ଭୁବନେଶ୍ବର: ଆଜିକାଲି, WhatsApp ରେ ସ୍ପାମ୍ ଏବଂ ଠକେଇ କଲ୍ ଆସିବା ସାଧାରଣ କଥା ହୋଇଗଲାଣି। ବିଶେଷକରି ଲୋକମାନେ ବିଦେଶୀ ନମ୍ବର (ଯେପରିକି +234, +84, +62 ଇତ୍ୟାଦି) ରୁ ଆସୁଥିବା କଲ୍ ଦ୍ୱାରା ଠକାମିର ଶିକାର ହେଉଛନ୍ତି। କିଛି ଲୋକ ଠକ କଲ୍ ର ଫାଶରେ ପଡ଼ି ଟଙ୍କା ମଧ୍ୟ ହରାଇ ଥାଆନ୍ତି। କିନ୍ତୁ ଏବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ହ୍ୱାଟସଆପ୍ ତାର ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ନୂଆ ନୂଆ ଫିଚର୍ସ ଆଣୁଛି ଯାହା ଦ୍ଵାରା ଆପଣ ଏହି ସ୍ପାମ କଲ୍ ରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ହ୍ୱାଟସଆପରେ ସ୍ପାମ୍ କଲ୍ କିପରି ଏଡ଼ାଇବେ ଏବଂ ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିବେ।
ସ୍ପାମ୍ କଲ୍ ବିଶେଷକରି ବିଦେଶୀ ନମ୍ବରରୁ ଆସିଥାଏ । ଏହି କଲ୍ଗୁଡ଼ିକରେ, ଆପଣଙ୍କୁ ଲଟେରୀ କିମ୍ବା ପୁରସ୍କାର ଜିତିବାର ପ୍ରଲୋଭନ ଦିଆଯାଏ। କେହି ଜଣେ ନିଜକୁ ସରକାରୀ ଅଧିକାରୀ ଭାବରେ ପରିଚୟ ଦିଅନ୍ତି। ସେହିପରି ଭିଡିଓ କଲ୍ ମାଧ୍ୟମରେ ଆପଣଙ୍କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରାଯାଏ। ଆପଣଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଏ।
ହ୍ୱାଟସଆପରେ ଆପଣଙ୍କୁ ଏକ ଉପଯୋଗୀ ଫିଚର୍ ଦିଆଯାଇଛି, “Silence Unknown Callers”। ଏହା ଅଜଣା କଲଗୁଡ଼ିକୁ ସାଇଲେନ୍ସ କରିଥାଏ। ଏହି ଫିଚର୍ ଚାଲୁ ଥିବା ସମୟରେ, ଅଜଣା ନମ୍ବରରୁ ଆସୁଥିବା କଲ୍ ଆପଣଙ୍କ ସ୍କ୍ରିନରେ ଦେଖାଯିବ ନାହିଁ କିମ୍ବା ରିଙ୍ଗ ହେବ ନାହିଁ।
ଏହି କଲଗୁଡ଼ିକ କେବଳ ଆପଣଙ୍କ କଲ୍ ଲଗ୍ରେ ଦୃଶ୍ୟମାନ ହେବ ଯାହା ଦ୍ଵାରା ଆପଣ ଚାହିଁଲେ ପରେ ସେଗୁଡ଼ିକୁ ଦେଖିପାରିବେ। ଏହାଦ୍ବାରା ଆପଣ ଠକ କଲ୍ ଗୁଡିକୁ ରିସିଭ କରିବାରୁ ବଞ୍ଚିଯିବେ। ଏହି ଫିଚରକୁ ସକ୍ରିୟ କରି ଠକେଇରୁ ନିଜକୁ ରକ୍ଷା କରିପାରିବେ।
ପ୍ରଥମେ ହ୍ୱାଟସଆପ୍ ଖୋଲନ୍ତୁ, ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ। Settingsକୁ ଯାଆନ୍ତୁ। ଏହା ପରେ, Privacy ସେକ୍ସନକୁ ଯାଆନ୍ତୁ ଏବଂ Calls ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ Silence Unknown Callersବିକଳ୍ପ ଦେଖିବେ। ଏହାର ଟୋଗଲ୍ କୁ ଅନ୍ କରନ୍ତୁ।
ଏବେ ଆପଣ କୌଣସି ଅଜଣା ନମ୍ବରରୁ ଆସୁଥିବା କଲ୍ ପାଇଁ ହଇରାଣ ହେବ ନାହିଁ। ଯଦି କଲ୍ ଆସେ, ତେବେ ଆପଣ ସେମାନଙ୍କୁ ପୃଥକ ଭାବରେ ଚିହ୍ନଟ କରିପାରିବେ। ଆପଣ ଆପଣଙ୍କ ଇଚ୍ଛା ଅନୁସାରେ ସେଗୁଡ଼ିକୁ ଯାଞ୍ଚ କରିପାରିବେ ଏବଂ କଲ୍ ବ୍ୟାକ୍ ମଧ୍ୟ କରିପାରିବେ।
ଯଦି ଆପଣ ଭୁଲରେ କଲ୍ ଉଠାଇଦେଇଛନ୍ତି, ତେବେ ତୁରନ୍ତ ଏହାକୁ ବିଚ୍ଛିନ୍ନ କରନ୍ତୁ। କୌଣସି ସୂଚନା ସେୟାର କରନ୍ତୁ ନାହିଁ। ଯଦି କିଛି ଠକେଇ ହୋଇଛି, ତେବେ ଆପଣଙ୍କର ନିକଟସ୍ଥ ସାଇବର ଅପରାଧ ସେଲ୍କୁ ଅଭିଯୋଗ କରନ୍ତୁ କିମ୍ବା cybercrime.gov.in ରେ ରିପୋର୍ଟ କରନ୍ତୁ।
Comments are closed.