ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଫୋକସରେ ମହିଳା । ଏମାନଙ୍କ ଭୋଟ ହାତେଇବାକୁ ତିନି ଦଳ ଆଣିଛନ୍ତି ବମ୍ପର ସ୍କିମ୍। ହେଲେ ସବୁଠାରୁ ବଡ଼ କଥା ହେଉଛି ଜାତୀୟ ରାଜଧାନୀରେ ଏଯାଏଁ ଯେତେ ଥର ନିର୍ବାଚନ ହୋଇଛି, କେବେ ବି ମହିଳା ବିଧାୟକଙ୍କ ସଂଖ୍ୟା ଦ୍ବି-ଅଙ୍କରେ ପହଞ୍ଚିନି । ମହିଳାଙ୍କ ପାଇଁ ଯୋଜନା ସହ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ସବୁ ରାଜନୈତିକ ଦଳ ଦାବି କରିଥିଲେ । ପାର୍ଲାମେଣ୍ଟରେ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । କିନ୍ତୁ ଏଥର ନିର୍ବାଚନରେ କୌଣସି ରାଜନୈତିକ ଦଳ ତାହା ଅନୁସରଣ କରି ନାହାନ୍ତି ।
ଦିଲ୍ଲୀରେ ୭୦ଟି ବିଧାନସଭା ଆସନ ଥିବା ବେଳେ ୩୩ ପ୍ରତିଶତ ହେଲେ ୨୩ଟି ଆସନ ହେଉଛି । ତେଣୁ ଏ ଦୃଷ୍ଟିରୁ ଦେଖିବାକୁ ଗଲେ, କୌଣସି ରାଜନୈତିକ ଦଳ ୩୩ ପ୍ରତିଶତ ଅର୍ଥାତ ୨୩ ଜଣ ମହିଳାଙ୍କୁ ପ୍ରାର୍ଥୀ କରି ନାହାନ୍ତି । ଦିଲ୍ଲୀରେ ଏବେ ଯାଏଁ ଯେତେ ବିଧାନସଭା ନିର୍ବାଚନ ହୋଇଛି, ସେସବୁରେ ହାରାହାରି ୬୦ ପ୍ରତିଶତ ମତଦାନ ହାର ରହିଛି । ମତଦାନରେ ଧୀରେ ଧୀରେ ମହିଳାଙ୍କ ଭାଗିଦାରୀ ବଢ଼ିଛି । କିନ୍ତୁ ମହିଳା ନେତୃତ୍ବ ସଂଖ୍ୟା ସେହି ଅନୁପାତରେ ବଢ଼ିନି । ୧୯୯୩ରୁ ବର୍ତ୍ତମାନ ସୁଦ୍ଧା, ୭ଟି ନିର୍ବାଚନରେ ମାତ୍ର ୩୯ ଜଣ ମହିଳା ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
୨୦୧୩ରୁ ଦିଲ୍ଲୀରେ ମହିଳା ଭୋଟରଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ୨୦୨୦ରେ କୋଭିଡ୍ ପାଇଁ ମହିଳାଙ୍କ ଅଂଶଗ୍ରହଣ, ପୁରୁଷଙ୍କଠାରୁ ଟିକେ କମ ଥିଲା । ସେତେବେଳେ ପୁରୁଷ ମତଦାନ ହାର ୬୨.୫୧ ପ୍ରତିଶତ ଥିବା ବେଳେ ମହିଲା ମତଦାନ ହାର ଥିଲା ୬୨.୫୯ ପ୍ରତିଶତ । ୧୯୯୩ ପ୍ରଥମ ନିର୍ବାଚନରେ ଏହି ବ୍ୟବଧାନ ଅଧିକ ରହିଥିଲା । ସେତେବେଳେ ପୁରୁଷ ମତଦାନ ହାର ୬୪.୫୬ ପ୍ରତିଶତ ଏବଂ ମହିଳା ମତଦାନ ହାର ୫୮.୨୭ ପ୍ରତିଶତ ଥିଲା । ୨୦୨୦ ନିର୍ବାଚନରେ ମହିଳା ମତଦାନ ହାର, ପୁରୁଷଙ୍କଠାରୁ କମ ଥିଲେ ମଧ୍ୟ ଆମ୍ ଆଦମୀ ପାର୍ଟିର ମହିଲାଙ୍କ ପାଇଁ ମାଗଣା ବସ ଯାତ୍ରା ଘୋଷଣା, ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲା । ଯେଉଁଥି ପାଇଁ ବୋଧେ, ୨୦୨୫ ନିର୍ବାଚନରେ ଆପ୍ ସହ ବିଜେପି ଓ କଂଗ୍ରେସ ମଧ୍ୟ ଦିଲ୍ଲୀର ମହିଳା ଭୋଟରଙ୍କୁ କରିଛନ୍ତି ଅଧିକ ମାତ୍ରାରେ ଫୋକସ୍ ।
Comments are closed.