Latest Odisha News

BREAKING NEWS

ଟ୍ରମ୍ପ Vs ମସ୍କ…କାହାଣୀରେ ବଲିଉଡ୍ ଟୁଇଷ୍ଟ

ନୂଆଦିଲ୍ଲୀ: ଦିନେ ଥିଲେ ଖାସ୍, ଏବେ ଜୟ-ବୀରୁ ପରସ୍ପରର ବିରୋଧୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ ମୁହାଁମୁହିଁ। ଖୋଲାଖୋଲି ପରସ୍ପର ବିରୋଧରେ କରୁଛନ୍ତି ବୟାନବାଜି। ମସ୍କ ପ୍ରଥମେ ଡିଓଜିଇରୁ ଇସ୍ତଫା ଦେଲେ, ଆଉ ତାପରେ ସେ ଟ୍ରମ୍ପଙ୍କୁ ଟାର୍ଗେଟ କରିବାର ସୁଯୋଗ ହାତଛଡା କରୁନାହାନ୍ତି। ଟ୍ରମ୍ପ ବି ଦୋସ୍ତି ଭୁଲି ମସ୍କଙ୍କୁ ସିଧା ନିଶାନା କରୁଛନ୍ତି। ବଲିଉଡ ଫିଲ୍ମ କାହାଣୀ ଭଳି ଟ୍ରମ୍ପ ଓ ମସ୍କଙ୍କ ସଂପର୍କରେ ରହିଛି ଅନେକ ରୋଚକ ଟୁଇଷ୍ଟ।

ଥିଲେ ବନ୍ଧୁ ଏବେ ବିରୋଧୀ

2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ କୋଟିପତି ବ୍ୟବସାୟୀ ଏଲନ ମସ୍କ। ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଜରିଆରେ ଟ୍ରମ୍ପଙ୍କ ସମର୍ଥନରେ ଜୋରଦାର କ୍ୟାମ୍ପେନ୍ କରିଥିଲେ। କେବଳ ସେତିକି ନୁହେଁ କେତେକ ନିର୍ବାଚନ ରାଲିରେ ସାମିଲ ହୋଇ ଟ୍ରମ୍ପଙ୍କ ପ୍ରଚାରକୁ ବଳ ଦେଇଥିଲେ ମସ୍କ। ଆଉ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମସ୍କଙ୍କୁ ଏହାର ପୁରସ୍କାର ଭାବେ ଡିଓଜିଇର ଦାୟିତ୍ବ ଦିଆଗଲା। ଏପର୍ଯ୍ୟନ୍ତ କାହାଣୀ ଠିକ୍ ଚାଲିଥିଲା, ହେଲେ ଟୁଇଷ୍ଟ ଆଣିଲା ଟ୍ରମ୍ପଙ୍କ ମହତ୍ବାକାଂକ୍ଷୀ ଓ୍ବାନ୍ ବିଗ୍ ବିୟୁଟିଫୁଲ ବିଲ୍। ଏହାକୁ ପାରିତ କରାଯିବା ପରେ ପ୍ରଥମେ ହାଲକା ସ୍ବରରେ ଓ ପରେ ଜୋରଦାର ବିରୋଧ କରିଛନ୍ତି ମସ୍କ। ବିଲରେ ଇଲେକ୍ଟ୍ରୋନିକ ଯାନବାହାନରେ ଟ୍ୟାକ୍ସ କ୍ରେଡିଟକୁ ଶେଷ କରାଯାଇଛି। ଏହାର ପ୍ରଭାବ ସିଧାସଳଖ ମସ୍କଙ୍କ ଟେସଲା ବିକ୍ରି ଉପରେ ପଡିବ। ସେଥିପାଇଁ ମସ୍କ ବିଲକୁ ଏତେ ବିରୋଧ କରୁଥିବା କୁହାଯାଉଛି।

ଟ୍ରମ୍ପ Vs ମସ୍କ…ବୟାନବାଜି ଜୋରଦାର

ବିଲକୁ ନେଇ ଟ୍ରମ୍ପ ଓ ମସ୍କ ମୁହାଁମୁହିଁ ହୋଇଛନ୍ତି। ବିଲକୁ ଏପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇଥିବା ସବୁଠୁ ପ୍ରଭାବଶାଳୀ ବିଲ କହିଛନ୍ତି ଟ୍ରମ୍ପ। ଏହାଦ୍ବାରା ସରକାରଙ୍କ ଖର୍ଚ୍ଚ ବଞ୍ଚିବ ଓ ବଡ଼ଧରଣର ଟ୍ୟାକ୍ସ କାଟ୍ ହେବ। ବିଲ୍ ପାରିତ ନହୋଇଥିଲେ ଟ୍ୟାକ୍ସରେ 68ପ୍ରତିଶତ ବୃଦ୍ଧି ହୋଇଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି। ଜବାବରେ ମସ୍କ କହିଛନ୍ତି, ତାଙ୍କୁ ବିଲ୍ ଥରେ ବି ଦେଖା ଯାଇନଥିଲା। ରାତାରାତି ବିଲକୁ ପାରିକ କରାଗଲା, ଯେମିତି ସଂସଦରେ ବି କେହି ବିଲକୁ ପଢି ପାରିବେନି। ସେହିପରି ମସ୍କଙ୍କୁ ନିଶାନା କରି ଟ୍ରମ୍ପ କହିଛନ୍ତି, ମସ୍କଙ୍କ ସରକାରୀ ସବସିଡି ଓ କଣ୍ଟ୍ରାକ୍ଟ ଶେଷ କରିବା, ବଜେଟର ବଡ଼ ଅଂଶର ଖର୍ଚ୍ଚ ବଞ୍ଚାଇବାର ସହଜ ଉପାୟ। ବାଇଡେନ୍ କାହିଁକି ଏଭଳି କରିନଥିଲେ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହାପରେ ସ୍ପେସେକ୍ସ ଶୀଘ୍ର ନିଜ ଡ୍ରାଗନ ସ୍ପେସକ୍ରାଫ୍ଟ ରଦ୍ଦ କରିବା ଆରମ୍ଭ କରିବ ବୋଲି ମସ୍କ କହିଛନ୍ତି। ଏହାସହ ଟ୍ରମ୍ପଙ୍କ ଟାରିଫ ପାଇଁ ଚଳିତ ବର୍ଷ ଶେଷ ଛଅମାସରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇପାରେ ବୋଲି ମସ୍କ ଆଶଙ୍କା କରିଛନ୍ତି।

ଖସିଲା ଟେସଲା ସେୟାର

ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବୟାନଯୁଦ୍ଧ ନିବେଶକଙ୍କ ଚିନ୍ତା ବଢାଇଛି। ଫଳରେ ମସ୍କଙ୍କ ଟେସଲା ସେୟାର ଖସିଛି। ଟେସଲାର ସେୟାର 14ପ୍ରତିଶତ ହ୍ରାସ ପାଇଛି। ଫଳରେ ମସ୍କ 12ଲକ୍ଷ କୋଟିରୁ ଅଧିକ କ୍ଷତି ସହିଛନ୍ତି। ଟେସଲା ସେୟାର ହ୍ରାସ ପାଇବା ସହ ମସ୍କଙ୍କ ନେଟଓ୍ବର୍ଥ ବି କମିଛି। ଗୁରୁବାର ମସ୍କଙ୍କର 2.23ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଫୋର୍ବସ ସୂଚନା ଅନୁସାରେ, ଏବେ ମସ୍କଙ୍କ ନେଟଓ୍ବର୍ଥ 33.31 ଲକ୍ଷ କୋଟି ହୋଇଯାଇଛି।

ଡୋନାଲଡ ଟ୍ରମ୍ପଙ୍କ ଏହି ବିଲ ଇଲେକ୍ଟ୍ରିକ୍ ଯାନବାହନ କିଣିବାରେ ମିଳୁଥିବା ଟ୍ୟାକ୍ସ ରିହାତିକୁ ଶେଷ କରିବାକୁ ପ୍ରସ୍ତାବ ରହିଛି। ବାଇଡେନ୍ ସରକାର ନୂଆ ଇଭି କିଣିବା ଉପରେ 7ହଜାର 5ଶହ ଡଲାରର ଟ୍ୟାକ୍ସ ରିହାତି ଦେଉଥିଲେ। ଯାହାକୁ ଟ୍ରମ୍ପ ବନ୍ଦ କରିବାକୁ ଯାଉଛନ୍ତି। ଯେଉଁ କମ୍ପାନୀ 2009ରୁ 2025 ମଧ୍ୟରେ ଦୁଇ ଲକ୍ଷ ଇଭି ବିକ୍ରି କରିଥିଲେ, ସେମାନଙ୍କୁ ରିହାତି ମିଳିବନି। ଏହା ସିଧାସଳଖ ଏଲନ ମସ୍କଙ୍କ ଟେସଲାକୁ ବଡ଼ ଝଟକା ହେବ। ସେହିପରି ଆମେରିକୀୟ ସ୍ପେସ୍ ଏଜେନ୍ସି ନାସାରେ ମସ୍କ ନିଜ ବିଶ୍ବସ୍ତ ଜେରେଡ ଇସାକମୈନଙ୍କୁ ପ୍ରଶାସନିକ ଭାବେ ନିଯୁକ୍ତ କରାଇବାକୁ ଚାହୁଁଥିଲେ। ତେବେ ଟ୍ରମ୍ପ ତାଙ୍କ ସୁପାରିସକୁ ନଜର ଅନ୍ଦାଜ କରି ଦେଇଛନ୍ତି। ସେପଟେ ଖର୍ଚ୍ଚ କାଟ୍ ପାଇଁ ଟ୍ରମ୍ପ ମସ୍କଙ୍କୁ ଡିଓଜିଇର ଦାୟିତ୍ବ ଦେଇଥିଲେ। ଏହାପରେ ହଜାର ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିଥିଲେ ମସ୍କ। ଯାହାଦ୍ବାରା ତାଙ୍କ ଛବି ଖରାପ ହୋଇଛି।

Comments are closed.