Latest Odisha News

BREAKING NEWS

କେଉଁ ଅଞ୍ଚଳରେ କିପରି ପାଳନ ହେଉଛି ମକର ସଂକ୍ରାନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଭାରତର ପ୍ରାୟତଃ ପ୍ରତ୍ୟେକ ସ୍ଥାନରେ ଆଜି ମକର ସଂକ୍ରାନ୍ତି ପାଳନ କରାଯାଉଛି । ବିଭିନ୍ନତା ମଧ୍ୟରେ ଏକତା ଥିବା ଆମ ଦେଶର କେଉଁ ସ୍ଥାନରେ କିଭଳି ଏହି ପର୍ବ ପାଳନ ହେଉଛି ଆସନ୍ତୁ ଜାଣିବା…

ଓଡ଼ିଶାରେ ବେଶ୍ ଧୁମଧାମରେ ମକର ସଂକ୍ରାନ୍ତିକୁ ପାଳନ କରାଯାଉଛି । ଏଥିପାଇଁ ସମସ୍ତ ଦେବାଳୟରେ ଆଜି ସକାଳୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି ।

ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ନେଇ ଦେଖାଦେଇଥାଏ ବେଶ ଉତ୍ସାହ । ମକର ସଂକ୍ରାନ୍ତିକୁ ଦକ୍ଷିଣ ଭାରତରେ ପୋଙ୍ଗଲ ପର୍ବ ଭାବରେ ପାଳନ କରାଯାଉଛି । ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଏହି ପର୍ବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ।

ପୋଙ୍ଗଲ ଅବସରରେ ଷଣ୍ଢ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।ଏହାକୁ ଦୃଷ୍ଟିରେ ରଖି ଷଣ୍ଢମାନଙ୍କର ମାଲିକମାନେ ଯାତ୍ରା ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ମକର ସଂକ୍ରାନ୍ତି ଅବସରରେ ତାମିଲନାଡୁ ସରକାର ପ୍ରସିଦ୍ଧ ଜାଲ୍ଲୀକାଟୁ ପ୍ରତିଯୋଗିତା ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ପ୍ରତିଯୋଗିତା ଜାନୁଆରୀ ୧୫ରୁ ଆରମ୍ଭ ହେଉଛି । ମଦୁରାଇରେ ଦୀର୍ଘ ୧୬ ଦିନ ପର୍ଯ୍ୟନ୍ତ ଚାଲିବା ପରେ ଏହି ପ୍ରତିଯୋଗିତା ଜାନୁଆରୀ ୩୧ ତାରିଖରେ ଶେଷ ହେବ ।

ଦକ୍ଷିଣ ଭାରତରେ ଏହି ପର୍ବକୁ ଜାଲ୍ଲୀକଟ୍ଟୁ ମଟ୍ଟୁ ବୋଲି ମଧ୍ୟ କୁହାଯାଏ । ତାମିଲ ଭାଷାରେ ମଟ୍ଟୁ ଶବ୍ଦର ଅର୍ଥ ଷଣ୍ଢ । ପୋଙ୍ଗଲ ପର୍ବର ତୃତୀୟ ଦିନରେ ଏହି ଉତ୍ସବ ପାଳନ କରାଯାଏ । ଏହି ଦିନ ମଇଁଷିକୁ ପୂଜା ମଧ୍ୟ କରାଯାଏ । ପରେ ଆରମ୍ଭ ହୁଏ ଷଣ୍ଢ ଓ ଯୁବକ ମୁହାଁମୁହିଁ ଖେଳ । ଯୁବକମାନେ ଲାଲ ଗାମୁଛାରେ ଷଣ୍ଢକୁ ଚିଢ଼ାଇବା ପାଇଁ ଚେଷ୍ଠା କରନ୍ତି ।

ଭାରତର ଉତ୍ତରଭାଗରେ ମଧ୍ୟ ଏହାର ଆସର ବେଶ୍ ଜମିଛି । ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ଗଙ୍ଗା ନଦୀରେ ଶ୍ରଦ୍ଧାଳୁମାନେ ଭୋର ସକାଳୁ ବୁଡ଼ ପକାଇଛନ୍ତି ।

ସେହିଭଳି ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ମଧ୍ୟ ଏହି ପର୍ବକୁ ଧୂମଧାମରେ ପାଳନ କରାଯାଉଛି । ଗୁଜୁରାଟର ଗାଁ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଗୁଡ଼ି ଉଡାଇବା ପ୍ରତିଯୋଗିତାର ଆୟୋଜନ କରାଯାଉଛି ।

Leave A Reply

Your email address will not be published.