ନୂଆଦିଲ୍ଲୀ: ବିଜେପିର ବଟେଙ୍ଗେ ତୋ କଟେଙ୍ଗେ । କଂଗ୍ରେସର ଡରୋଗେ ତୋ ମରୋଗେ । ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ମାହୋଲରେ ଜୋରଦାର ହେଲାଣି ରାଜନୈତିକ ଦଳଗୁଡିକର ନାରାବାଜି । ପୂର୍ବରୁ ମାଗଣା ବିଜୁଳି, ପାଣି, ସରକାରୀ ଚାକିରି ଓ ଋଣ ଛାଡ ନାରା ଦେଇ ନିର୍ବାଚନ ପ୍ରଚାର କରୁଥିଲେ ଦଳ । ଏବେ ସେସବୁ ପ୍ରତିଶ୍ରୁତି ତ ରହିଛି ହେଲେ ନାରା ବଦଳିଗଲାଣି । ଏବେକାର ନାରା ଅଧିକାଂଶ ଜାତି ଆଧାରିତ । କେତେକରେ କୌଣସି ସ୍ବତନ୍ତ୍ର କ୍ଷେତ୍ର ବା ବର୍ଗ ପ୍ରତି ବି ଫୋକସ୍ ରହୁଛି । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନୀ ରାଜନୀତିର ପାରଦ ବଢିଥିବା ବେଳେ ମାହୋଲ ବନାଇଛି ଏଭଳି ନାରା ।
ଚର୍ଚ୍ଚାରେ ବଟେଙ୍ଗେ ତୋ କଟେଙ୍ଗେ
ମହାରାଷ୍ଟ୍ରରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ବଟେଙ୍ଗେ ତୋ କଟେଙ୍ଗେ ନାରା ଚର୍ଚ୍ଚାର କେନ୍ଦ୍ରରେ ରହିଛି । ନିର୍ବାଚନ ପ୍ରଚାର ବେଳେ ଏହି ନାରାକୁ ବିଶେଷ ଭାବେ ବ୍ୟବହାର କରାଯାଉଛି । ବାଂଲାଦେଶରେ ଅଶାନ୍ତି ସଂପର୍କରେ କହିବାକୁ ଯାଇ ଗତ ଅଗଷ୍ଟ ମାସରେ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଇ ପ୍ରଥମେ ଏହି ନାରା ଲଗାଇଥିଲେ । ତେବେ ମହାରାଷ୍ଟ୍ର ନିର୍ବାଚନ ପ୍ରଚାର ବେଳେ ଏହାକୁ ବିଜେପି ନେତା ବାରମ୍ବାର ବ୍ୟବହାର କରିଛନ୍ତି । ତେବେ ବିରୋଧୀ ଏଥିରେ ସାଂପ୍ରଦାୟିକ ରଙ୍ଗ ମିଶିଥିବା କହି ବିଜେପିକୁ କଟାକ୍ଷ କରିଛନ୍ତି।
ଏକ ହେଁ ତୋ ସେଫ୍ ହେଁ
ଯୋଗୀଙ୍କ ନାରାରେ ସାମାନ୍ୟ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ନାରା ଦେଇଥିଲେ, ଏକ୍ ହେଁ ତୋ ସେଫ୍ ହେଁ। ନାରା ଲଗାଇବା ସହ କଂଗ୍ରେସ ଓବିସି, ଏସସି, ଏସଟିଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିବା ମୋଦି କହିଥିଲେ । ନାରାକୁ କଂଗ୍ରେସର ବିଭାଜନକାରୀ ରାଜନୀତି ସହ ଯୋଡି ଜାତୀୟ ଏକତାକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଥିଲେ। ଗୋଟିଏ ଜାତିକୁ ଆଉ ଏକ ଜାତି ବିରୋଧରେ ଠିଆ କରିବା ହେଉଛି କଂଗ୍ରେସର ନୀତି । ଦେଶ ଦୁର୍ବଳ ହେଲେ ହିଁ କଂଗ୍ରେସ ଶକ୍ତିଶାଳୀ ହୋଇପାରିବ କହି ଜୋରଦାର ଟାର୍ଗେଟ୍ କରିଥିଲେ ମୋଦି ।
ଡରୋଗେ ତୋ ମରୋଗେ
ବିଜେପି ନାରାର ଜବାବରେ କଂଗ୍ରେସ ଡରୋଗେ ତୋ ମରୋଗେ ନାରା ଲଗାଇ ଦେଇଛି । ବିଜେପି ଭୟ ଓ ବିଭାଜନ ବଢାଉଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବିଜେପି ଗଣତନ୍ତ୍ରକୁ ଶେଷ କରିବା ସହ ସଂସଦରେ ସ୍ବର ଦବାଇବାକୁ ଉଦ୍ୟମ କରୁଛି । ଦେଶକୁ ଆରଏସଏସ, ବିଜେପି, ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କଠାରୁ ବିପଦ ରହିଥିବା ଖଡଗେ କହିଥିଲେ । ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହୋଇପାରିବ, ଦେଶରେ ଗଣତନ୍ତ୍ର ମଜବୁତ ହୋଇପାରିବ । ତେବେ ବିଜେପି ଗଣତନ୍ତ୍ରକୁ ଶେଷ କରିବାକୁ ଚାହୁଁଥିବା ଖଡଗେ କହିଛନ୍ତି ।
କଂଗ୍ରେସର ଖଟାଖଟ୍-ଖଟାଖଟ୍ ନାରା
୨୦୨୪ଲୋକସଭା ନିର୍ବାଚନରେ କଂଗ୍ରେସର ଖଟାଖଟ୍-ଖଟାଖଟ୍ ନାରାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନରେ ବି ନାରାକୁ ଜୋରଦାର ବ୍ୟବହାର କରାଯାଉଛି । ମାଗଣା ବିଜୁଳି, ଖାଲି ପଡିଥିବା ସରକାରୀ ପଦ ପୂରଣ, ସୁପରସ୍ପେଶିଆଲିଟି ହସପିଟାଲ ସ୍ଥାପନ ପ୍ରତିଶ୍ରୁତି ତ ରହିଛି, ତେବେ ଜାତିଗତ ଜନଗଣନାକୁ ଅଧିକ ଫୋକସ୍ କରିଛି କଂଗ୍ରେସ । ସେପଟେ ଜେଏମଏମର ନାରା ରହିଛି, ଏକ ହି ନାରା, ହେମନ୍ତ ଦୋବାରା। ପୁଣି ଥରେ ଝାଡ଼ଖଣ୍ଡରେ ହେମନ୍ତ ସରକାର ଆଣିବାକୁ ଜୋରଦାର ଉଦ୍ୟମ କରୁଛି ଜେଏମଏମ ।
ନିର୍ବାଚନ ମାହୋଲରେ ନାରାର ଲୋକପ୍ରିୟତା ବଢେ, ସିଧାସଳଖ ଲୋକଙ୍କ ମନକୁ ଛୁଏଁ । ୨୦୦୪ରେ ଅଟଳ ବିହାରୀ ବାଜପେୟୀ ଇଣ୍ଡିଆ ସାଇନିଂ ନାରା ଲଗାଇ ବିକାଶକୁ ଉପସ୍ଥାପନ କରିବାକୁ ଉଦ୍ୟମ କରିଥିଲେ । ୨୦୦୯ରେ କଂଗ୍ରେସ ଭାରତ ନିର୍ମାଣ ନାରା ଲଗାଇଥିଲା । ସେହିପରି ୨୦୧୪ରେ ଅବ କି ବାର ମୋଦି ସରକାର ନାରା ସହ କଳାଧନ ଫେରସ୍ତ, ରୋଜଗାର ସୁଯୋଗ ସୃଷ୍ଟି ପ୍ରତିଶ୍ରୁତି ଦେଇ ମତଦାତାଙ୍କୁ ମନାଇଥିଲା ବିଜେପି । ୨୦୧୯ରେ ବିଜେପିର ଲଗାଇଥିଲା ଫିର୍ ଏକ ବାର ମୋଦି ସରକାର, ହର ହର ମୋଦି ଘର ଘର ମୋଦି, ମୋଦି ହୈ ତୋ ମୁମକିନ ହୈ ଭଳି ନାରା ।