Latest Odisha News

BREAKING NEWS

ନୂଆ ନିର୍ବାଚନ କମିସନରଙ୍କୁ କେମିତି ନିଯୁକ୍ତ କରିଛ, ଦସ୍ତାବିଜ ଦାଖଲ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଜି (ନଭେମ୍ବର ୨୪) କୋର୍ଟରେ ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।

ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନରଙ୍କ ନିଯୁକ୍ତିକୁ ଅଧିକ ପାରଦର୍ଶିତା ଆଣିବାକୁ ପ୍ରୟାସ କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତିମାନେ କହିଛନ୍ତି ଯେ ଏହାଦ୍ୱାରା ବର୍ତ୍ତମାନର ନିଯୁକ୍ତି ଚାଲିଥିବା ଚୟନ ପ୍ରକ୍ରିୟାକୁ ଏକ ଉତ୍ତମ ବୁଝାମଣା ଦେବ।

ନଭେମ୍ବର ୧୯ ରେ ପୂର୍ବତନ ଆଇଏଏସ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିବାକୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସମ୍ବିଧାନ ବେଞ୍ଚ ୧୭ ନଭେମ୍ବରରୁ ଶୁଣାଣି ଆରମ୍ଭ କରିଛନ୍ତି।

ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଏହି ମାମଲାର ଶୁଣାଣି କରୁଥିବା ୫ ଜଣିଆ ବିଚାରପତି ସହମତ ହୋଇଥିଲେ ଯେ ନୂଆ ନିଯୁକ୍ତିର ଫାଇଲ ଦେଖିବା ଆବଶ୍ୟକ। ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି, କିନ୍ତୁ ବିଚାରପତି କହିଛନ୍ତି ଯେ ଯଦି ଏହି ନିଯୁକ୍ତିରେ କୌଣସି ଅଡୁଆ ନଥିବ, ତେବେ ସରକାର ଫାଇଲ ଦେଖାଇବାରେ ଆପତ୍ତି କେଉଁଠି।

ନିର୍ବାଚନ ଆୟୋଗର ନିଯୁକ୍ତିକୁ ଅଧିକ ପାରଦର୍ଶିତା କରିବାକୁ ଚାହୁଁଥିବା ଆବେଦନକାରୀ ଅନୁପ ବାରନୱାଲ ଦାବି କରିଛିନ୍ତି ଯେ ନିର୍ବାଚନ କମିସନର ଚୟନ କାମ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳର ନେତାଙ୍କ ଉପରେ ନ୍ୟସ୍ତ କରାଯାଉ। ଆବେଦନକାରୀ କହିଛନ୍ତି ଯେ ବର୍ତ୍ତମାନ ନିର୍ବାଚନ କମିସନରଙ୍କୁ ସରକାର ନିଯୁକ୍ତ କରିଛନ୍ତି। ଏହି ପ୍ରକ୍ରିୟାରେ ପରିବର୍ତ୍ତନ ହେବା ଆବଶ୍ୟକ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିସନର ଏତେ ଶକ୍ତିଶାଳୀ ହେବା ଉଚିତ ଯେ ଯଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମଧ୍ୟ କୌଣସି ଭୁଲ କରନ୍ତି ତେବେ ସେ ତାଙ୍କ ଦାୟିତ୍ବକୁ ସଠିକ ଢଙ୍ଗରେ ପୂରଣ କରିପାରିବେ।

କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତିଙ୍କୁ କହିଛନ୍ତି ଯେ ସମ୍ବିଧାନରେ କ୍ଷମତା ଉଲ୍ଲେଖ ରହିଛି। ଯଦି ସୁପ୍ରିମକୋର୍ଟ ଏକ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ଏହା କାର୍ଯ୍ୟନିର୍ବାହୀ ଏବଂ ସଂସଦର ଅଧିକାରରେ ହସ୍ତକ୍ଷେପ ହେବ। ସଂସଦ ଦ୍ବାରା ଏହି ପ୍ରକାର ଆଇନ ପ୍ରସ୍ତୁତ କରାଯାଇଛି ଏବଂ ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଏହି ଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ବିଚାରପତିମାନେ କହିଛନ୍ତି ଯେ ସେମାନେ ଏହା ଉପରେ ଧ୍ୟାନ ରଖିବେ।

Leave A Reply

Your email address will not be published.