Latest Odisha News

ମେୟର ଲଢ଼େଇରେ ବିଜେପି ହାରିବା ପରେ ରାଜଧାନୀବାସୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଅପରାଜିତା?

ଭୁବନେଶ୍ୱର: ମେୟର ଲଢ଼େଇରେ ବିଜେପି ପ୍ରାର୍ଥୀ ହାରିବା ପରେ ରାଜଧାନୀବାସୀଙ୍କୁ ଅପରାଜିତା ଧନ୍ୟବାଦ ଦେଇଛନ୍ତି । ଆଜି ସକାଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଫଳାଫଳକୁ ନେଇ ଟ୍ୱିଟ୍ କରିବା ସହିତ ଖୁସି ବ୍ୟକ୍ତି କରିଛନ୍ତି । ଯଦି ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମେୟର ନିର୍ବାଚନକୁ ସେମିଫାଇନାଲ ବୋଲି ଚିନ୍ତା କରିବା ତାହେଲେ ଏବେ ବି ଅପରାଜିତାଙ୍କ ପକେଟ ଭୋଟ୍ ରହିଛି ବୋଲି ଚର୍ଚ୍ଚା ହେଉଛି। ତେଣୁ ସାଂସଦ ସୁନୀତିଙ୍କ ପରି ନୂଆ ଚେହେରାକୁ ପ୍ରାର୍ଥୀ କରି ନିଜ ବ୍ରାଣ୍ଡର ଭୋଟ୍ କେତେ ତାହା ପରଖିଛନ୍ତି ବୋଲି କୁହାଯାଉଛି।

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ମେୟର ପଦ ବିଜେଡି ହାତେଇବା ସହିତ ଅଧିକାଂଶ କର୍ପୋରେଟର ଆସନ ମଧ୍ୟ ଜିତିଛି । କିନ୍ତୁ ପ୍ରାର୍ଥୀପତ୍ର ଦାଖଲ ପରେ ବିଜେଡି ଯେଉଁ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ପାଖରୁ ବିଜୟୀ ହେବ ବୋଲି ଆକଳନ କରୁଥିଲା ତାହା ସଫଳ ହୋଇନି । ସୁନୀତି ରାଜନୀତିରେ ହଠାତ୍ ପାଦ ଥାପିଥିଲେ । କିନ୍ତୁ ସେ ମେୟର ଭାବେ ଯେଉଁ ଭୋଟ୍ ପାଇଛନ୍ତି କିଛି ଖରାପ ମଧ୍ୟ ନୁହେଁ । ମୁଖ୍ୟତଃ ଶାସକ ଦଳରେ ଥିବା ବିଦ୍ରୋହୀ ଭୋଟ୍ ଏବଂ ବିଜେଡିର ବିକଳ୍ପ ଭାବେ ଅନ୍ୟ କୌଣସି ଦଳ ନଥିବାରୁ ବିଜେପି ଯେତିକି ଆକଳନ କରିଥିଲା ତାଠୁ ଅଧିକ ଭୋଟ୍ ହାତେଇଛି ।

ସୁଲୋଚନା ୬୧ ହଜାର ୮୭ ଭୋଟ୍‌ରେ ସୁନୀତି ମୁଣ୍ଡଙ୍କ ପାଖରୁ ବିଜୟ ହୋଇଛନ୍ତି। ସୁଲୋଚନାଙ୍କୁ ୧ ଲକ୍ଷ ୭୪ ହଜାର ୪୮୭ ଭୋଟ୍ ମିଳିଥିବାବେଳେ ବିଜେପିର ସୁନୀତି ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ମିଳିଛି ସେହିଭଳି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧ ହଜାର ୬ ଖଣ୍ଡ ଭୋଟ୍ ମିଳିଛି।

ସେହିପରି ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କ ପାଇଁ ଦଳର ବିଧାୟକ, ମନ୍ତ୍ରୀ ପ୍ରଚାର କରିବା ସହିତ ରାଜଧାନୀ ଏବଂ ଖବରକାଗଜରେ ବଡ ବଜ ବିଜ୍ଞାପନ ଦିଆଯାଇଥିଲା। କିନ୍ତୁ ପ୍ରମୁଖ ବିରୋଧୀ ବିଜେପି ଏଥିରେ ପଛରେ ପଡିନିଥିଲା । ନିଜେ ଅପରାଜିତା ମଧ୍ୟ ସୁନୀତିଙ୍କୁ ଭୋଟ୍ ଦେଇନଥିବା ବେଳେ ଦଳର କୌଣସି ହେବିଓ୍ୱେଟ୍ ସୁନୀତିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇନଥିଲେ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଟ୍ୱିଟ୍ କରି ନବ ନିର୍ବାଚିତ ଦଳୀୟ କର୍ପୋରେଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ବିଜେପି ୬୭ଟି ଓ୍ୱାର୍ଡରୁ ୧୦ଟି ଆସନ ହାତେଇଥିବାରୁ ଖୁସି ପ୍ରକାଶ କରିଛନ୍ତି । ୮ ପ୍ରାର୍ଥୀ କମ୍ ବ୍ୟବଧାନରେ ହାରିଥିବା କଥା ମଧ୍ୟ ଉଲ୍ଲେଖ କରି ସେ ଏହାକୁ ଦଳର ପତିଆରା ରାଜଧାନୀରେ ଏବେ ବି ରହିଛି ବୋଲି ଉଲ୍ଲେଖ କରିଛନ୍ତି।

ରାଜଧାନୀରେ ମୋଟ୍ ୬୭ଟି ଓ୍ୱାର୍ଡରୁ ୬୦ଟି ଓ୍ୱାର୍ଡ ବିଜୟୀ ହେବାକୁ ବିଜେଡି ପ୍ରସ୍ତୁତି କରିଥିଲା । ଏଥିପାଇଁ ଫୁଲ ଦମରେ ପ୍ରସ୍ତୁତି କରିଥିଲା । କର୍ପୋରେଟର ପଦ ପାଇଁ ଅନେକ ଆଶାୟୀ ଥିଲେ । ହେଲେ ଟିକେଟ ନପାଇ କିଛି ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଆଉ କିଛି ପ୍ରାର୍ଥୀ ବୁଝାମଣା ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଲେ ।

ହେଲେ ଫଳାଫଳ ପ୍ରକାଶ ପରେ ଜଣାପଡିଛି ଦଳରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ବିଜେଡି ହାତରୁ ୧୪ଟି ଆସନ ଖସିଯାଇଛି । ସେହିପରି ଯେଉଁ ୯ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ସେମାନେ ମଧ୍ୟ ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ବିଜୟୀ ହୋଇଛନ୍ତି। ନିଜ ନିଜ ଓ୍ୱାର୍ଡରେ ଲୋକପ୍ରିୟତା ଆଗରେ କୌଣସି ରାଜନୀତିକ ଦଳର ପ୍ରାର୍ଥୀଙ୍କ କରିସ୍ମା ସ୍ୱାଧୀନ ପ୍ରାର୍ଥୀଙ୍କ ଆଗରେ ହାର ମାନିଛି ।

ବିଜେଡି ରାଜଧାନୀରେ ଚତୁର୍ଥ ଥର ପାଇଁ ମେୟର ଆସନ ହାତେଇଲେ ମଧ୍ୟ ତିନି ବିଧାୟକ ନିଜ ନିଜ ଗଡରେ ବିଫଳତାର ସ୍ୱାଦ ମଧ୍ୟ ଚାଖିଛନ୍ତି । ଏକାମ୍ର ଭୁବନେଶ୍ୱର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏରିଆ । କିନ୍ତୁ ଏହି ବିଧାନସବା ନିର୍ବାଚନ ମଣ୍ଡଳୀର ୨୪ଟି ଓ୍ୱାର୍ଡରୁ ୮ଟି ଆସନ ବିଜେଡି ହାତରୁ ଖସିଯାଇଛି। ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଲେଖାଏଁ ଆସନ ଜିତିଛନ୍ତି ।ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କ ଏରିଆରେ ୨୪ଟି ଓ୍ୱାର୍ଡରୁ ୩ଟିରେ ବିଜେପି ଓ ୩ଟିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।  ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନିର୍ବାଚନ ମଣ୍ଡଳୀର ୧୯ଟି ଓ୍ୱାର୍ଡରୁ ୫ଟି ଆସନ ବିରୋଧୀଙ୍କ ହାତକୁ ଯାଇଛି । ୩ଟିରେ ବିଜେପି ବାଜିମାତ କରିଥିବା ବେଳେ ଦୁଇଟିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ତେବେ ବିରୋଧୀ ଦଳର ମେୟର ପ୍ରାର୍ଥୀ ରାଜନୀତିରେ ନୂଆ ହେଲେ ମଧ୍ୟ ଏତେ ସଂଖ୍ୟାରେ ଭୋଟ୍ ପାଇବା ପଛରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଥିବା ପକେଟ ଭୋଟ୍ ଏବଂ ବିଦ୍ରୋହୀ ବିଜେଡି ନେତାଙ୍କ ସମର୍ଥନ ବୋଲି କୁହାଯାଉଛି । ଯେଉଁମାନେ ବିଜେଡି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପାଇଁ ଏକମାତ୍ର ବିକଳ୍ପ ବିଜେପି ହିଁ ରହିଛି। କଂଗ୍ରେସର ସ୍ଥିତି ଭଲ ନଥିବାରୁ ଲୋକେ ବିଜେପିକୁ ଭୋଟ୍ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ବିଜେପି ମେୟର ପ୍ରାର୍ଥୀ ଭାବେ କୈଣସି ଜଣାଶୁଣା ଚେହେରାକୁ ଯଦି ପ୍ରାର୍ଥୀ କରିଥାନ୍ତା ତାହେଲେ ମେୟର ଆସନର ଫଳାଫଳ ଦଳ ସପକ୍ଷରେ ଯାଇପାରିଥାନ୍ତା ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ଅନ୍ତିମ ଥର ପାଇଁ ରାଜଧାନୀରେ ମହାନଗର ନିଗମ ନିର୍ବାଚନ ହୋଇଥିଲା । ବିଜେଡି ସେତେବେଳେ ୪୯ଟି ଆସନ ହାତେଇଥିବା ବେଳେ ଚଳିତଥର ଦୁଇଟି ଆସନ କମ ପାଇଛି।

Comments are closed.