ଖରାଦିନେ କିମ୍ବା ଗୁଳଗୁଳିଆ ପାଗରେ ଫ୍ୟାନ୍ଟିଏ ନ ବୁଲିଲେ ଆମକୁ ଶାନ୍ତି ମିଳେ ନାହିଁ। କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଆପଣଙ୍କ ଘରେ ବୁଲୁଥିବା ସିଲିଂ ଫ୍ୟାନ୍ର ବ୍ଲେଡରେ ଜମିଥିବା ଧୂଳି ଆପଣଙ୍କୁ ଆର୍ଥିକ କ୍ଷତି ପହଞ୍ଚାଉଛି? ଦେଖିବାକୁ ଏହା ବହୁତ ସାଧାରଣ ଲାଗୁଥିଲେ ମଧ୍ୟ ଏହି ଧୂଳି ଆପଣଙ୍କ ବିଦ୍ୟୁତ୍ ବିଲ୍ ବଢ଼ାଇବା ସହ ଫ୍ୟାନ୍ର ଆୟୁଷ ମଧ୍ୟ କମାଇ ଦେଉଛି। ଏହା ପଛରେ ଏକ ସରଳ ବିଜ୍ଞାନ ରହିଛି, ଯାହାକୁ ଅଧିକାଂଶ ଲୋକ ଅଣଦେଖା କରିଥାନ୍ତି।
ସାଧାରଣତଃ ଫ୍ୟାନ୍ର ବ୍ଲେଡ୍ ଚିକ୍କଣ ଥିଲେ ତାହା ପବନକୁ ସହଜରେ କାଟି ତଳକୁ ପକାଇଥାଏ। କିନ୍ତୁ ଯେତେବେଳେ ବ୍ଲେଡ୍ ଉପରେ ଧୂଳିର ଆସ୍ତରଣ ଜମିଯାଏ, ସେତେବେଳେ ବ୍ଲେଡ୍ର ପୃଷ୍ଠଭାଗ ଖଦଡ଼ିଆ ହୋଇଯାଏ। ଫଳରେ ଫ୍ୟାନ୍କୁ ପବନ କାଟିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼େ। ଏହାଦ୍ୱାରା ଏହାର ‘ଏରୋଡାଇନାମିକ୍’ କ୍ଷମତା ହ୍ରାସ ପାଇଥାଏ।
କ୍ରମ୍ପଟନ୍ ଫ୍ୟାନ୍ କମ୍ପାନୀର ଏକ ରିପୋର୍ଟ ଅନୁଯାୟୀ, ଫ୍ୟାନ୍ ବ୍ଲେଡ୍ ଉପରେ ମାତ୍ର ୦.୫ ମିଲିମିଟର ଧୂଳିର ପତଳା ଆସ୍ତରଣ ଜମିଲେ, ତାହାର ପବନ ଦେବା କ୍ଷମତା ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଏ।
ବ୍ଲେଡ୍ରେ ଧୂଳି ଜମିଲେ ଫ୍ୟାନ୍ କମ୍ ପବନ ଦେଇଥାଏ, ତେଣୁ ଲୋକେ ବାଧ୍ୟ ହୋଇ ରେଗୁଲେଟର ବଢ଼ାଇ ଫ୍ୟାନ୍ର ସ୍ପିଡ୍ ଅଧିକ କରିଦିଅନ୍ତି। ଏହାଦ୍ୱାରା ଫ୍ୟାନ୍ର ମୋଟର ଉପରେ ଅଧିକ ଲୋଡ୍ ପଡ଼େ ଏବଂ ତାହା ଗରମ ହେବାକୁ ଲାଗେ। ଅଧିକ ଇଲେକ୍ଟ୍ରିସିଟି ଟାଣିବା ଯୋଗୁଁ ବିଲ୍ ଅଧିକ ଆସେ। କେବଳ ସେତିକି ନୁହେଁ, ଲଗାତାର ଏପରି ଚାଲିବା ଦ୍ୱାରା ମୋଟରଟି ଜଳିଯିବାର ଆଶଙ୍କା ମଧ୍ୟ ବଢ଼ିଯାଏ। ଶେଷରେ ରିପେୟାରିଂ କିମ୍ବା ନୂଆ ଫ୍ୟାନ୍ କିଣିବାରେ ମୋଟା ଅଙ୍କର ଖର୍ଚ୍ଚାନ୍ତ ହେବାକୁ ପଡ଼େ।
ଏହାଛଡ଼ା, ଫ୍ୟାନ୍ରୁ କମ୍ ପବନ ମିଳିଲେ ଲୋକେ ଏସି କିମ୍ବା କୁଲର୍ ଭଳି ଅନ୍ୟ ଉପକରଣର ବ୍ୟବହାର ଅଧିକ କରିଥାନ୍ତି, ଯାହା ପରୋକ୍ଷ ଭାବେ ବିଦ୍ୟୁତ୍ ବିଲ୍ ଆହୁରି ବଢ଼ାଇ ଦିଏ।
ପ୍ରତି ୧୫ ଦିନରେ ଥରେ ଫ୍ୟାନ୍ର ବ୍ଲେଡ୍ ଏବଂ ମୋଟର ବାହାର ଅଂଶକୁ ଶୁଖିଲା କପଡ଼ାରେ ପୋଛି ସଫା କରନ୍ତୁ। ବ୍ଲେଡ୍ ଯେତେ ସଫା ରହିବ, ପବନ ସେତେ ଭଲ ପ୍ରବାହିତ ହେବ।
ତେଣୁ, ଏବେ ହିଁ ଆପଣ ବସିଥିବା ଘର ଭିତରର ଉପରକୁ ଚାହାନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ଫ୍ୟାନ୍ ସଫା ଅଛି ତ? ଏହି ଛୋଟିଆ କାମଟି କେବଳ ଆପଣଙ୍କୁ ଭଲ ପବନ ଦେବ ନାହିଁ, ବରଂ ଆପଣଙ୍କ ପକେଟ୍କୁ ମଧ୍ୟ ଖାଲି ହେବାରୁ ରକ୍ଷା କରିବ।