Latest Odisha News

BREAKING NEWS

କେତେ ଜୋର୍ ଶବ୍ଦରେ ମଣିଷର ହୋଇଥାଏ ମୃତ୍ୟୁ? ଜାଣନ୍ତୁ ଏହା କେତେ ବିପଦଜନକ

ଭୁବନେଶ୍ୱର: ପ୍ରାୟତଃ ଖବର ଆସିଥାଏ ଯେ ଅତ୍ୟଧିକ ଶବ୍ଦ ହେତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗୁଗଲରେ ଏପରି ଶହ ଶହ ଖବର ମିଳିଯିବ ଯେଉଁଥିରେ ଅଥ୍ୟଧିକ ଶବ୍ଦ ଯୋଗୁ ମଣିଷର ମୃତ୍ୟୁ ହୋଇଛି। ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠେ ଯେ, ବିବାହ କିମ୍ବା ପାର୍ଟିଗୁଡ଼ିକରେ ଡିଜେରେ ଉଚ୍ଚ ଶବ୍ଦ ବଜାଯାଉଛି, ତାହା ଆମ ମୃତ୍ୟୁର କାରଣ ହୋଇପାରେ? ଉତ୍ତର ହେଉଛି ହଁ। ଡିଜେର ଅତ୍ୟଧିକ ଶବ୍ଦ ମଣିଷର ମୃତ୍ୟୁର କାରଣ ହୋଇପାରେ, କାରଣ ମଣିଷର ଶ୍ରବଣ ଶକ୍ତିର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି। ଏହାଠାରୁ ଅଧିକ ଶବ୍ଦ ଶୁଣିଲେ ହୃଦ୍‌ଘାତ ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା ମଣିଷ କେତେ ଅଧିକ ଶବ୍ଦ ସହିପାରେ ଏବଂ କେତେ ଶବ୍ଦ ତା’ ପାଇଁ ବିପଜ୍ଜନକ ହୋଇପାରେ।

ଜୋର୍ ଶବ୍ଦ ମଣିଷ ପାଇଁ କେତେ ବିପଦଜନକ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ତେଜ ଶବ୍ଦ ଯୋଗୁ ୧୨ ରୁ ୩୫ ବର୍ଷ ବୟସର ପ୍ରାୟ ୧୦୦ କୋଟି ଲୋକଙ୍କ ଶ୍ରବଣ ଶକ୍ତି ହ୍ରାସ ପାଇବାର ଆଶଙ୍କା ରହିଛି। ଲଗାତାର ଅଧିକ ଶବ୍ଦରେ ଗୀତ ଶୁଣିବା ଆମ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ସେଣ୍ଟର୍ସ ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (CDC) ଅନୁଯାୟୀ, ଯଦି ମଣିଷ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଶବ୍ଦ ଶୁଣେ, ତେବେ ତା’ର ଶ୍ରବଣ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ। ବଢ଼ୁଥିବା ଡେସିବେଲ ସ୍ତର ମଣିଷକୁ ଗୁରୁତର ରୋଗରେ ପୀଡ଼ିତ କରିଥାଏ।ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କଲା ପରେ ଶବ୍ଦ ଶୁଣି ମଣିଷ ଚିଡ଼ିଚିଡ଼ା ଓ ଅସନ୍ତୁଷ୍ଟ ହୋଇପଡ଼େ। ଏହାର ପ୍ରଭାବ ତା’ର ହୃଦୟ ଉପରେ ପଡ଼ିଥାଏ ଏବଂ ହୃଦ୍‌ରୋଗ ସମ୍ପର୍କୀୟ ସମସ୍ୟା ଦେଖାଦେଇଥାଏ। ଏକ ରିପୋର୍ଟ ଅନୁଯାୟୀ, ଲଗାତାର ଜୋର୍ ଶବ୍ଦ ମାନସିକ ଚାପ, ଚିଡ଼ିଚିଡ଼ାପଣ, ତୀବ୍ର ମୁଣ୍ଡବ୍ୟଥା, ଉଚ୍ଚ ରକ୍ତଚାପ, ଅନିଦ୍ରା, ସ୍ମୃତିଶକ୍ତି ଦୁର୍ବଳ ହେବା, ମସ୍ତିଷ୍କରେ ରକ୍ତସ୍ରାବ, କୌଣସି ଜିନିଷ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଅସମର୍ଥତା ଏବଂ ହୃଦ୍‌ଘାତ ଭଳି ଗୁରୁତର ସମସ୍ୟାର କାରଣ ହୋଇପାରେ।

ମଣିଷ କେତେ ଜୋର୍ ଶବ୍ଦ ସହିପାରେ?
ପ୍ରତ୍ୟେକ ମଣିଷର ଶ୍ରବଣ ଶକ୍ତିର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି; କାହାର ଏହା କିଛି ଅଧିକ ହୋଇପାରେ, କାହାର କିଛି କମ। ହିୟରିଂ ହେଲଥ ଫାଉଣ୍ଡେସନ ଅନୁଯାୟୀ, ମଣିଷ ପାଇଁ ୭୦ ଡେସିବେଲ ବା ତା’ଠାରୁ କମ ଶବ୍ଦ ନିରାପଦ ଅଟେ। ଏହାଠାରୁ ଅଧିକ ଶବ୍ଦ ମଣିଷ ପାଇଁ ବିପଜ୍ଜନକ। ସଙ୍ଗୀତ ଡିଭାଇସ, ଇୟାରଫୋନ କିମ୍ବା ଇୟାରବଡ୍ସର ୬୦ ପ୍ରତିଶତ ଭଲ୍ୟୁମ ମଧ୍ୟ ୭୫-୮୦ ଡେସିବେଲ ପର୍ଯ୍ୟନ୍ତ ପହଞ୍ଚିଯାଏ, ଆଉ ପୂର୍ଣ୍ଣ ଭଲ୍ୟୁମ ୧୦୦ ରୁ ୧୧୦ ଡେସିବେଲ ପର୍ଯ୍ୟନ୍ତ ହୋଇଥାଏ। ଲଗାତାର ଏତେ ତେଜ ଶବ୍ଦ ଶୁଣିବା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ। ଅନେକ ସମୟରେ ଏହି ତେଜ ଶବ୍ଦ ହୃଦ୍‌ଘାତର କାରଣ ହୋଇ ମୃତ୍ୟୁ ଡାକି ଆଣିଥାଏ। ସରଳ ଭାଷାରେ କହିବାକୁ ଗଲେ, ୧୮୫-୨୦୦ ଡେସିବେଲ ପର୍ଯ୍ୟନ୍ତ ଶବ୍ଦ ମଣିଷର ମୃତ୍ୟୁର କାରଣ ହୋଇପାରେ।

 

 

Comments are closed.