ଭୁବନେଶ୍ବର: ଗରମ ଦିନେ କିଛି ବ୍ୟକ୍ତିଙ୍କ ଠାରେ ଘିମିରି ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଖରାଦିନେ ଆମ ଦେହରୁ ପ୍ରବଳ ମାତ୍ରାରେ ଝାଳ ବୋହିଥାଏ । ତେଣୁ ଝାଳ ଚର୍ମରେ ଲାଗିବା କାରଣରୁ ଆମ ଦେହରେ ଘିମିରି ହୋଇଥାଏ । ଅଧିକାଂଶ ଛୋଟ ପିଲାଙ୍କ ଠାରେ ଘିମିରି ସମସ୍ୟା ଦେଖାଦେଇଥାଏ ।
ଖରାଦିନରେ ଶରୀରରୁ ଅଧିକ ଝାଳ ବାହାରିଥାଏ । ପ୍ରଦୂଷଣ, ଧୂଳି-ମାଟି, ମଇଳା, ମୃତ ଚର୍ମ କୋଷ କିମ୍ବା କୌଣସି ଜୀବାଣୁ ପ୍ରଭାବରେ ଝାଳ ଗ୍ରନ୍ଥିଗୁଡ଼ିକ ବନ୍ଦ ହୋଇଯାଏ । ଯେଉଁଥିପାଇଁ ଝାଳ ଚର୍ମର ଉପରିଭାଗରେ ପହଞ୍ଚେ ନାହିଁ, ଫଳରେ ଚର୍ମରେ ଛୋଟ ଲାଲ ଦାଗ ବାହାରିବା ଆରମ୍ଭ କରେ । ଏହା ଏକ ଗମ୍ଭୀର ସମସ୍ୟା ନୁହେଁ, କିନ୍ତୁ ଏହି ସମସ୍ୟାରେ ଯନ୍ତ୍ରଣା ଏବଂ ଜଳିବା ନିଶ୍ଚିତ ଭାବରେ ଜଣେ ବ୍ୟକ୍ତିଙ୍କୁ କଷ୍ଟ ଦେବା ସହ ଚିଡିଚିଡା କରିଦିଏ । ମଣିଷକୁ ଅସ୍ତବ୍ୟସ୍ତ କରି ଦିଏ ।
ଖରାଦିନେ ଏହି ଚର୍ମରୋଗରୁ ରକ୍ଷା ପାଇବା ପାଇଁ ଢିଲା ଓ ହାଲୁକା ରଙ୍ଗର କଟନ୍ ପୋଷାକ ପରିଧାନ କରିବା ଜରୁରୀ ଓ ଥଣ୍ଡା ପାଣିରେ ଗାଧୋଇବା ଘିମିରି ସମସ୍ୟାରୁ ଆରାମ ଦେଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଜଣ ସ୍କିନ ପ୍ରଡକ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଏଥିରେ ଆପଣ କିଛି ଘରୋଇ ଉପଚାର ସାହାଯ୍ୟରେ ଏହି ସମସ୍ୟା କମ କରିପାରିବେ।
-ଦଳଦୀରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଗାଧୋଇବା ପୂର୍ବରୁ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିରି ସ୍ଥାନରେ ଏହି ପେଷ୍ଟକୁ ପାଣି କିମ୍ବା ଗୋଲାପ ଜଳରେ ମିଶାଇ ଲଗାଇଲେ ବହୁତ ଆରାମ ମିଳିଥାଏ ।
-କଞ୍ଚା ଆଳୁ ରସକୁ ବାହାର କରି ଘିମିରି ହୋଇଥିବା ସ୍ଥାନରେ ଲଗାଇବା ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଘିମିରି ସ୍ଥାନରେ ଆଳୁ ରସ ଲଗାଇ ପ୍ରାୟ ୧୦ ରୁ ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇ ଦେବା ଦ୍ବାରା ଆରାମ ମିଳିଥାଏ ।
-ମୁଲତାନୀ ମାଟିରେ ଗୋଲାପ ଜଳକୁ ମିଶ୍ରଣ କରି ଏହାକୁ ଘିମିରି ସ୍ଥାନରେ ଲଗାଇବା ଦ୍ବାରା ଜଳା-ପୋଡା ଦୂର ହୋଇଥାଏ ।
-ଏକ ପାତ୍ରରେ ୧ଚାମଚ ଚନ୍ଦନ ପାଉଡର ନେଇ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଘିମିରି ସ୍ଥାନରେ ଲଗାଇ ୨୦-୨୫ ମିନିଟ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ତିନି ଥର ବ୍ୟବହାର କରନ୍ତୁ।
-ନିମ୍ବ ପତ୍ରକୁ ପେଷ୍ଟ କରି ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ରକ୍ରିୟା ସପ୍ତାହରେ ୫ ଥର ବ୍ୟବହାର କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ।
– ତାଜା ଆଲୋଭେରା ଜେଲକୁ ୧୫ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ତା’ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଆରାମ ମିଳିବା ସହ ଏହି ସମସ୍ୟା ଦୂର ହୋଇଥାଏ।
Comments are closed.