ନୂଆଦିଲ୍ଲୀ: ଏବେ ସବୁ କ୍ଷେତ୍ରରେ ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ନଥିଲେ ଆପଣ କୌଣସି କାରବାର କିମ୍ବା ଋଣ ପରି ବ୍ୟାଙ୍କିଂ ସୁବିଧାଦି ପାଇବା ଖୁବ୍ କଷ୍ଟ। ମୋଟାମୋଟି ଭାବେ କହିଲେ ଏବେ କୌଣସି କାରବାର ଆଧାର କାର୍ଡ ବିନା ଅସମ୍ଭବ। ଏପରି ସ୍ଥିତିରେ ଆଧାରର ଅପବ୍ୟବହାର ବୃଦ୍ଧି ପାଉଛି। ଡିଜିଟାଲ ଯୁଗରେ ଠକମାନେ ଆଧାର କାର୍ଡକୁ ଅନେକ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ ବ୍ୟବହାର କରିପାରନ୍ତି । ତେବେ ଆପଣଙ୍କ କାର୍ଡକୁ ଅପବ୍ୟବହାରଠାରୁ କିପରି ରକ୍ଷା କରିବେ ? ଏଥିଲାଗି ଭାରତ ସରକାର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ।
ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ(UIDAI) ଆଧାର କାର୍ଡ ବ୍ୟବହାରକାରୀଙ୍କ ନମ୍ବରକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଅପବ୍ୟବହାରରୁ ରକ୍ଷା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଗୋପନୀୟତା ଫିଚର ଉପସ୍ଥାପନ କରିଛନ୍ତି । ସାଇବର ଅପରାଧୀମାନେ ଆଧାର ତଥ୍ୟ ନେଇ ବ୍ୟାଙ୍କ ଖାତାରୁ ଅର୍ଥ ଲୁଟି ନେଉଛନ୍ତି। ତେବେ ଏପରି ଠକେଇରୁ ରକ୍ଷା ପାଇବାର ସହଜ ବାଟ ହେଲା, ସଂପୂର୍ଣ୍ଣ ଆଧାର ବଦଳେର ମାସ୍କ୍ଡ ଆଧାର କାର୍ଡର ବ୍ୟବହାର। ସରକାର ‘ମାସ୍କଡ୍ ଆଧାର’ ଆଣିଛନ୍ତି ଯାହାକି ଆପଣଙ୍କର ଆଧାର ନମ୍ବରର କିଛି ଅଙ୍କକୁ ଲୁଚାଇ ରଖିବ । ଆପଣଙ୍କ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ପାଇଁ ଏକ ଅଭିନବ ସମାଧାନ ଭାବରେ ଏହାକୁ ବିବେଚନା କରାଯାଉଛି ।
ମାସ୍କ୍ଡ ଆଧାର କ’ଣ?
ଆଧାର କାର୍ଡ ଅପବ୍ୟବହାର ଜନିତ ଅପରାଧକୁ ରୋକିବା ଓ ଲୋକଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ‘ୟୁଆଇଡିଏଆଇ’ ପକ୍ଷରୁ ମାସ୍କ୍ଡ ଆଧାର କାର୍ଡ ଜାରି କରାଯାଇଛି। ଆଧାର କାର୍ଡରେ ଥିବା ମୋଟ୍ ୧୨ଟି ସଂଖ୍ୟା ଭିତରୁ ଏଥିରେ ପ୍ରଥମ ୮ଟି ସଂଖ୍ୟା ଉପରେ ‘X’ ଲେଖାଯାଇ ଲୁଚାଇ ଦିଆଯାଏ, ଯାହାଦ୍ବାରା ଆପଣଙ୍କ ସଂପୂର୍ଣ୍ଣ ଆଧାର ସଂଖ୍ୟାକୁ ଅନ୍ୟଜଣେ ଦେଖିପାରେନାହିଁ। ଫଳରେ ଅପବ୍ୟବହାରର ଆଶଙ୍କା କମିଯାଏ।
ମାସ୍କଡ୍ ଆଧାର କେତେ ଲାଭଦାୟକ?
ମାସ୍କଡ୍ ଆଧାର ବ୍ୟବହାର ଦ୍ବାରା ଆପଣଙ୍କ ଗୋପନୀୟତା ବଜାୟ ରହିଥାଏ। ମାସ୍କଡ୍ ଆଧାର ଉପଭୋକ୍ତାଙ୍କୁ ସେମାନଙ୍କର ଆଧାର ନମ୍ବରର ଅନଧିକୃତ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ଯେପରିକି ହୋଟେଲ, ହଷ୍ଟେଲ, ରେଷ୍ଟୁରାଣ୍ଟ, କ୍ଲବଗୁଡ଼ିକର ସଂସ୍ପର୍ଶରେ ଆସିବାର ବିପଦକୁ କମ୍ କରିବାରେ ସାହାଯ୍ୟ କରିବ । ଅଣସ୍ବୀକୃତିପ୍ରାପ୍ତ ଆକ୍ସେସ୍ଠାରୁ ଆପଣଙ୍କ ଆଧାର ନମ୍ବର ସୁରକ୍ଷିତ ରହେ।
ଅପରାଧୀଙ୍କ ହାତକୁ ଆଧାର ସୂଚନା ଚାଲିଯିବାରୁ ଏହା ବଞ୍ଚାଇଥାଏ, ଯାହାଦ୍ବାରା ଠକେଇର ଡର ହ୍ରାସ ପାଇଥାଏ। ଆପଣଙ୍କର ଆଧାର ନମ୍ବରର ଦୃଶ୍ୟତାକୁ ସୀମିତ କରି ଆପଣ ସମ୍ଭାବ୍ୟ ଠକମାନଙ୍କୁ ଠକେଇରୁ ଅଟକାଇ ପାରିବେ । ଏଭଳି ବ୍ୟକ୍ତି ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ବ୍ୟବହାର କରି ଅନୈତିକ କାର୍ଯ୍ୟ ପାଇଁ ଏହାକୁ ଅପବ୍ୟବହାର କରିବାର ସମ୍ଭାବନା ରହିଥାଏ ।
ଆଧାର ଲେଟର୍, ପିଭିସି କାର୍ଡ, ଇ-ଆଧାର, ଏମ୍-ଆଧାର ପରି ଏହା ମଧ୍ୟ ସବୁଆଡ଼େ ଗ୍ରହଣୀୟ ହୋଇଥାଏ। ମାସ୍କଡ୍ ଆଧାର ସମଗ୍ର ଦେଶରେ ସ୍ବୀକୃତିପ୍ରାପ୍ତ ଏବଂ ଏହାକୁ ସରକାରୀ ସେବା, ଆର୍ଥିକ ପ୍ରତିଷ୍ଠାନ ଏବଂ ବେସରକାରୀ ସଂଗଠନ ସମେତ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଛି, ଯେହେତୁ ଏହା ସରକାରଙ୍କଠାରୁ ସ୍ବୀକୃତି ପାଇସାରିଛି ।
ମାସ୍କଡ୍ ଆଧାର ପାଇବେ କେମିତି ଏବଂ ଡାଉନଲୋଡ କରିବେ କିପରି ?
‘ୟୁଆଇଡିଏଆଇ’ର ୱେବସାଇଟ୍ https://uidai.gov.in/କୁ ଲଗ୍ଇନ୍ କରନ୍ତୁ। ଏହାପରେ ‘ମାଇଁ ଆଧାର’କୁ ଯାଇ ‘ଡାଉନ୍ଲୋଡ୍ ଆଧାର’ରେ କ୍ଲିକ୍ କରନ୍ତୁ। ଏକ ନୂତନ ପେଜରେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ସଂଖ୍ୟା ବିଶିଷ୍ଟ ଭର୍ଚୁଆଲ୍ ଆଇଡି (ଭିଆଇଡି) ସହିତ ଅନ୍ୟାନ୍ୟ ତଥ୍ୟ ଦେଇ ଏଣ୍ଟର୍ ମାରନ୍ତୁ। ଏହାପରେ ‘ସିଲେକ୍ଟ୍ ଇୟୋର୍ ପ୍ରିଫରେନ୍ସ୍’ ସେକ୍ସନ୍ରେ ‘ମାସ୍କଡ୍ ଆଧାର’ ବିକଳ୍ପ ବାଛନ୍ତୁ। ସିଲେକ୍ଟ କଲାପରେ ଆପଣଙ୍କ ପଞ୍ଜୀକୃତ ଫୋନ୍ ନମ୍ବରରେ ଏକ ଓଟିପି ଆସିବ। ଭେରିଫିକେସନ୍ ପ୍ରୋସେସ୍ କନ୍ଫର୍ମ ପାଇଁ ଉକ୍ତ ନମ୍ବରଟି ଦିଅନ୍ତୁ। ଏଥର ଆପଣଙ୍କ ମାସ୍କଡ୍ ଆଧାର କାର୍ଡ ‘ପାସ୍ୱାର୍ଡ-ପ୍ରୋଟେକ୍ଟେଡ୍ ପିଡିଏଫ୍ ଫର୍ମାଟ୍’ରେ ଉପଲବ୍ଧ ହେବ।
ଏହି ଆଧାର କାର୍ଡକୁ ଖୋଲିବା ଲାଗି ମଧ୍ୟ ଆପଣଙ୍କୁ ପାସୱାର୍ଡର ଆବଶ୍ୟକ ପଡ଼ିବ । ପାସୱାର୍ଡ ହେଉଛି- ଆପଣଙ୍କ ନାଁର ପ୍ରଥମ ଚାରି ଅକ୍ଷର (ଆଧାର କାର୍ଡ ଅନୁସାରେ) ଓ ଆପଣଙ୍କ ଜନ୍ମ ବର୍ଷକୁ YYYYରେ ପ୍ରବେଶ କରନ୍ତୁ । ଉଦାହରଣ ସ୍ବରୂପ ଆପଣଙ୍କ ନାମ ଯଦି Kalia ଓ ଆପଣଙ୍କ ଜନ୍ମ ବର୍ଷ 1990 ତେବେ ଆପଣଙ୍କ ପାସୱାର୍ଡ ହେଉଛି KALI1990.।