Latest Odisha News

BREAKING NEWS

ନବମ ଥର ନବୀନ…ଆଗରେ ଏସବୁ ଚ୍ୟାଲେଞ୍ଜ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ଛଡା ଆଉ କେହି ନାମାଙ୍କନ ଭରିନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ଅପ୍ରତିଦ୍ବନ୍ଦ୍ବୀ ନବୀନଙ୍କ ଆଗରେ ଏଥର ଅନେକ ଚ୍ୟାଲେଞ୍ଜ । ୨୪ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ସିଟରେ ରହିଥିବା ବେଳେ ସଭାପତି ଭାବେ ନବୀନଙ୍କୁ ଏକାସାଙ୍ଗରେ ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡିବ । ନିର୍ବାଚନ ପରାଜୟ ପରେ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷ ଓ୍ବକଫ୍ ଭୋଟ୍ ପରେ ବଡ଼ ରୂପ ନେଇଛି । ଦଳ ଭିତରେ ବରିଷ୍ଠ ନେତା ପରୋକ୍ଷ ତଥା ପ୍ରତ୍ୟକ୍ଷରେ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତ ବାହାରେ ଭୋଟର ଓ ଦଳୀୟ କର୍ମୀ ବି ଦୋଛକିରେ ରହିଛନ୍ତି । ଧର୍ମନିରପେକ୍ଷତା ଓ ସାମାଜିକ ସୁରକ୍ଷା ଦଳର ଆଭିମୁଖ୍ୟ ରହି ଆସିଥିବା ବେଳେ ଓ୍ବକଫ୍ ଭୋଟ୍ ଏଥିରେ ପ୍ରଶ୍ନ ଚିହ୍ନ ଲଗାଇଛି ।

କେମିତି ତୁଟାଇବେ ନେତାଙ୍କ ଅସନ୍ତୋଷ?

ବିଜେଡି ନେତାଙ୍କ ମନରେ ରହିଥିବା ଅସନ୍ତୋଷକୁ ତେଜିଛି ଓ୍ବକଫ୍ ନିଆଁ । କିଛି ବରିଷ୍ଠ ନେତା ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତ କିଛି ଓ୍ବେଟ୍ ଆଣ୍ଡ ଓ୍ବାଚ୍ ମୋଡରେ ରହିଛନ୍ତି । ତେଣୁ ନବମ ଥର ବିଜେଡି ସଭାପତି ହେବା ପରେ ନବୀନଙ୍କ ଆଗରେ ସବୁଠୁ ବଡ଼ ଚ୍ୟାଲେଞ୍ଜ, ଘରସଜଡା । ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଓହରିଯାଇଥିବା କହିଥିଲେ ମଧ୍ୟ ଏବେବି ଦଳର ବିଭିନ୍ନ ନିଷ୍ପତ୍ତିରେ ତାଙ୍କ ହସ୍ତକ୍ଷେପ ରହୁଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଅସନ୍ତୋଷ, ହୋଟେଲରେ ମେଳି ତଥା ପରୋକ୍ଷରେ ସୋସିଆଲ୍ ମିଡିଆ ପୋଷ୍ଟ ଓ ଚିଠି ବି ଲେଖିଛନ୍ତି ନେତା । ତେଣୁ ନବୀନ ଦଳରେ ପାଣ୍ଡିଆନଙ୍କ ଭୂମିକା ନେଇ ସ୍ପଷ୍ଟ କରିବା ସହ ଦଳର ବରିଷ୍ଠ ନେତାଙ୍କୁ ଏନେଇ ବିଶ୍ବାସ ଦେବାକୁ ଉଦ୍ୟମ କରିବେ ।

ନମ୍ବର ଟୁ ନୁହେଁ କମିଟି !

ବିଜେଡିରେ ନବୀନ ପଟ୍ଟନାୟକ ସଭାପତି ରହିଥିଲେ ମଧ୍ୟ ଅନେକ ସମୟରେ ଦ୍ବିତୀୟ କ୍ଷମତାକେନ୍ଦ୍ରକୁ ନେଇ ଚର୍ଚ୍ଚା ହୋଇଛି । କେତେବେଳେ ପ୍ରଣବ ପ୍ରକାଶ ଦାସ ତ କେତେବେଳେ ଭିକେ ପାଣ୍ଡିଆନଙ୍କ ନାଁ ଚର୍ଚ୍ଚା ହୋଇଛି । ତେବେ ଏଥିରେ ଦଳକୁ ଲାଭ କମ୍ କ୍ଷତି ଅଧିକ ହୋଇଛି। ତେଣୁ ଏଥର କାହାକୁ ବି ଦଳର ନମ୍ବର ଟୁ ଭାବେ ପ୍ରଦର୍ଶନ କରିନପାରନ୍ତି ନବୀନ । ବିଜେଡିକୁ ପୁଣି ରାଜନୈତିକ ବ୍ୟାପାର କମିଟି ଫେରିପାରେ ବୋଲି ବି କୁହାଯାଉଛି । ଦଳ ଗଠନର ପ୍ରାରମ୍ଭିକ ସମୟରେ ଏଭଳି କମିଟି ଦଳର ରାଜନୈତିକ ନିଷ୍ପତ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିଲା । ଏବେ ସେଭଳି ଏକ କମିଟି ଗଠନ କରି ଦଳ ଭିତରର ଅସନ୍ତୋଷରେ ଲଗାମ ଲଗାଇବାକୁ ଉଦ୍ୟମ କରିପାରନ୍ତି ନବୀନ । କାରଣ ବିଜେଡି ସାଂଗଠନିକ ନିର୍ବାଚନରେ ବବି ଓ ପାଣ୍ଡିଆନଙ୍କ ପତିଆରାକୁ ନେଇ ଚର୍ଚ୍ଚା ହେଉଛି ।

ଓ୍ବକଫ୍ ଭୋଟ୍ ନେଇ ସ୍ପଷ୍ଟତା

ଓ୍ବକଫ୍ ସଂଶୋଧନ ବିଲକୁ ନେଇ ପ୍ରଥମେ ନା ଓ ପରେ ବିବେକ ଉପରେ ଛାଡି ବଡ଼ ୟୁ-ଟର୍ଣ୍ଣ ନେଇଥିଲା ବିଜେଡି । ଦଳର ଏଭଳି ନିଷ୍ପତ୍ତିକୁ ନେଇ କେବଳ ସଂଖ୍ୟାଲଘୁ ଭୋଟର ନୁହଁନ୍ତି ଦଳର ବରିଷ୍ଠ ନେତାଙ୍କ ମନରେ ବି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନଙ୍କୁ ଲେଖିଥିବା ଚିଠିରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନିବେଦନ କରିଛନ୍ତି । ଆରମ୍ଭରୁ ଧର୍ମନିରପେକ୍ଷ ତଥା ସାମାଜିକ ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ବିଜେଡିର ଆଭିମୁଖ୍ୟ ନେଇ ନବୀନଙ୍କୁ ସ୍ପଷ୍ଟତା ଆଣିବାକୁ ପଡିବ । କାରଣ ବର୍ଷ ବର୍ଷ ଧରି ସଂଖ୍ୟାଲଘୁ ବିଜେଡିର କୋର ଭୋଟର ରହି ଆସିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଓ୍ବକଫ୍ ଭୋଟ୍ ନେଇ ନବୀନ ଦ୍ବନ୍ଦ୍ବ ନଦୂରାଇଲେ ଦଳ କ୍ଷତି ସହିପାରେ ।

ବିଜେପିକୁ ବିରୋଧ ନା ବନ୍ଧୁତା !

ଓ୍ବକଫ୍ ଭୋଟ ପରେ ବିଜେଡି ଓ ବିଜେପିର ସଂପର୍କ ନେଇ ବି ଚର୍ଚ୍ଚା ବଢିଛି । ନିର୍ବାଚନ ପୂର୍ବରୁ ଦୁର୍ନୀତିକୁ ନେଇ ବଡ଼ ବଡ଼ ଭାଷଣ ମାରୁଥିବା ବିଜେପି, କ୍ଷମତାକୁ ଆସିବାର ୧୦ମାସ ପରେ ବି ବିଜେଡିର ହେଭିଓ୍ବେଟ୍ ନେତାଙ୍କୁ ହାତ ମାରିନି । ସେହିପରି ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ, ବିରୋଧ ସେତେ ଶାଣିତ ହେଉନି । ଯେବେକି ଅଳ୍ପ ସଂଖ୍ୟକ ବିଧାୟକରେ ବିଧାନସଭା ଭିତରେ ଓ ବାହାରେ ହୁଲୁସ୍ତୁଲ କରୁଛି କଂଗ୍ରେସ । ଓ୍ବକଫ୍ ଭୋଟ ପରେ ତ ବିଜେପି ସହ ବିଜେଡିର ବନ୍ଧୁତା ଉପରେ ମୋହର ମାରିବା ଭଳି ହୋଇଛି । ତେଣୁ ବିଜେପିକୁ ବିରୋଧ ନା ସମର୍ଥନ, ସେନେଇ ନବୀନଙ୍କୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡିବ ।

Comments are closed.