କଟକ: କଟକ ବଡ ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁ ଯଦିଓ ସମ୍ପୂର୍ଣ୍ଣ ଆୟତ୍ତକୁ ଆସି ସାରିଛି, କିନ୍ତୁ ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳୁନି। SCB ମେଡିକାଲ ଟ୍ରମା କେୟାର ICUରେ କେମିତି ଘଟିଲା ଅଗ୍ନିକାଣ୍ଡ? ଅଗ୍ନିଶମ ବ୍ୟବସ୍ଥା ଠିକ୍ ଥିଲା ତ ? ତାହାର ହେବ ତଦନ୍ତ। ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୋଲିସ କମିଶନର ଓ ସ୍ବାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅଗ୍ନିକାଣ୍ଡରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆଇସିୟୁରେ ଥିବା ଅନ୍ୟ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଃଖଦ ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ସୁରକ୍ଷା ଦୃଷ୍ଟିରୁ ମେଡିକାଲ ପରିସରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ତେବେ ଅଗ୍ନିକାଣ୍ଡ କେଉଁ ପରିସ୍ଥିତିରେ ଘଟିଲା ତାହା ଜଣାପଡ଼ି ନାହିଁ। ପ୍ରଶାସନିକ ଅବହେଳା ନାଁ ସର୍ଟସର୍କିଟ ଅଗ୍ନିକାଣ୍ଡର କାରଣ, ତାହା ତଦନ୍ତ ପରେ ଜଣାପଡ଼ିବ। ଯଦି ମେଡିକାଲ କଲେଜର ତ୍ରୁଟି ପାଇଁ ନିରୀହ ରୋଗୀମାନଙ୍କର ଜୀବନ ଯାଇଥାଏ, ତେବେ ସଂପୃକ୍ତ ବ୍ୟକ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଅନ୍ୟପଟରେ ରାଜ୍ୟର ସର୍ବବୃହତ ମେଡିକାଲ କଲେଜରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି। ଅଗ୍ନିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏସ୍ସିବି ମେଡିକାଲର ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିଛନ୍ତି। ସେ ବରିଷ୍ଠ ପଦାଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥାନାନ୍ତର ସମୟରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।