ନୂଆଦିଲ୍ଲୀ: କିପରି ବିଜେପି ଠାରୁ ଭିନ୍ନ କଂଗ୍ରେସ? ଶନିବାର ଆଇଆଇଟି ମାଡ୍ରାସରେ ଛାତ୍ରଛାତ୍ରୀଙ୍କ ସହ ଏକ ବାର୍ତ୍ତାଳପରେ ଏହା ଉପରେ ନିଜର ମତ ରଖିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ରାହୁଲ କହିଛନ୍ତି, ତାଙ୍କ ଦଳ ବିଶ୍ବାସ କରେ ଯେ, ସମ୍ବଳ ବଣ୍ଟନ ଅଧିକ ନ୍ୟାୟପୂର୍ଣ୍ଣ ହେବା ଉଚିତ୍ ଏବଂ ଅଭିବୃଦ୍ଧି ଆହୁରି ବ୍ୟାପକ ଓ ଅନ୍ତର୍ଭୁକ୍ତ ବି ହେବା ଦରକାର । କିନ୍ତୁ ବିଜେପି ଆକ୍ରମଣାତ୍ମକ ଅଭିବୃଦ୍ଧି ଆଉ ଟ୍ରିକଲ୍ ଡାଉନ୍ ପ୍ରକ୍ରିୟା ଉପରେ ବେଶୀ ଧ୍ୟାନ ଦେଉଛି ।
ଯେତେବେଳେ ଆଇଆଇଟି ମାଡ୍ରାସ ଛାତ୍ରଛାତ୍ରୀମାନେ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, କଂଗ୍ରେସ ଏବଂ ବିଜେପିର କାର୍ଯ୍ୟରେ ପାର୍ଥକ୍ୟ କ’ଣ? ଯାହାକୁ ନେଇ ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ଏବଂ ୟୁପିଏ ସମ୍ବଳର ଉଚିତ ବଣ୍ଟନ ଏବଂ ବ୍ୟାପକ ଓ ଅନ୍ତର୍ଭୂକ୍ତ ବିକାଶରେ ବିଶ୍ୱାସ କରନ୍ତି। ହେଲେ ବିକାଶ ଦୃଷ୍ଟିରୁ ବିଜେପି ଅଧିକ ଆକ୍ରମଣାତ୍ମକ। ବିଜେପି ଆର୍ଥିକ ଦୃଷ୍ଟିରୁ ‘ଟ୍ରିକଲ-ଡାଉନ୍’ ଉପରେ ବିଶ୍ୱାସ କରନ୍ତି। ରାହୁଲ ଆହୁରି ବି କହିଛନ୍ତି ଯେ, ସାମାଜିକ ସାମ୍ମୁଖ୍ୟକୁ ନେଇ ଆମେ ବିଶ୍ବାସ କରୁ ଯେ, ସମାଜ ଯେତେ ସୁସଙ୍ଗତ ହେବ, ଲୋକମାନେ ଯେତେ କମ୍ ଲଢେଇ କରିବେ, ଦେଶ ପାଇଁ ସେତେ ଭଲ ହେବ । ଆନ୍ତର୍ଜାତୀୟ ସମ୍ପର୍କ ସାମ୍ନାରେ, ଅନ୍ୟ ଦେଶ ସହ ଆମର ସମ୍ପର୍କକୁ ନେଇ କିଛି ପାର୍ଥକ୍ୟ ରହିପାରେ କିନ୍ତ ଦେଶ ଭିତରେ ଏହା ସମାନ ହେବା ଦରକାର ବୋଲି କଂଗ୍ରେସ ଭାବେ ।
ଏଥିସହିତ ରାହୁଲ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ବିଷୟ ଉପରେ ନିଜର ଦୃଷ୍ଟିକୋଣ ରଖି କହିଥିଲେ, ଯେ ସେ କିପରି ଶିକ୍ଷାକୁ ଆହୁରି ଉନ୍ନତ କରିବାକୁ ଚାହୁଁଛନ୍ତି.. ସେ ଛାତ୍ରମାନଙ୍କ ସହ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ। ଏଥିରେ ଦେଶର ଆର୍ଥିକ ନୀତି ଉପରେ ମଧ୍ୟ ଆଲୋଚନା କରିଥିଲେ । କଂଗ୍ରେସ ଅନୁଯାୟୀ ଉପଯୁକ୍ତ ବଣ୍ଟନ ଆବଶ୍ୟକ । ସମସ୍ତେ ବିକାଶର ଲାଭ ପାଉଥିବା ଦରକାର । ଯାହା ଅନ୍ତର୍ଭୂକ୍ତ ବିକାଶ । ଏହା ଗରିବ ଏବଂ ଦୁର୍ବଳ ବର୍ଗଙ୍କ ପାଇଁ ମଧ୍ୟ ଲାଭଦାୟକ । କଂଗ୍ରେସ ବିଶ୍ୱାସ କରେ ଯେ ଏହା ଦେଶରେ ଏକତା ଏବଂ ଭାଇଚାରା ବୃଦ୍ଧି କରିବାରେ ସହାୟକ ହେବ ।
ହେଲେ ବିଜେପିର ନଜର ଦ୍ରୁତ ବିକାଶ ଉପରେ ରହିଛି । ସେମାନେ ଟ୍ରିକଲ ଡାଉନ ଉପରେ ବେଶୀ ବିଶ୍ୱାସ କରନ୍ତି । ଏହାର ଅର୍ଥ ହେଉଛି ଯଦି ଧନୀମାନେ ଉପକୃତ ହୁଅନ୍ତି, ତେବେ ଏହା ତଳସ୍ତର ପର୍ଯ୍ୟନ୍ତ ବି ଯିବ । ଏଥିରୁ ଗରିବ ଲୋକ ମଧ୍ୟ ଉପକୃତ ହେବେ । କିନ୍ତୁ, ଅନେକ ଲୋକ ଏବେ ବି ଏହି ପଦ୍ଧତି ଉପରେ ପ୍ରଶ୍ନ ଉଠାନ୍ତ । ସେମାନଙ୍କ ମତରେ ଏହି ପ୍ରକ୍ରିୟାରେ ଗରିବଙ୍କୁ କିଛି ସୁଫଳ ମିଳେନାହିଁ । ଏହା ଧନୀମାନଙ୍କୁ ଆହୁରି ଧନୀ ଏବଂ ଗରିବଙ୍କୁ ଗରିବ ହିଁ କରିଥାଏ ବୋଲି ମତ ରଖିଛନ୍ତି ରାହୁଲ ।