲା । ଏହାଛଡା ଇରାକ ଯୁଦ୍ଧଠାରୁ ଆରମ୍ଭ କରି ଇରାନ ପରମାଣୁ ବୁଝାମଣା ରଣନୀତି ପର୍ଯ୍ୟନ୍ତ ଏଠାରେ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୨ଦଶକ ପରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ନିଷ୍ପତ୍ତି ବି ସିଚୁଏସନ୍ ରୁମରୁ ହିଁ ନିଆଯାଇଥିଲା ।
Comments are closed.