ଭୁବନେଶ୍ବର: ପଣା ସଂକ୍ରାନ୍ତି ତଥା ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଓଡିଆ ନବ ବର୍ଷ । ଏଥିସହିତ ପ୍ରକାଶ ପାଇଛି ଚଳିତ ବର୍ଷର ନୂଆ ପାଞ୍ଜି । ସୌରମାସ ଗଣନା ଅନୁସାରେ ସୋମବାର ମହାବିଷୁବ ସଂକ୍ରାନ୍ତିରୁ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଥିବା ବେଳେ, କେମିତି କଟିବ ଏହି ନୂତନ ଓଡିଆ ବର୍ଷ ସେନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି । କିଭଳି ରହିବ ପାଣିପାଗ?, କେମିତି ରହିବ ରାଜ୍ୟର ସ୍ଥିତି? ଚାଷବାସ, ରାଜନୈତିକ ଦୃଶ୍ୟପଟ୍ଟ, ରାଜ୍ୟର ସ୍ୱାସ୍ଥ୍ୟ କିଭଳି କଟିବ ? ତେବେ ଏନେଇ ନୂଆ ପଞ୍ଜିକାରେ କ’ଣ ରହିଛି ଆସନ୍ତୁ ଜାଣିବ ।
ତେବେ ନୂଆ ପଞ୍ଜିକା ଗଣନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ସମୟୋପଯୋଗୀ ବୃଷ୍ଟିପାତ ଓ ଉତ୍ତମ ଫସଲ ଉତ୍ପାଦନ ହେବ । ମାତ୍ର ଶନିଙ୍କ ଅବସ୍ଥିତି ଯୋଗୁଁ ରାଜ୍ୟରେ ବନ୍ୟା ଓ ବାତ୍ୟା ଭୟ, ପାରସ୍ପରିକ କଳହ, ଭୂକମ୍ପ ଆଶଙ୍କା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସେହିପରି ମଙ୍ଗଳଙ୍କ ଅବସ୍ଥିତି ଯୋଗୁଁ ରାଜା ଓ ପ୍ରଜାଙ୍କ ମଧ୍ୟରେ ଅବିଶ୍ଵାସର ବାତାବରଣ ସୃଷ୍ଟି ହୋଇପାରେ ।
ଏଥିସହିତ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ରହିବ । ବିରୋଧୀ ଦଳର ବହୁ ନେତା ଦଳ ବଦଳେଇବେ । ଏ ବର୍ଷ ୪ଥର ପଞ୍ଚଗ୍ରହକୂଟ ଥିବାରୁ ବାରମ୍ବାର ରାସ୍ତା ଦୁର୍ଘଟଣା, ବ୍ୟୋମଯାନ ଦୁର୍ଘଟଣା, ଚୋରି, ଡକାୟତି ଓ ହିଂସା ଯୋଗୁ ଧନଜୀବନ ହାନିର ସମ୍ଭାବନା ରହିଛି । ପାଞ୍ଜି ଗଣନାରେ ରାଜ୍ୟର ସ୍ବାସ୍ଥ୍ୟ କଥା କହିବାକୁ ଗଲେ, ଚଳିତ ବର୍ଷ ଶେଷାର୍ଦ୍ଧରେ ଅର୍ଥାତ୍ ନଭେମ୍ବର ଶେଷ ଆଡ଼କୁ ସଂକ୍ରାମକ ରୋଗ ସ୍ଥିତି ବଢ଼ିପାରେ । ତେବେ ସ୍ଥିତି ଅତ୍ୟନ୍ତ ଭୟାବହ ନହେଲେ ମଧ୍ୟ, ଏହା ସରକାଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବ । ଆଉ ଲୋକମାନେ ବି ହନ୍ତସନ୍ତ ହେବେ ।
Comments are closed.