Latest Odisha News

BREAKING NEWS

ଆପାର୍ଟମେଣ୍ଟରୁ କେମିତି ହେଉଥିଲା ଲୁଟ୍, ଲୁଟେରାଙ୍କୁ ଧରି ପୋଲିସ କରୁଛି ଜେରା

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଆପାର୍ଟମେଣ୍ଟରୁ ଏକାଧିକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ରୁପା ଅଳଙ୍କାର, ସୁନା ଅଳଙ୍କାର, ୪ଟି ମୋଟରସାଇକେଲ, ୮ଟି ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ସ୍ପେଶାଲ ପୁଲିସ। ପୁଲିସ କମିସନର ସଞ୍ଜୀବ ପଣ୍ଡା ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗିରିଶ ନାୟକ (ଦାଦା ନାମରେ ମଧ୍ୟ ଜଣାଶୁଣା) ଙ୍କ ନେତୃତ୍ୱରେ ଏହି ଗ୍ୟାଙ୍ଗ ବିରୋଧରେ ହତ୍ୟା ମାମଲା ରହିଛି। ନିକଟରେ ସହରର ମଞ୍ଚେଶ୍ୱରସ୍ଥିତ ଏକ ଆପାର୍ଟମେଣ୍ଟରେ ହୋଇଥିବା ଚୋରି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ପଚରାଉଚରାରୁ ଜଣାପଡ଼ିଛି। ଏହାବ୍ୟତୀତ ସେମାନେ ସ୍ପେସ୍ ଟାଉନ୍ କମ୍ପ୍ଲେକ୍ସରେ ଥିବା ୪ଟି ଫ୍ଲାଟ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଏହି ଅପରାଧୀମାନେ ରାଜଧାନୀର ଅନ୍ୟ ୬ଟି ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। କେବଳ ଓଡ଼ିଶା ନୁହେଁ, ଛତିଶଗଡ଼, ମୁମ୍ବାଇ ଓ ହାଇଦ୍ରାବାଦରେ ମଧ୍ୟ ଲୁଟ୍ ଘଟଣାରେ ଏମାନେ ସକ୍ରିୟ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ପାଇଁ ବାହାର ରାଜ୍ୟର ପୁଲିସ ସହ ଯୋଗାଯୋଗ କରିବ ବୋଲି କମିଶନରେଟ ପୋଲିସ କହିଛି।

ଏପରିକି ସୁଉଚ୍ଚ ପାଚେରି, ଜଗୁଆଳିଙ୍କ ପହରା ସହିତ ସିସିଟିଭି ଲାଗିଥିବା ବେଳେ କିପରି ଆପାର୍ଟମେଣ୍ଟରୁ ଲୁଟପାଟ କରୁଥିଲେ ତାର ତଦନ୍ତ କରିବାକୁ ଯାଇ କମିଶନରେଟ ପୋଲିସ ଅଭିଯୁକ୍ତ ଲୁଟେରାଙ୍କୁ ନେଇ ସିନ୍ ରିକ୍ରିଏସନ କରିବାକୁ ଯାଉଛି।

Leave A Reply

Your email address will not be published.