Latest Odisha News

ଝାଡ଼ଖଣ୍ଡରେ ଯୋଦ୍ଧାର ନାଁ କଳ୍ପନା

ନୂଆଦିଲ୍ଲୀ: ବର୍ଷେ ତଳେ ରାଜନୀତିର ଅ ଆ ଜାଣିନଥିଲେ । ଏବେ ରାଜନୀତି ମଇଦାନର ପୋଖତ ଖେଳାଳି । ତାଙ୍କ ଭାଷଣ ଶୁଣିବାକୁ ଖରାରେ ବି ଭିଡ ଲଗାନ୍ତି ଆଦିବାସୀ ମହିଳା, ତାଳିବର୍ଷାରେ ଅଭିବାଦନ ଜଣାନ୍ତି । କେତେବେଳେ ସାନ୍ତାଳୀ ତ କେତେବେଳେ ହିନ୍ଦୀରେ ଲୋକଙ୍କ ପାଇଁ କୁହନ୍ତି, ଲୋକଙ୍କ କଥା କୁହନ୍ତି । ହେମନ୍ତ ସୋରେନ ଜେଲ ଯିବା ପରେ ଝାଡଖଣ୍ଡ ପିଚରେ ଏକଚାଟିଆ ବିଜୟର ସ୍ବପ୍ନ ଦେଖୁଥିବା ବିଜେପିର ନିଦ ହଜାଇ ଦେଇଥିବା ନାଁ କଳ୍ପନା ସୋରେନ୍ । କେଇ ମାସ ଭିତରେ ଝାଡଖଣ୍ଡ ରାଜନୀତିର ପ୍ରମୁଖ ଚେହେରା ପାଲଟିଛନ୍ତି ଓଡିଶା ମୟୂରଭଞ୍ଜର ଝିଅ କଳ୍ପନା । ସ୍ବାମୀଙ୍କ ଗିରଫଦାରୀ ପରେ ହୁଏତ ରାଜନୀତିକୁ ଏଣ୍ଟ୍ରି ବାଧ୍ୟବାଧକତା ଥିଲା, ହେଲେ ମାତ୍ର କିଛି ଦିନ ଭିତରେ କଳ୍ପନା ତାହା କରି ଦେଖାଇଛନ୍ତି, ଯାହାର କଳ୍ପନା କୌଣସି ରାଜନୈତିକ ବିଶେଷଜ୍ଞ ବି କରିନଥିଲେ ।

କଳ୍ପନା ହେବେ ଗେମଚେଞ୍ଜର ?

ପ୍ରତିଦିନ ୫ରୁ ଅଧିକ ଜନସଭାକୁ ସମ୍ବୋଧନ ତ ସଂଧ୍ୟାରେ ନିଜ ସିଟ ଗାଣ୍ଡେୟରେ ପ୍ରଚାର । ଝାଡଖଣ୍ଡ ରାଜନୀତିକୁ ପାଖରୁ ଜାଣିଥିବା ଲୋକେ କୁହନ୍ତି, ହେମନ୍ତ ସୋରେନଙ୍କଠୁ କୁଆଡେ ଟପିଗଲାଣି କଳ୍ପନାଙ୍କ ଲୋକପ୍ରିୟତା । ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଉଭୟ ଜେଏମଏମ ଓ ହେମନ୍ତଙ୍କ ପାଇଁ ବୁଷ୍ଟରଡୋଜ୍ ସାବ୍ୟସ୍ତ ହୋଇଛନ୍ତି କଳ୍ପନା । ହେମନ୍ତଙ୍କ ଗିରଫଦାରୀ ପରେ ହିଁ ସେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ମୁମ୍ବାଇ ଆଜାଦ ମଇଦାନ ହେଉ କି ଦିଲ୍ଲୀ ରାମଲୀଳା ମୈଦାନ, ସାରା ଦେଶ ଦେଖିଥିଲା କଳ୍ପନାଙ୍କ ଦମ୍। ତାପରଠୁ ପଛକୁ ଫେରି ଚାହିଁନାହାନ୍ତି କଳ୍ପନା ।

ଲୋକସଭାରେ ରାଜନୀତିର ଲଙ୍ଗଜମ୍ପ

ଇଂଜିନିୟରିଂ ଓ ଏମବିଏ ଗ୍ରାଜୁଏଟ୍ ତଥା ଦୁଇ ପିଲାଙ୍କ ମାଆ କଳ୍ପନା, ହେମନ୍ତଙ୍କ ଅନୁପସ୍ଥିତିରେ ଜେଏମଏମର ମଙ୍ଗ ଧରିଥିଲେ। ଦଳର ସମର୍ଥକଙ୍କ ସହ ରାଲି ସାଙ୍ଗକୁ ଆଦିବାସୀ ଗୋଷ୍ଠୀ ସହ ମାରାଥନ ବୈଠକ କଲେ । ଗାଣ୍ଡେୟ ଉପନିର୍ବାଚନ ଜିତିବା ପରେ ଚର୍ଚ୍ଚା ହେଲା, ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କଳ୍ପନା । ହେଲେ କଳ୍ପନା ଯୋଦ୍ଧା ଭୂମିକାରେ ହିଁ ମଇଦାନରେ ରହିଲେ । ଆଦିବାସୀଙ୍କୁ ଅଣଦେଖା ହେଉ କି ହେମନ୍ତଙ୍କୁ ଷଡ଼ଯନ୍ତ୍ର କରି ଗିରଫଦାରୀ, କଳ୍ପନାଙ୍କ ଭାଷଣରେ ତାତିଲେ ଆଦିବାସୀ । ଆଉ ତାର ପ୍ରଭାବ ଲୋକସଭା ନିର୍ବାଚନ ଫଳରେ ବି ଦିଶିଲା ।

ବିଜେପିକୁ ‘କଳ୍ପନା’ ଚ୍ୟାଲେଞ୍ଜ

ବିଧାନସଭା ନିର୍ବାଚନ ପାଇଁ ନନଷ୍ଟପ ପ୍ରଚାର କରୁଛନ୍ତି କଳ୍ପନା। ପାରମ୍ପରିକ ଜୁହାରରୁ ଆରମ୍ଭ କରୁଛନ୍ତି ଭାଷଣ । କେନ୍ଦ୍ର ଓ ବିଜେପିକୁ ଟାର୍ଗେଟ୍ ହେଉ କି ହେମନ୍ତଙ୍କ ଗିରଫଦାରୀକୁ ନେଇ ଆକ୍ରୋଶ, କଳ୍ପନାଙ୍କ ଭାଷଣ କେବଳ ଜେଏମଏମ କର୍ମୀଙ୍କ ମଧ୍ୟରେ ଜୋଶ ଭରୁଛି ତାହା ନୁହେଁ ବିଜେପି ପାଇଁ ବି ବଡ ଚ୍ୟାଲେଞ୍ଜ ଠିଆ କରୁଛି । ବିଜେପି ବିରୋଧୀ ଲଢେଇରେ କର୍ମୀଙ୍କ ମନରେ ନିଆଁ ଲଗାଉଛନ୍ତି । ଖାସ୍ କହିବା ଶୈଳୀ ପାଇଁ କିଛି ଦିନରେ ହିଁ ଫାୟାର ବ୍ରାଣ୍ଡ ନେତ୍ରୀ ପାଲଟିଛନ୍ତି କଳ୍ପନା । ବିଶେଷ କରି ଆଦିବାସୀ ମହିଳାଙ୍କ ମଧ୍ୟରେ ଦିନକୁ ଦିନ କଳ୍ପନାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବିଜେପି ପାଖରେ ସେଭଳି ମହିଳା ଚେହେରା ନଥିବାରୁ ଦଳ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛନ୍ତି କଳ୍ପନା ।

ଝାଡ଼ଖଣ୍ଡର ଆଦିବାସୀ ମହାପୁରୁଷ ଓ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ କଳ୍ପନା ନିଜର ବି ସମାନ ଇମେଜ ପ୍ରସ୍ତୁତ କରିଛନ୍ତି । କେବଳ ଜେଏମଏମ ନୁହେଁ ଇଣ୍ଡିଆ ମେଣ୍ଟ ସହ ତାଳମେଳ ରଖିବାରେ ବି ସେ ସଫଳ ହୋଇଛନ୍ତି । ସମ୍ବିଧାନ, ସଂରକ୍ଷଣ ଓ ଆଦିବାସୀ ସମସ୍ୟା କଥା କହୁଥିବା କଳ୍ପନା ବିଭିନ୍ନ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଭେଟିବା ବେଳେ ଖାସ୍ ଛାପ ଛାଡୁଛନ୍ତି । କେତେବେଳେ ଗାଁ ଲୋକଙ୍କ ସହ ଗଛ ତଳେ ବସି କଥା ହେଉଛନ୍ତି ତ କେତେବେଳେ ଚା ପିଉଛନ୍ତି । ଝାଡ଼ଖଣ୍ଡ ମଇଦାନରେ ଯୋଦ୍ଧା ଭୂମିକାରେ ଥିବା କଳ୍ପନା ନିଜକୁ ତୃଣମୂଳସ୍ତରର ନେତା ଦର୍ଶାଉଛନ୍ତି । କୁହାଯାଉଛି, ହେମନ୍ତ ସୋରେନଙ୍କୁ ଯେଉଁଥି ପାଇଁ ୧୦ବର୍ଷ ଲାଗିଲା ମାତ୍ର ବର୍ଷେ ଭିତରେ ରାଜନୀତିରେ ସେଇ ପରିଚୟ ହାସଲ କରିଛନ୍ତି କଳ୍ପନା ।

Comments are closed.