Latest Odisha News

BREAKING NEWS

କେମିତି ପାକିସ୍ତାନ ଜାଲରେ ଫସୁଛନ୍ତି ଭାରତୀୟ ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଅପରେସନ୍ ସିନ୍ଦୂର ଦେଇଛି ଭାରତ । ଏହାପରଠୁ ଭାରତୀୟ ଗୁଇନ୍ଦା ସଂସ୍ଥା ହାଇଆଲର୍ଟରେ ରହିଛି । କାରଣ ଗତ ମାସେ ମଧ୍ୟରେ ପାକିସ୍ତାନକୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗରେ ମହାରାଷ୍ଟ୍ରରୁ ହରିୟାଣା ପର୍ଯ୍ୟନ୍ତ ଧରାପଡିଛନ୍ତି ୧୫ଭାରତୀୟ । ଫେସବୁକରେ ହନିଟ୍ରାପ ହେବା ପରେ ଯୁଦ୍ଧଜାହାଜର ବ୍ଲୁପ୍ରିଣ୍ଟ ସ୍କେଚ୍ ବନାଉଥିଲେ ମୁମ୍ବାଇର ଇଞ୍ଜିନିୟର ତ ହରିୟାଣାର ଟ୍ରାଭେଲ୍ ବ୍ଲଗରଙ୍କୁ ଲାହୋର ବଜାରରେ ମିଳିଥିଲା ସଶସ୍ତ୍ର ସୁରକ୍ଷା । ରାଜସ୍ଥାନର ଜଣେ ସରକାରୀ ଅଧିକାରୀଙ୍କ ପାକିସ୍ତାନ ଗସ୍ତ ହେଉ କି ଡିଗରେ ସିମ୍ କାର୍ଡ ସପ୍ଲାଏରଙ୍କ ସନ୍ଦିଗ୍ଘ ଭୂମିକା । ପ୍ରତିଟି ଗିରଫଦାରୀ ପଛରେ ରହିଛି ଶତ୍ରୁଦେଶକୁ ଗୁପ୍ତ ସୂଚନା ଦେବାର କଳା କାହାଣୀ । ତେବେ ପ୍ରଶ୍ନ ଉଠୁଛି, କେମିତି ପାକିସ୍ତାନ ଜାଲରେ ଫସି ଯାଆନ୍ତି ସାଧାରଣ ଭାରତୀୟ? କେମିତି ଶତ୍ରୁ ଦେଶ ପାଇଁ ପାଲଟି ଯାଆନ୍ତି ଗୁପ୍ତଚର?

ଗୁପ୍ତଚର ପଛର ହନିଟ୍ରାପ କାହାଣୀ

ମୁମ୍ବାଇର ଏକ ପ୍ରତିରକ୍ଷା ଟେକ୍ନୋଲୋଜି ଫାର୍ମରେ କାମ କରୁଥିବା ମେକାନିକାଲ୍ ଇଂଜିନିୟର ରବୀନ୍ଦ୍ର ବର୍ମାଙ୍କୁ ଗିରଫ କରିଥିଲା ଏଟିଏସ୍ । ଦକ୍ଷିଣ ମୁମ୍ବାଇର ନୌସେନା ଡକୟାର୍ଡକୁ କାମ ପାଇଁ ଅନେକ ଥର ଯାଇଥିଲେ ରବୀନ୍ଦ୍ର । ବୁଡାଜାହାଜ ଓ ଯୁଦ୍ଧଜାହାଜ ସଂପର୍କିତ କାମରେ ସେ ଜଡିତ ଥିଲେ । ତେବେ ତାଙ୍କ ଗିରଫଦାରୀ ପରେ ରବୀନ୍ଦ୍ରଙ୍କ ପାକିସ୍ତାନୀ ଲିଙ୍କ ସାମନାକୁ ଆସିଥିଲା । ପାୟଲ ଶର୍ମା ନାଁରେ ଥିବା ଫେସବୁକ ଆକାଉଣ୍ଟ ଖୋଳତାଡ଼ କରିବା ପରେ ସେ ହନିଟ୍ରାପରେ ଫସିଥିବା ଜଣାପଡିଥିଲା । ଟଙ୍କା ବଦଳରେ ଭାରତୀୟ ନୌସେନା ନେଇ ବିସ୍ତୃତ ସ୍କେଚ୍, ଡାଏଗ୍ରାମ ଓ ଅଡିଓ ନୋଟ୍ ପଠାଉଥିଲେ ରବୀନ୍ଦ୍ର । ନୌସେନା ଡକୟାର୍ଡକୁ ମୋବାଇଲ୍ ଫୋନ୍ ନେବା ଅନୁମତି ନଥିଲା, ତେବେ ସେଠାରେ  ଯାହା ଦେଖୁଥିଲେ ତାକୁ ମନେ ରଖି ପରେ ସ୍କେଚ୍ ବନାଇ ପଠାଉଥିଲେ ରବୀନ୍ଦ୍ର । ୨୦୨୪ ନଭେମ୍ବରରୁ ପାକିସ୍ତାନକୁ ସେ ଗୁପ୍ତ ସୂଚନା ଦେଉଥିଲେ ।

ୟୁଟ୍ୟୁବର ଗୁପ୍ତଚର…ଜ୍ୟୋତି ମାଲହୋତ୍ରା

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ ଟ୍ରାଭେଲ୍ ବ୍ଲଗର ଜ୍ୟୋତି ମାଲହୋତ୍ରା । ଦିଲ୍ଲୀରେ ଥିବା ପାକିସ୍ତାନ ହାଇ କମିଶନ ସହ ସିଧାସଳଖ ଯୋଗାଯୋଗରେ ଥିଲେ ଜ୍ୟୋତି । ଡାନିସ, ଅହସାନ ଓ ଶାହିଦ ନାମକ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଅଧିକାରୀଙ୍କ ସହ ସେ ଯୋଗାଯୋଗ କରିଥିଲେ । ତାଙ୍କ ଲାପଟପ, ମୋବାଇଲ୍ ଫୋନରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ପାକିସ୍ତାନ, ଚୀନ୍ ସହ ଅନ୍ୟ ଦେଶକୁ ଜ୍ୟୋତିଙ୍କ ଯାତ୍ରା ତଥା ଖର୍ଚ୍ଚକୁ ନେଇ ଯାଞ୍ଚ କରାଯାଉଛି । ଜଣେ ସ୍କଟିସ୍ ୟୁଟ୍ୟୁବର କାଲମ ମିଲଙ୍କ ଏକ ଭିଡିଓରେ ଜ୍ୟୋତିଙ୍କୁ ଲାହୋରର ଅନାରକଲି ବଜାରରେ ଏକେ-୪୭ଧରି ୬ଜଣ ଲୋକ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି ।

ଶତ୍ରୁ ଦେଶକୁ ଗୁପ୍ତ ସୂଚନା

ପଟିଆଲାର ୨୫ବର୍ଷୀୟ ଛାତ୍ର ଦେବେନ୍ଦର ସିଂ ଢିଲନଙ୍କୁ ଅନଲାଇନ୍ ପୋଷ୍ଟକୁ ନେଇ ଗିରଫ କରାଯାଇଥିଲା । ପରେ ତାଙ୍କ ପାକିସ୍ତାନ ଲିଙ୍କ ନେଇ ଖୁଲାସା ହୋଇଥିଲା । ସେହିପରି ରାଜସ୍ଥାନ ଜୈସଲମାରର ସରକାରୀ ଅଧିକାରୀ ଶକୁର ଖାନଙ୍କୁ ଗୁପ୍ତଚରୀ ଅଭିଯୋଗରେ ଗିରଫ କରାଯାଇଛି । ସେ ପୂର୍ବରୁ ଅଶୋକ ଗେହଲଟ ସରକାରରେ ପୂର୍ବତନ ମନ୍ତ୍ରୀ ସାଲେ ମହମ୍ମଦଙ୍କ ବ୍ୟକ୍ତିଗତ ସହାୟକ ଭାବେ କାମ କରୁଥିଲେ । ଖାନ୍ ୭ଥର ପାକିସ୍ତାନ ଯାଇଥିଲେ । ତାଙ୍କ ଲିଙ୍କ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଳତାଡ କରୁଛି । ରାଜସ୍ଥାନ ଡିଗରୁ ଗିରଫ ହୋଇଥିବା କାସିମ ଶତ୍ରୁ ଦେଶକୁ ଭାରତୀୟ ସିମକାର୍ଡ ଯୋଗାଉଥିଲେ । ଯାହାକୁ ଆଇଏସଆଇ ଭାରତୀୟଙ୍କ ସହ ଯୋଗାଯୋଗ କରିବା ସହ ସାମରିକ ସୂଚନା ମାଗିବାକୁ ବ୍ୟବହାର କରିଥିଲା । କେବଳ ଏତିକି ନୁହେଁ ଉତ୍ତରପ୍ରଦେଶର ବ୍ୟବସାୟୀ ଶହଜାଦା ହୁଅନ୍ତୁ କି ଜଳନ୍ଧରର ମହମ୍ମଦ ମୁର୍ତାଜା, ଦେଶ ବିରୋଧରେ ଯାଇ ପାକିସ୍ତାନକୁ ଗୁପ୍ତ ସୂଚନା ଦେଇଥିବା ବ୍ୟକ୍ତି ଏବେ ପୋଲିସ ଓ ଗୁଇନ୍ଦା ସଂସ୍ଥାର ସ୍କାନରରେ । ଅପରେସନ ସିନ୍ଦୂର ପରଠୁ ସୀମାବର୍ତ୍ତୀ ରାଜ୍ୟ ଓ ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ନଜର ରଖାଯାଇଛି ।

Comments are closed.