ନୂଆଦିଲ୍ଲୀ: ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରେ ପଢି ପାରିବେନି ବିଦେଶୀ ଛାତ୍ରଛାତ୍ରୀ ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାଓ୍ବାର୍ଡର ବିଦେଶୀ ଛାତ୍ରଙ୍କୁ ନାମଲେଖା କ୍ଷମତାକୁ ରଦ୍ଦ କରିଛନ୍ତି । ବିଶ୍ବବିଦ୍ୟାଳୟର ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ ଭିଜିଟର ପ୍ରୋଗ୍ରାମ ସାର୍ଟିଫିକେସନ୍ କାର୍ଯ୍ୟକ୍ରମ ବା ଏସଇଭିପି ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆମେରିକାର ଗୃହସୁରକ୍ଷା ବିଭାଗ ସଚିବ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସରକାରଙ୍କ ଏହି ନିଷ୍ପତିର ସମାଲୋଚନା କରାଯାଇଛି । ସେପଟେ ଏହାର ପ୍ରଭାବ ଭାରତୀୟ ଛାତ୍ରଙ୍କ ଉପରେ ବି ପଡିବ । କାରଣ ହାଓ୍ବାର୍ଡ ବିଶ୍ବବିଦ୍ୟାଳୟର ରେକର୍ଡ ଅନୁସାରେ, ପ୍ରତିବର୍ଷ ଏଠାରେ ୫ଶହରୁ ୮ଶହ ଭାରତୀୟ ଛାତ୍ର ଓ ଗବେଷକ ନାମଲେଖାନ୍ତି ।
ହାଓ୍ବାର୍ଡ ବିରୋଧରେ ଅଭିଯୋଗ
ଗୃହସୁରକ୍ଷା ବିଭାଗ ସଚିବ କ୍ରିଷ୍ଟି ନୋଏମ ସୋସିଆଲ୍ ମିଡିଆରେ ପୋଷ୍ଟ କରି ହାଓ୍ବାର୍ଡ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ହାଓ୍ବାର୍ଡ ନିଜ କ୍ୟାମ୍ପସରେ ହିଂସା, ଇହୁଦୀ-ବିରୋଧୀ ମନୋବୃତ୍ତିକୁ ପ୍ରୋତ୍ସାହିତ କରୁଥିବା ବେଳେ ଚୀନର କମ୍ୟୁନିଷ୍ଟ ପାର୍ଟିକୁ ସପକ୍ଷରେ ଥିବା ସେ ଉଲ୍ଲେଖ କରିଛନ୍ତି । ବିଦେଶୀ ଛାତ୍ରଙ୍କ ନାମଲେଖା କରି ସେମାନଙ୍କର ଉଚ୍ଚା ଟ୍ୟୁସନ୍ ଫି ଦ୍ବାରା ନିଜ ସଂପତି ବଢାଇବା ବିଶ୍ବବିଦ୍ୟାଳୟର ବିଶେଷାଧିକାର । ହାଓ୍ବାର୍ଡକୁ ଠିକ୍ ପଦକ୍ଷେପ ନେବାକୁ ଅନେକ ସୁଯୋଗ ଦିଆଯାଇଛି, ତେବେ ଏହା ସେସବୁକୁ ଗ୍ରହଣ କରିନି । ଆଇନ ନମାନିବାରୁ ବିଶ୍ବବିଦ୍ୟାଳୟର ଏସଇଭିପି ରଦ୍ଦ କରାଯାଇଛି । ହାଓ୍ବାର୍ଡ ଉପରେ ଆକ୍ସନ୍ ନିଆଯାଇଥିବା ବେଳେ ଏହା ଦେଶର ସବୁ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ପାଇଁ ଚେତାବନୀ ଭାବେ କାମ କରିବ ବୋଲି ନୋଏମ କହିଛନ୍ତି।।
କ’ଣ କହିଲା ହାଓ୍ବାର୍ଡ?
ଆମେରିକାର ଗୃହସୁରକ୍ଷା ବିଭାଗର ଏହି ନିଷ୍ପତିକୁ କଡା ସମାଲୋଚନା କରିଛି ହାଓ୍ବାର୍ଡ ବିଶ୍ବବିଦ୍ୟାଳୟ । ସରକାରଙ୍କ ଅଭିଯୋଗକୁ ଖାରଜ କରିବା ସହ ଏହି ପଦକ୍ଷେପକୁ ଅନୈତିକ କହିଛି ହାଓ୍ବାର୍ଡ । ବିଶ୍ବବିଦ୍ୟାଳୟର ରେକର୍ଡ ଅନୁସାରେ, ହାଓ୍ବାର୍ଡରେ ୨୦୨୪-୨୫ବର୍ଷରେ ୬ହଜାର ୮ଶହ ବିଦେଶୀ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଯାହା ମୋଟ୍ ନାମଲେଖାର ୨୭ପ୍ରତିଶତ । ସରକାରଙ୍କ ବିରୋଧରେ ଆଇନର ଆଶ୍ରୟ ନେଇପାରେ ହାଓ୍ବାର୍ଡ । ଏହାପୂର୍ବରୁ ଗତମାସ ବିଶ୍ବବିଦ୍ୟାଳୟ ପକ୍ଷରୁ ଟ୍ରମ୍ପ ପ୍ରଶାସନ ବିରୋଧରେ ପାଠ୍ୟକ୍ରମ, ନାମଲେଖା ପ୍ରକ୍ରିୟା ଓ ନିଯୁକ୍ତି ନୀତିରେ ପରିବର୍ତ୍ତନ ଉଦ୍ୟମ ନେଇ ମାମଲା ଦାଏର କରାଯାଇଥିଲା । ଏପ୍ରିଲରେ ଟ୍ରମ୍ପ ପ୍ରଶାସନ ବିଦେଶୀ ଛାତ୍ରଙ୍କ ରେକର୍ଡ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ବବିଦ୍ୟାଳୟ ପରିସରରେ ବିଦେଶୀ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ବିଶେଷ କରି ଇସ୍ରାଏଲ୍ ବିରୋଧୀ ବିକ୍ଷୋଭ ନେଇ ଅଡିଓ ଭିଜୁଆଲ୍ ଦେବାକୁ କୁହାଯାଇଥିଲା ।
ପ୍ରଭାବିତ ହେବେ ଭାରତୀୟ ଛାତ୍ର
ହାଭାର୍ଡ ରେକର୍ଡ ଅନୁସାରେ, ସେଠାରେ ପ୍ରତିବର୍ଷ ୫ଶହରୁ ୮ଶହ ଭାରତୀୟ ଛାତ୍ରଛାତ୍ରୀ ଓ ଗବେଷକ ନାମଲେଖାନ୍ତି । ଏବେ ହାଓ୍ବାର୍ଡରେ ୭୮୮ଜଣ ଭାରତୀୟ ଛାତ୍ର ପଢୁଛନ୍ତି । ଟ୍ରମ୍ପ ପ୍ରଶାସନର ନିଷ୍ପତି ପରେ ଏହି ଛାତ୍ରଛାତ୍ରୀଙ୍କୁ ଏସଇଭିପି ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନକୁ ସ୍ଥାନାନ୍ତର କରିବାକୁ ପଡିବ । ଏଭଳି ନକଲେ ସେମାନଙ୍କ ଭିସା ବାତିଲ୍ ହୋଇପାରେ । ଅନେକ ଭାରତୀୟ ଛାତ୍ର ଲମ୍ବା ଅବଧିର ଡକ୍ଟରେଟ୍ କିମ୍ବା ବହୁ ବର୍ଷୀୟ ସ୍ନାତୋକତ୍ତର ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ତେଣୁ ପଢା ମଝିରେ ସ୍ଥାନାନ୍ତର କରିବା ସମସ୍ୟା ହେବ । ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଖରେ ବିକଳ୍ପ ଖୋଜିବାକୁ ବି କମ୍ ସମୟ ରହିଛି । ଫଳରେ ସେମାନେ ସମସ୍ୟା ଭୋଗିପାରନ୍ତି ।
ଛାତ୍ର ଭିସା ଆମେରିକାର ଗୃହ ସୁରକ୍ଷା ବିଭାଗର ଅଧିକାର କ୍ଷେତ୍ରରେ ଆସୁଛି । ତେବେ ହାଓ୍ବାର୍ଡର ଏସଇଭିପି ରଦ୍ଦ କରି ବିଭାଗ ଆଇଗତ ଭାବେ ହାଓ୍ବାର୍ଡର ବିଦେଶୀ ଛାତ୍ରଙ୍କୁ ନାମଲେଖା କ୍ଷମତାକୁ ରଦ୍ଦ କରିଛି । ପୂର୍ବରୁ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡିକର ଏସଇଭିପି ରଦ୍ଦ କରାଯାଇଛି । ତେବେ ଗମ୍ଭୀର ପ୍ରଶାସନିକ ତ୍ରୁଟି କାରଣ ରହିଛି । ହାଓ୍ବାର୍ଡ ବିରୋଧରେ ଏହି ଆକ୍ସନ୍ ପୂର୍ବ କାର୍ଯ୍ୟାନୁଷ୍ଠାନଠାରୁ ଭିନ୍ନ ବୋଲି ବିଶେଷଜ୍ଞ କହିଛନ୍ତି ।
Comments are closed.