Latest Odisha News

ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ…ଏମିତି ଧରାପଡିଲେ ସଇତାନ୍

ନୂଆଦିଲ୍ଲୀ: ଅସହାୟ ପୀଡିତା, ୩ ସଇତାନ୍ ଓ ଗଣଦୁଷ୍କର୍ମର ଭୟାବହ କାହାଣୀ। ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍ କରିବା ସହ ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅପରାଧ ପଛର କାହାଣୀ ଯେତିକି ଭୟାବହ ଅନୁସନ୍ଧାନ ବି ଥିଲା ସେତିକି ଚ୍ୟାଲେଞ୍ଜିଂ । ମାନସିକ ଭାରସାମ୍ୟ ହରାଇଥିବା ଯୁବତୀ ଜଣକ ନା କିଛି କହୁଥିଲେ ନା ଅପରାଧୀଙ୍କୁ ନେଇ ଦିନ ଦିନ ଧରି କିଛି ସୁରାକ୍ ମିଳୁଥିଲା । ୨୧ଦିନ ଧରି ପୂରା ଘଟଣାର ଗୋଟିଏ ପରେ ଗୋଟିଏ ଅଡୁଆ ସୁତା ସଜାଡିଥିଲା ଦିଲ୍ଲୀ ପୋଲିସ । ଛୋଟ ଛୋଟ ତଥ୍ୟ, ଟିକିନିକି ଛାନବିନ କରି ସଇତାନଙ୍କୁ ଧରିଥିଲା । ମାମଲାରେ ଜଣେ କବାଡିବାଲା, ଜଣେ ଭିକାରୀ ଓ ଜଣେ ଅଟୋ ଚାଳକକୁ ଗିରଫ କରିଛି ପୋଲିସ ।

କଳା ରାତିର କାହାଣୀ

ଅକ୍ଟୋବର ୧୦ ଓ ୧୧ ତାରିଖର ମଝାମଝି ସମୟ । ଅଧାରାତି ବେଳକୁ ସେଣ୍ଟ୍ରାଲ ଦିଲ୍ଲୀରେ ଗହଳି କମି ସାରିଥିଲା, କବାଡିବାଲା ପ୍ରମୋଦ ସବୁଦିନ ପରି ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିଲା। ହେଲେ ନିଶାଶକ୍ତ ଅବସ୍ଥାରେ ପ୍ରମୋଦର ନଜର ରାସ୍ତା ପାଖରେ ବସିଥିବା ଓଡିଆ ଯୁବତୀଙ୍କ ଉପରେ ପଡିଲା । ଆଉ ଯୁବତୀଙ୍କୁ ଅସହାୟ ଅବସ୍ଥାରେ ଦେଖି ଅପରାଧ କରିବାକୁ ଯୋଜନା କଲା । ଶୁନଶାନ ଜାଗାକୁ ନେଇ ଦୁଷ୍କର୍ମ କଲା ପ୍ରମୋଦ। ସେଠାରେ ଭିନ୍ନକ୍ଷମ ଭିକାରୀ ଶମଶୁଲ ପହଞ୍ଚିଥିଲା । ନିଶାଶକ୍ତ ଶମଶୁଲ ବି ଦୁଷ୍କର୍ମ କରିଥିଲା। ସେଇ ବାଟ ଦେଇ ଯାଉଥିବା ଅଟୋ ଚାଳକ ପ୍ରଭୁ ମହତୋ ଏହା ଦେଖି ପ୍ରମୋଦ ଓ ଶମଶୁଲଙ୍କ ସହ ସାମିଲ ହୋଇଥିଲା । ତିନି ଜଣ ମିଶି ଯୁବତୀଙ୍କ ସହ ଗଣଦୁଷ୍କର୍ମ କଲେ । ହେଲେ ଏତିକିରେ ପ୍ରଭୁ ମହତୋର ମନ ପୂରିଲାନି। ସେ ଯୁବତୀଙ୍କୁ ଅଟୋରେ ଅନ୍ୟ ଏକ ଜାଗାକୁ ନେଇ ସେଠାରେ ପୁଣି ଦୁଷ୍କର୍ମ କଲା । ଏହାପରେ ପ୍ରଭୁ ଯୁବତୀଙ୍କୁ ସରାୟ କାଲେ ଖାନ୍ ଅଞ୍ଚଳରେ ରାସ୍ତା କଡରେ ଫୋପାଡି ଚାଲି ଯାଇଥିଲା। ରାତି ପ୍ରାୟ ୩ଟା ୧୫ବେଳେ ଦିଲ୍ଲୀ କଣ୍ଟ୍ରୋଲ ରୁମକୁ ଯୁବତୀ ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡିଥିବା ନେଇ କେହି ଜଣେ ଖବର ଦେଇଥିଲେ ।

ଦିଲ୍ଲୀ ପୋଲିସ ପାଇଁ ତଦନ୍ତ ଚ୍ୟାଲେଞ୍ଜ

ରାସ୍ତା କଡରୁ ଉଠାଇ ଏମସ ଟ୍ରୋମା ସେଣ୍ଟରରେ ଦିଲ୍ଲୀ ପୋଲିସ ଯୁବତୀଙ୍କୁ ସଙ୍ଗେ ସଙ୍ଗେ ଭର୍ତ୍ତି କରିଥିଲା। ହେଲେ ଘଟଣା ପରଠୁ ଏକଦମ୍ ଚୁପ୍ ହୋଇ ଯାଇଥିଲେ ପୀଡିତା। ତେଣୁ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା। ଯୁବତୀଙ୍କୁ ଧୀରେ ଧୀରେ ସ୍ବାଭାବିକ କରିବାକୁ ଉଦ୍ୟମ କରାଯାଇଥିଲା। ବହୁତ ଚେଷ୍ଟା ପରେ ପୀଡିତା ଏକ ଫୋନ୍ ନମ୍ବର କହିଥିଲେ, ହେଲେ ସେ ନମ୍ବର ସୁଇଚ ଅଫ୍ ଆସିଥିଲା । କାରଣ ଫୋନ୍ କିଛି ଦିନ ପୂର୍ବରୁ ଚୋରି ହୋଇଯାଇଥିଲା । ତେବେ ନମ୍ବରରେ ଲାଷ୍ଟ ଲୋକେସନ ଟ୍ରେସ୍ କରି ଦିଲ୍ଲୀରେ ପୂର୍ବରୁ ପୀଡିତା ରହୁଥିବା ଘରେ ପହଞ୍ଚିଥିଲା ପୋଲିସ । ସେଠାରୁ ପୀଡିତାଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ତାଙ୍କ ରୁମମେଟ୍ ତାଙ୍କୁ ପୋଲିସ ଷ୍ଟେସନ ନେଇ ଯାଇଥିବା କହିଥିଲେ ପୂର୍ବ ଘରମାଲିକ । ପୋଲିସ ଷ୍ଟେସନରୁ ପୀଡିତାଙ୍କ ପରିବାର ଲୋକଙ୍କ ନମ୍ବର ପାଇଥିଲା ପୋଲିସ । ଜଣାପଡିଥିଲା, କାହାକୁ କିଛି ନକହି ଘର ଛାଡି ଚାକିରି ପାଇଁ ଦିଲ୍ଲୀ ଆସିଥିଲେ ପୀଡିତା । ଏପରିକି ତାଙ୍କ ପରିବାର ଲୋକେ ବି ସେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ।

କେମିତି ଧରାପଡିଲେ ସଇତାନ?

ଯୁବତୀଙ୍କଠାରୁ ସହଜରେ ଅପରାଧ ନେଇ ତଥ୍ୟ ହାସଲ କରିବାକୁ ଜଣେ ଅନୁବାଦକଙ୍କୁ ନିୟୋଜିତ କରାଯାଇଥିଲା । ଓଡିଆରେ କଥା ହୋଇ ସେ ପୀଡିତାଙ୍କଠାରୁ କଥା ଆଦାୟ କରିଥିଲେ । ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଅଟୋ ଚାଳକ ଥିବା ଓ ୩ଜଣ ତାଙ୍କୁ ଦୁଷ୍କର୍ମ କରିଥିବା କହିଥିଲେ ପୀଡିତା । ସରାୟ କାଲେ ଖାନ୍ ଅଞ୍ଚଳର ୧୦ କିଲୋମିଟର ପରିସରରେ ୭ଶହରୁ ଅଧିକ ସିସିଟିଭି ଫୁଟେଜରେ ଅପରାଧର ସୁରାକ ଖୋଜିଥିଲା ପୋଲିସ । ପ୍ରାୟ ୧୫୦ ଅଟୋ ଚାଳକଙ୍କୁ ନେଇ ଯାଞ୍ଚ ଚାଲିଲା । ଅପରାଧର ପ୍ରାୟ ୨୧ ଦିନପରେ ପୋଲିସ ଅଟୋ ଚାଳକ ପ୍ରଭୁ ମହତୋକୁ ଧରିଲା । ଆଉ ତାପରେ ବାକି ଦୁଇ ଅଭିଯୁକ୍ତ ଧରାପଡିଲେ । ପୋଲିସ ଜେରା ବେଳେ ଅପରାଧ ମାନିଲେ ୩ସଇତାନ । ପୀଡିତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଅଭିଯୁକ୍ତ ଧରାନପଡିବା ନେଇ ଏକପ୍ରକାର ନିଶ୍ଚିତ ଥିଲେ । ହେଲେ ୭ଶହ ସିସିଟିଭି କ୍ୟାମେରା ଓ ୨୫ଟି ଲୋକେସନରେ ଛାନବିନ କରି ଶେଷରେ ଏଭଳି ଅଭାବନୀୟ ଘଟଣାର ପର୍ଦ୍ଦାଫାସ କରିଛି । ଆଉ ଦୁଷ୍କର୍ମ ରହସ୍ୟ ଖୋଲିବା ପଛରେ ତିନି ମହିଲାଙ୍କର ରହିଥିଲା ପ୍ରମୁଖ ଭୂମିକା । ଆଇପିଏସ୍ ଐଶ୍ବର୍ଯ୍ୟା ସିଂ, କନଷ୍ଟେବଲ ସଙ୍ଗୀତା ଓ ଅନୁବାଦିକା ପ୍ରିୟା ପୀଡିତାଙ୍କୁ ନ୍ୟାୟ ଦେବାକୁ ଜାନ୍ ଲଗାଇଥିଲେ । ଫଳରେ ଶେଷରେ ଧରାପଡିଥିଲେ ୩ଅଭିଯୁକ୍ତ ।

Comments are closed.