Latest Odisha News

BREAKING NEWS

‘ପଦ୍ମପୁର ପ୍ରଚାର ଦାୟିତ୍ୱରେ ଥିବା ନେତା ମୋତେ ଉପନିର୍ବାଚନରେ ହରାଇଛନ୍ତି’

ପଦ୍ମପୁର: ପୂର୍ବତନ ବିଧାୟିକା ତଥା ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ରାଧାରାଣୀ ପଣ୍ଡା ବରଗଡ ପଦ୍ମପୁର ଉପନିର୍ବାଚନ ପ୍ରଚାର କରୁଥିବା ବେଳେ ବିସ୍ଫୋରକ ବୟାନ ଦେଇଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ ଝାରସୁଗୁଡା ବିଜେପିରେ କନ୍ଦଳ ଭରି ରହିଛି। ନିକଟରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା। ବିଜେପି ଏଠାରେ ତୃତୀୟ ସ୍ଥାନରେ ରହିଥିଲା। ଦଳର ଏପରି ବିପର୍ଯ୍ଯୟ ପଛରେ ଜିଲ୍ଲାର ଜଣେ ନେତାଙ୍କୁ ଦାୟୀ କରିଛନ୍ତି। ହେଲେ ସେ କିଏ କହିନାହାନ୍ତି।

ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ଏକାଠି ହୋଇଛନ୍ତି ଅନେକ ନେତା। ଦଳ ଧାମନଗର ଭଳି ଏଠାରେ ବିଜୟୀ ହେବ ବୋଲି ଗଣିତ କଷୁଛି। ଘରକୁ ଘର ବୁଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରଚାର କରୁଛନ୍ତି। ଏହି ସମୟରେ ରାଧାରାଣୀ ପଣ୍ଡା କହିଛନ୍ତି, ଯିଏ ବ୍ରଜରାଜନଗର ଉପନିର୍ବାଚନର ଦାୟିତ୍ୱ ନେଇଥିଲେ ସେ ଏବେ ପଦ୍ନପୁର ଉପନିର୍ବାଚନ ଦାୟିତ୍ୱରେ ରହିଛନ୍ତି। ତେଣୁ ବ୍ରଜରାଜନଗର ଭଳି ପଦ୍ମପୁରରେ ମଧ୍ୟ ସେହି ବିଜେପି ନେତା ବିରୋଧୀ ଗୋଷ୍ଠୀ ସହିତ ହାତ ମିଳାଇ ପ୍ରଦୀପ ପୁରୋହିତଙ୍କୁ ହରାଇ ପାରନ୍ତି ବୋଲି ରାଧାରାଣୀ ପଣ୍ଡା କହିଛନ୍ତି।

ସେ କହିଛନ୍ତି, ସେ ଉପନିର୍ବାଚନରେ ହାରିଛନ୍ତି। ହେଲେ ସେ ତୃତୀୟ ସ୍ଥାନରେ ରହିବା ପଛରେ ଦଳରେ ଆତ୍ମଘାତୀ ନେତା। ଯିଏ ତାଙ୍କୁ ହରାଇଛନ୍ତି ତାଙ୍କ ବାବଦରେ ଦଳର ବରିଷ୍ଠ ନେତା ଜାଣିଛନ୍ତି। ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ ଏ ବାବଦରେ ଜଣାଇଛନ୍ତି। ଏବଂ କେଉଁ କାରଣ ପାଇଁ ସେ ହାରିଲେ ତାର କାରଣ ଦେଇଛନ୍ତି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ରାଜନୀତିରେ ସୁରେଶ ପୂଜାରୀ ଏବଂ ରାଧାରାଣୀ ପଣ୍ଡାଙ୍କ କନ୍ଦଳ ସମସ୍ତେ ଜାଣନ୍ତି। ଏପରି ସ୍ଥିତିରେ ରାଧାରାଣୀ ପଣ୍ଡା ଉଭୟ ବରଗଡ ସାଂସଦଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। କିନ୍ତୁ ରାଧାରାଣୀ ପଣ୍ଡା କାହା ନା ନେଇ ନାହାନ୍ତି କି ସୁରେଶ ପୂଜାରୀ ଏ ନେଇ କୌଣସି ଉତ୍ତର ରଖିନାହାନ୍ତି।

Leave A Reply

Your email address will not be published.