Latest Odisha News

BREAKING NEWS

ପ୍ରଥମ ନୁହେଁ ନିମିଷା…..ଶୁଳିରେ ଚଢିଲେଣି କେତେ ଭାରତୀୟ?

ନୂଆଦିଲ୍ଲୀ: ୟେମେନର ରାଜଧାନୀ ସନାର ଏକ ଜେଲରେ ୩୮ ବର୍ଷୀୟ ଭାରତୀୟ ନର୍ସ ନିମିଷା ପ୍ରିୟା ଏବେ ମୃତ୍ୟୁ ନେଇ ଘଣ୍ଟା ଗଣୁଛନ୍ତି। କାରଣ ସେଠାକାର କୋର୍ଟ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ଏବେ ତାଙ୍କ ଜୀବନ ମାତ୍ର ଦୁଇ ଦିନର । ଏହି ସମୟରେ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି କେରଳ ନର୍ସଙ୍କ ଜୀବନ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ତେବେ ନିମିଷା ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି ଏବଂ ସେଠାକାର କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସେ ଏହି ନିଷ୍ପତ୍ତିକୁ ୟେମେନର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା ଏବଂ ମୃତ୍ୟୁଦଣ୍ଡକୁ ବଜାୟ ରଖାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏଥିରେ ବିଶେଷ କିଛି କରିପାରିବ ନାହିଁ ବୋଲି ଭାରତ କହିଛି ।

କାହିଁକି ନିମିଷାଙ୍କୁ ଫାଶୀ?

ପେଶାରେ ଜଣେ ନର୍ସ ଥିବା କେରଳ ଝିଅ ନିମିଷା ପ୍ରିୟାଙ୍କୁ, ୨୦୧୭ ମସିହାରେ ଜଣେ ୟେମେନୀ ନାଗରିକଙ୍କୁ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ଦିଆଯାଇଛି। ଯିଏ ତାଙ୍କୁ ନିର୍ଯାତନା ଏବଂ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ୟେମେନୀ ନାଗରିକଙ୍କ କବଜାରୁ ତାଙ୍କ ପାସପୋର୍ଟ ଫେରାଇ ଆଣିବା ପାଇଁ, ନିମିଷା ୟେମେନୀ ପୁରୁଷଙ୍କୁ ବେହୋସ କରିବାକୁ ଚେଷ୍ଟା କରିଥିଲେ, ହେଲେ ଡ୍ରଗ୍ସ ଓଭରଡୋଜ୍ ଯୋଗୁଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସେଠାକାର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ନିମିଷା ପ୍ରିୟାଙ୍କୁ ଜୁଲାଇ ୧୬ ରେ ଫାଶି ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ।

କ’ଣ କହିଲା ଭାରତ?

ୟେମେନରେ ଭାରତୀୟ ନାଗରିକ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବା ପାଇଁ ଦାୟର ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା । ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ସନ୍ଦୀପ ମେହେଟାଙ୍କ ଖଣ୍ଡପୀଠ ସମ୍ମୁଖରେ ଅନୁଷ୍ଠିତ ଏହି ଶୁଣାଣିରେ, ଭାରତ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ମାମଲା ଉପସ୍ଥାପନ କରିଥିଲେ। ସେ କୋର୍ଟକୁ କହିଥିଲେ ଯେ ୟେମେନର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସରକାର ଅଧିକ କିଛି କରିପାରିବେ ନାହିଁ। ଭାରତ ସରକାର ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଯାଇପାରିବେ। ଆଉ ବର୍ତ୍ତମାନ ସରକାର ସେହି ସୀମାର ଶେଷ ଯାଏଁ ପହଞ୍ଚିସାରିଛନ୍ତି ।

ପ୍ରଥମ ନୁହେଁ ନିମିଷା…

ନିମିଷା ପ୍ରିୟା ପ୍ରଥମ ଭାରତୀୟ ନୁହଁନ୍ତି ଯିଏ ବିଦେଶରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଭାରତ ସରକାର ସଂସଦରେ ଦେଇଥିବା ସୂଚନା ଅନୁଯାୟୀ, ବିଶ୍ୱର ଆଠଟି ଦେଶରେ ୪୯ ଜଣ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। କେବଳ ସଂଯୁକ୍ତ ଆରବ ଏମିରେଟ୍ସରେ ୨୫ଜଣ ଭାରତୀୟ ନାଗରିକଙ୍କୁ ଏହି ଦଣ୍ଡ ଦିଆଯାଇଛି । ସେହିପରି ସାଉଦି ଆରବରେ ୧୧ ଜଣ, ମାଲେସିଆରେ ୬ ଜଣ, କୁଏତରେ ୩ ଜଣ ଏବଂ ଇଣ୍ଡୋନେସିଆ, ଆମେରିକା, କତାର, ୟେମେନରେ ୧ ଜଣ ଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଅର୍ଥାତ୍ ମୋଟ ୪୯ ଜଣ ଭାରତୀୟ ବିଦେଶ ମାଟିରେ ଶୁଳିରେ ଚଢିଛନ୍ତି ଏବଂ ସେମାନେ ଏହାର କାର୍ଯ୍ୟନୁଷ୍ଠାନ ଅପେକ୍ଷାରେ ଅଛନ୍ତି ।

କେଉଁ ଜେଲରେ ସର୍ବାଧିକ ଭାରତୀୟ?

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ସର୍ବାଧିକ ଭାରତୀୟଙ୍କୁ ବନ୍ଦୀ କରାଯାଇଥିବା ଦେଶଗୁଡ଼ିକରେ ସାଉଦି ଆରବ ଏବଂ ୟୁଏଇ ସବୁଠାରୁ ଆଗରେ ଅଛନ୍ତି। ଏଠାରେ ୨୬୩୩ ଏବଂ ୨୫୧୮ କଏଦୀଙ୍କୁ ବନ୍ଦୀ କରାଯାଇଛି। ଏହା ପରେ ରହିଛି ନେପାଳ, ସେଠାରେ ୧୩୧୭ ଭାରତୀୟଙ୍କୁ ବନ୍ଦୀ କରାଯାଇଛି । ସେହିପରି କତାରରେ ୬୧୧, କୁଏତରେ ୩୮୭, ମାଲେସିଆରେ ୩୩୮, ପାକିସ୍ତାନରେ ୨୬୬, ଚୀନରେ ୧୭୩, ଆମେରିକାରେ ୧୬୯, ଓମାନରେ ୧୪୮ ଏବଂ ରୁଷ ଓ ମିଆଁମାରରେ ୨୭ ଜଣ ଭାରତୀୟଙ୍କୁ କଏଦୀ କରି ରଖାଯାଇଛି ।

Comments are closed.