ନୂଆଦିଲ୍ଲୀ: କରୋନା କାଳରେ ମୃତ୍ୟୁର ତାଣ୍ଡବକୁ ହୁଏତ ଏତେ ସହଜରେ ଭୁଲି ହେବ ନାହିଁ। କିନ୍ତୁ ଆଜିବି ବିଭିନ୍ନ ଦେଶରେ କରୋନା ଭୂତାଣୁ ବ୍ୟାପୁଛି ଏବଂ ଏହାର ଚିକିତ୍ସା ମଧ୍ୟ ଜାରି ରହିଛି। ଏହି ଭୂତାଣୁ ପାଇଁ ଟିକା ଆସିଛି ସତ କିନ୍ତୁ ଅନେକ କ୍ଷେତ୍ରରେ ଟିକା ନେବା ମାତ୍ରେ ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏପରିକି କରୋନା ପାଇଁ ଔଷଧ ସେବନ କଲେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି। ଏମିତି ଏକ ଘଟଣା ଥାଇଲ୍ୟାଣ୍ଡରେ ଘଟିଛି। ଏକ ଛଅ ମାସର ଶିଶୁ କରୋନା ପାଇଁ ଚିକିତ୍ସା ହେବା ପରେ ଆଖିରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଛି। ଶିଶୁଟିର ଆଖି ନୀଳ ପଡିଯାଇଛି। ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର।
ସୂଚନା ଅନୁସାରେ, ୬ ମାସର ଶିଶୁ କିଛି ଦିନ ତଳେ ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ଥିଲା। ପରୀକ୍ଷା କରିବା ପରେ ଜଣାଗଲା ଯେ ଶିଶୁଟିକୁ କରୋନା ହୋଇଛି। ଏହାପରେ ଶିଶୁର ଚିକିତ୍ସା ଆରମ୍ଭ ହେଲା। ସେଠାରେ ଡାକ୍ତର ଔଷଧ ମାଧ୍ୟମରେ ଶିଶୁକୁ ଚିକିତ୍ସା କଲେ। ତିନି ଦିନ ଧରି ଶିଶୁକୁ ଫେଭିପିରାଭିର ନାମକ ଔଷଧ ଦିଆଗଲା। ଚିକିତ୍ସା ମାଧ୍ୟମରେ ଶିଶୁର ଦେହ ତ ସୁସ୍ଥ ହୋଇଗଲା, କିନ୍ତୁ ଔଷଧ ସେବନ କରିବାର ୧୮ ଘଣ୍ଟା ପରେ ଶିଶୁର ଆଖି ରଙ୍ଗ ପରିବର୍ତ୍ତନ ହୋଇଗଲା। ଗାଢ଼ ବାଦାମୀ ରଙ୍ଗର ଆଖି ଟି ନୀଳ ପଡିଗଲା। ଏହା ଦେଖି ଡାକ୍ତରମାନେ ଶିଶୁକୁ ଔଷଧ ଦେବା ବନ୍ଦ କରିଦେଲେ।
ଔଷଧ ବନ୍ଦ କରିବାର ପାଞ୍ଚ ଦିନ ପରେ ଆଖି ରଙ୍ଗ ପୁଣିଥରେ ପୂର୍ବପରି ଫେରିଆସିଲା। ଏହି ଔଷଧ ସେବନ କରିବା ପରେ ଶିଶୁର ଚର୍ମ, ନଖ, ନାକ ଏବଂ ଶରୀରର କୌଣସି ଅଙ୍ଗର ରଙ୍ଗ ପରିବର୍ତ୍ତନ ହୋଇନଥିଲା। କେବଳ ଆଖିରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲା। ସୂଚନା ଥାଉକି ଏଥିପୂର୍ବରୁ ୨୦୨୧ ମସିହାରେ ଜଣେ ବ୍ୟକ୍ତି ସେହି ସମାନ ଫେଭିପିରାଭିର ନାମକ ଔଷଧ ସେବନ କରିବା ପରେ ଅଭିଯୋଗ କରିଥିଲେ ଯେ ତାଙ୍କ ଆଖି ମଧ୍ୟ ନୀଳ ରଙ୍ଗ ହୋଇଥିଲା। ଔଷଧ ବନ୍ଦ କରିବା ପରେ ଆଖି ରଙ୍ଗ ପୁଣି ପୂର୍ବାବସ୍ଥାକୁ ଫେରି ଆସିଥିଲା।
Comments are closed.