Latest Odisha News

ଟାଟା ଗ୍ରୁପରେ ଚାକିରି ପାଇଁ ଏକଦା ସିଭି ପକାଇଥିଲେ ରତନ… 

ମୁମ୍ବାଇ: ରତନ ଟାଟା କେବଳ ଜଣେ ସଫଳ ଶିଳ୍ପପତି ନୁହଁନ୍ତି ବରଂ ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ଟାଟା ଗ୍ରୁପକୁ ନୂତନ ଶିଖରକୁ ନେଇ ଦେଶ ତଥା ବିଶ୍ୱରେ ଏକ ବିରାଟ ନାମ ଅର୍ଜନ କରିଥିଲେ।

ରତନ ଟାଟା ଜଣେ ସଫଳ ବ୍ୟବସାୟୀ ଭାବରେ ସ୍ୱୀକୃତିପ୍ରାପ୍ତ। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ରତନ ଟାଟା ଜଣେ ସାଧାରଣ କର୍ମଚାରୀ ଭାବରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ।

କମ୍ପାନୀରେ କାମ କରୁଥିବାବେଳେ ଟାଟା ଗ୍ରୁପରେ ଚାକିରି ପାଇବା ପାଇଁ ସେ ଏକ ରେଜ୍ୟୁମ୍ ମଧ୍ଯ ପ୍ରସ୍ତୁତ କରିଥିଲେ। ଏହା ସେ ସମୟର ଘଟଣା ଯେତେବେଳେ ରତନ ଟାଟା ପାଠ ପଢିବା ପାଇଁ ଆମେରିକା ଯାଇଥିଲେ। ପାଠ ପଢିବା ପରେ ସେ ସେଠାରେ ହିଁ ରହିଯିବାକୁ ସ୍ଥିର କରିଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଜେଜେ ମାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭାରତ ଫେରିବାକୁ ପଡିଥିଲା। ଭାରତକୁ ଫେରିବା ପରେ ରତନ ଟାଟା ଟାଟା ଗ୍ରୁପରେ ତାଙ୍କର ପ୍ରଥମ ଚାକିରି କରିନଥିଲେ ବରଂ ଆଇବିଏମରେ ଯୋଗ ଦେଇଥିଲେ। ତେବେ ଏନେଇ ତାଙ୍କ ପରିବାରର କେହି ଜାଣିପାରିନଥିଲେ।

ଟାଟା ଗ୍ରୁପ୍‌ର ତତ୍କାଳୀନ ଚେୟାରମ୍ୟାନ୍ ଜେଆରଡି ଟାଟା ଏନେଇ ଖବର ପାଇବା ପରେ ବହୁତ ରାଗି ଯାଇଥିଲେ ଏବଂ ସେ ରତନ ଟାଟାଙ୍କୁ ଡାକି କହିଥିଲେ ଯେ ସେ ଆଇବିଏମ୍ ପାଇଁ କାମ କରିପାରିବେ ନାହିଁ। ଏଥିସହିତ ସେ ରତନ ଟାଟାଙ୍କୁ ତାଙ୍କ ବାୟୋଡାଟା ପଠାଇବାକୁ କହିଥିଲେ।

ଏହାପରେ ସେ ୧୯୬୨ ମସିହାରେ ଟାଟା ଇଣ୍ଡଷ୍ଟ୍ରିଜ୍ ରେ ଚାକିରି ପାଇଥିଲେ। ଟାଟା ପରିବାରର ସଦସ୍ୟ ହେବା ସତ୍ତ୍ୱେ ଚାକିରି ପାଇବା ପରେ ରତନଙ୍କୁ କମ୍ପାନୀରେ ସମସ୍ତ କାମ କରିବାକୁ ପଡୁଥିଲା। ସମସ୍ତ କାର୍ଯ୍ୟରେ ଅଭିଜ୍ଞତା ହାସଲ କରିବା ପରେ ସେ କମ୍ପାନୀର ଶୀର୍ଷ ସ୍ଥାନରେ ପହଞ୍ଚିପାରିଥିଲେ।

୧୯୯୧ରେ ରତନ ଟାଟା, ଟାଟା ସନ୍ସ ଏବଂ ଟାଟା ଗ୍ରୁପ୍ ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ ସେ ଟାଟା ଗ୍ରୁପକୁ ବହୁତ ଉଚ୍ଚକୁ ନେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଟାଟା ଗ୍ରୁପ୍ ୧୦୦ରୁ ଅଧିକ ଦେଶରେ କାୟା ବିସ୍ତାର କରିଥିଲା।

 

 

Leave A Reply

Your email address will not be published.