Latest Odisha News

କେମିତି ହେଲା ବାଣ ବିସ୍ଫୋରଣ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି; କାହିଁକି ପ୍ରଶାସନକୁ ଦୋଷାରପ କରୁଛନ୍ତି ଲୋକେ?

ପୁରୀ: ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀର ମହାପ୍ରଭୁଙ୍କ ଚାପ ଖେଳ ସମୟରେ ବାଣ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ଘଟିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ କି ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ବେଳେ ଅନ୍ୟ ଦୁଇ ଜଣ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପୋଖରୀର ଦେବୀ ଘାଟ ପାର୍ଶ୍ୱରେ ଥିବା ବାଣ ଗଦା ଉପରେ ବାଣ ଫୁଟିବାରୁ ନିଆଁ ଲାଗିଯାଇଥିଲା । ନରେନ୍ଦ୍ର ପୋଖରୀରେ ଚାପ ଖେଳ ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ଗୁରୁତର ଆହତ ହୋଇଥିଲେ। ଅନେକ ଶ୍ରଦ୍ଧାଳୁ ନିଜ ଜୀବନ ବଞ୍ଚାଇବା ପାଇଁ ପୋଖରୀକୁ ଡେଇଁ ପଡ଼ିଥିଲେ । ପାଖରେ ଥିବା ସ୍ଥାନୀୟ ଲୋକେ ଖବର ପାଇ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ଭୁବନେଶ୍ୱରର ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପ୍ରଥମେ ରୋଗୀଙ୍କୁ ଆଉଟଡୋର ବିଭାଗଓ ପରେ ପୁରୀ ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନାରେ ବର୍ନ ୟୁନିଟ୍ ନଥିବାରୁ ସେଠାରେ ସେମାନଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଇ ପାରିନଥିବା ଅଭିଯୋଗ ରହିଛି ।

ଆହତମାନଙ୍କୁ ଉଦ୍ଧାର କରିବାରେ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ଏବଂ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ଚିକିତ୍ସା ସୁବିଧା ନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ସ୍ଥାନୀୟ ଲୋକେ ଆହତ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ପଠାଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀର କୌଣସି କର୍ମଚାରୀ ତୁରନ୍ତ ଆହତଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ। ତେବେ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ବିସ୍ଫୋରଣ ପାଇଁ କାହିଁକି ଅନୁମତି ଦିଆଗଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରଶ୍ନ କରିଛନ୍ତି।

ପୋଖରୀର ଦେବୀ ଘାଟ ପାର୍ଶ୍ୱରେ ଜଣେ ବ୍ୟକ୍ତି ବିପୁଳ ପରିମାଣର ବାଣ ଗଦା କରିଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭଉଁରୀ ଖେଳ ଦେଖୁଥିଲେ। ଚନ୍ଦନ ଯାତ୍ରା ସମୟରେ ଏଭଳି ଦୁଃଖଦ ଘଟଣା କେହି କେବେ ଦେଖିନଥିଲେ ବୋଲି ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ମନ୍ଦିର ପ୍ରଶାସନ ପକ୍ଷରୁ ଏହି ପର୍ବ ସମୟରେ ବାଣ ଫୁଟାଇବା ଉପରେ କୌଣସି କଟକଣା ନଥିଲା। ବାଣ ଫୁଟିବାରୁ ନିଆଁ ଛିଟିକି ପଡି ବୋମା ଠୁଳ ହୋଇଥିବା ସ୍ଥାନରେ ପଡ଼ିଥିଲା । ଫଳରେ ବିସ୍ଫୋରଣ ଘଟି ବହୁ ଲୋକ ଆହତ ହୋଇଛନ୍ତି। ତେବେ ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରିନଥିବାରୁ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ନିଜ ୧୫ ବର୍ଷର ପୁଅକୁ ହରାଇଥିବା ଜଣେ ମହିଳା ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି ଉପଯୁକ୍ତ ଚିକିତ୍ସା ସଙ୍ଗେସଙ୍ଗେ ମିଳିଥାନ୍ତା ତାହେଲେ ହୁଏତ କେହି ପ୍ରାଣ ହରାଇନଥାନ୍ତେ ବୋଲି ମହିଳା ଜଣଙ୍କ କହିଛନ୍ତି ।

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଛନ୍ତି।

ବାଣ ବିସ୍ଫୋରଣ ପଛର କାରଣ ତଦନ୍ତ କରାଯିବ। ତେବେ ଆହତଙ୍କ ଚିକିତ୍ସାକୁ ପ୍ରାଥମିକତା ଦିଆଯିବା ଦରକାର। ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରୁଛି। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ନେତା ବୈଜୟନ୍ତ ପଣ୍ଡା, ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Comments are closed.