Latest Odisha News

କୁକୁଡାଙ୍କୁ ବାର୍ଡ଼ ‘ଫ୍ଲୁ’ରୁ କିପରି ଦୂରେଇ ରଖିବେ ?

ଭୁବନେଶ୍ବର: ବାର୍ଡ଼ ଫ୍ଲୁ ଏକଭୂତାଣୁ ଜନିତ ରୋଗ । ଯାହା ‘ଏଜିଆନ୍ ଇନ୍‌ଫ୍ଲୁଏନ୍‌ଜା’ ଶ୍ରେଣୀର ଭାଇରସ୍ ରୁ ବ୍ୟାପିଥାଏ । କୁକୁଡ଼ା ଫାର୍ମରେ ଗୋଟିଏ କୁକୁଡ଼ାକୁ ବାର୍ଡ଼ ଫ୍ଲୁ ହେଲେ ଏହା ଅନ୍ୟ କୁକୁଡାଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ ।

ତେଣୁ ଫାର୍ମ ପରିବେଶ ସଫାସୁତରା ରଖିବା ସହ ପ୍ରତିଶୋଧକ, ଟୀକା ବ୍ୟବସ୍ଥା ଓ ଆପତ୍ତକାଳୀନ ଅସୁବିଧାକୁ ଏଡାଇବା ପାଇଁ ଚାଷୀମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ରୋଗ କୁକୁଡାଙ୍କୁ କିପରି ବ୍ୟାପେ

ବାୟୁଜନିତ ସଂକ୍ରମଣ ଏହି ରୋଗର ମୁଖ୍ୟ କାରଣ । ଏହି ରୋଗର ଭୂତାଣୁ ବାୟୁ ଦ୍ଵାରା ଆସି ସୁସ୍ଥ କୁକୁଡାଙ୍କୁ ଆକ୍ରମଣ କରିଥାଏ । ପକ୍ଷୀମାନେ ଭ୍ରମଣ କରିବା ସମୟରେ ଏହି ରୋଗ ସେମାନଙ୍କ ପାଖରୁ ସୁସ୍ଥ କୁକୁଡା ପାଖକୁ ଆସେ । ଜଳଚର ପକ୍ଷୀ ଯଥା ବତକ,ରାଜହଂସମାନଙ୍କର ମଳ ସଂସ୍ପର୍ଶରେ ସୁସ୍ଥ କୁକୁଡାମାନେ ଆସିଲେ ଏହି ରୋଗ ଦେଖାଯାଇଥାଏ ।

ରୋଗର ଲକ୍ଷଣ

ସାଧାରଣତଃ ଦୁଇ ପ୍ରକାର ରୂପରେ ଏହି ରୋଗ କୁକୁଡାଙ୍କୁ ବ୍ୟାପିଥାଏ । ରୋଗ ଆକ୍ରାନ୍ତ ହେବାର ୩ ଦିନ ପରେ ଏହି ଲକ୍ଷଣ ପରିଲକ୍ଷିତ ହୁଏ ।

-କୁକୁଡ଼ା ଏବଂ କୁକୁଡ଼ା ଚିଆଁମାନଙ୍କଠାରେ ଶ୍ଵାସନଳୀ ଜନିତ ରୋଗ, କଫ ଛିଙ୍କ, ଶ୍ଵାସନଳୀରୁ ଘଡ଼ ଘଡ଼ ଶବ୍ଦ ବାହାରିବା, ଆଖିରୁ ପାଣି ନିର୍ଗତ ହେବା ଭଳି ସମସ୍ଯ ଦେଖାଦେଇଥାଏ । ଅଣ୍ଡା ଉତ୍ପାଦନ ହ୍ରାସ ପାଇବା ଓ ଡ଼ାଇରିଆ ଭଳି ଲକ୍ଷଣ ଦେଖାଯାଏ ।

– ମୁଣ୍ଡ ଏବଂ ବେକ କମ୍ପିବା, ଠିଆହେବାକୁ ସକ୍ଷମ ନ ହେବା, ବେକ ବଙ୍କା କରିଦେବା, ଗୋଡ଼ ଏବଂ ମୁଣ୍ଡକୁ ସିଧା ନ କରିପାରିବା ଇତ୍ୟାଦି ଲକ୍ଷଣ ପରିଲକ୍ଷିତ ହୁଏ । ଏହି ରୋଗରେ କୁକୁଡ଼ାମାନଙ୍କର ଚଳପ୍ରଚଳ ଏବଂ ରବିବା କମ୍ ହୋଇଯାଏ ।କେତେ ମାତ୍ରାରେ ମୁଣ୍ଡ ଅଂଶ ନୀଳ ରଙ୍ଗ ହେବା, ଶରୀରରୁ ଲୋମ ଝଡ଼ିଯାଏ ।

ରୋଗ ନିରାକରଣ

ଏହି ରୋଗର କୌଣସି ଔଷଧ ନାହିଁ । କେବଳ ରୋଗ ବ୍ୟାପିବା ବନ୍ଦ କରିବାକୁ ଆଣ୍ଟିବାୟୋଟିକ୍ ଏବଂ ଅନ୍ୟ ସାହାଯ୍ୟକାରୀ ଔଷଧ ଦିଆଯାଇପାରେ । ଏହି ବିଷୟରେ ଅଧିକ ତଥ୍ୟ ପାଇଁ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।

ରୋଗକୁ ଏଡ଼ାଇବେ କିପରି:

-ଯଦି ରୋଗର ଲକ୍ଷଣ ଦେଖାଯାଉଛି, ତେବେ ସୁସ୍ଥ କୁକୁଡାଙ୍କୁ ଆକ୍ରାନ୍ତ ହୋଇଥିବା କୁକୁଡାଙ୍କଠାରୁ ଅଲଗା ରଖନ୍ତୁ । ଆକ୍ରାନ୍ତ ହୋଇଥିବା କୁକୁଡାଙ୍କ ଖାଦ୍ୟ, ବାସନ, ପାନୀୟଜଳ ମଳ, ଛିଙ୍କ ଇତ୍ୟାଦି ଯେପରି ସୁସ୍ଥ କୁକୁଡା ସଂସ୍ପର୍ଶରେ ନ ଆସେ ଧ୍ୟାନ ଦିଅନ୍ତୁ ।

-ବନ୍ୟ ଏବଂ ଗୃହପାଳିତ ପକ୍ଷୀମାନଙ୍କର ଏକାଠି ବିଚରଣକୁ ବନ୍ଦ କରନ୍ତୁ ।

-ଯଥାସମ୍ଭବ ବ୍ଲାଡଫ୍ଲୁ ହୋଇଥିବା କୁକୁଡ଼ା ଫାର୍ମ ନିକଟକୁ ଗାଡ଼ି, ମୋଟର ଏବଂ ମନୁଷ୍ୟମାନଙ୍କ ଚଳପ୍ରଚଳ ବନ୍ଦ କରନ୍ତୁ ।

– ଏଥି ସହିତ ମୃତ କୁକୁଡ଼ାଙ୍କୁ ପୋତି ଦିଅନ୍ତୁ । ଉକ୍ତ ଫର୍ମ ହାଉସ୍‌ର ମଳ , ଖାଦ୍ୟ ପାନୀୟ ଜଳ, ପର ଅଣ୍ଡା ଏବଂ ଅଣ୍ଡା ଜାତୀୟ ଦ୍ରବ୍ୟକୁ ପୋଡ଼ିଦେବା କିମ୍ବା ପୋତିଦେବା ଉଚିତ ।

-କୁକୁଡ଼ା ଫାର୍ମର କାନ୍ଥ, ଚଟାଣ, ଛାତକୁ ୩ ପ୍ରତିଶତ କାଲସିୟମ୍ ହାଇଡ୍ରୋକସାଇଡରେ ପରିଷ୍କାର କରିବା ଉଚିତ୍ । ଚୂନ ଚଟାଣରେ ପକାଇବା ଉଚିତ୍ ।

Leave A Reply

Your email address will not be published.