Latest Odisha News

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ…

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଖୁବ୍ ଶୀଘ୍ର ୯୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି। ବର୍ଦ୍ଧିତ ବୟସ ଯୋଗୁଁ ଉତ୍ତରାଧିକାରୀ ଏବଂ ତାଙ୍କ ନିର୍ବାଚନ ବିଷୟରେ ପ୍ରାୟତଃ ଆଲୋଚନା ହୋଇଥାଏ।

ସେ ୧୪ ତମ ଦଲାଇଲାମା ଏବଂ ତାଙ୍କ ଉତ୍ତରାଧିକାରୀ ୧୫ ତମ ଲାମା ଭାବରେ ଜଣାଯିବେ। ଦଲାଇ ଲାମାଙ୍କୁ ଚୟନ କରିବାର ଏହି ପ୍ରଥା ୬୦୦ ବର୍ଷ ଧରି ଚାଲିଆସୁଛି। ଆଉ ଏବେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଉତ୍ତରାଧିକାରୀ କେବେ ନିର୍ବାଚିତ ହେବେ। ସୂଚନା ଅନୁଯାୟୀ, ଦଲାଇ ଲାମା କହିଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ନୂତନ ଦଲାଇ ଲାମା ନିର୍ବାଚିତ ହେବେ। ଏହା ସହିତ ଦଲାଇ ଲାମା ଉତ୍ତରାଧିକାରୀ ଚୟନ ସମ୍ପର୍କରେ ଚୀନକୁ ମଧ୍ୟ ଟାର୍ଗେଟ କରିଛନ୍ତି।

ଦଲାଇ ଲାମା ତାଙ୍କ ଉତ୍ତରାଧିକାରୀ ଚୟନରେ ଚୀନର ସମ୍ପୃକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଦଲାଇ ଲାମା ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମୁଁ ପୁଣି ଥରେ ଜଣାଇ ଦେଉଛି ଯେ ଗାଡେନ୍ ଫୋଡ୍ରଙ୍ଗ ଟ୍ରଷ୍ଟ ହେଉଛି ଏକମାତ୍ର, ଯାହାର ଭବିଷ୍ୟତର ପୁନର୍ଜନ୍ମ (ଦଲାଇ ଲାମାଙ୍କ ଚୟନ)କୁ ସ୍ୱୀକୃତି ଦେବାର ଅଧିକାର ଅଛି। ଏହି ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ କରିବାର ଅଧିକାର ନାହିଁ।

ଉଲ୍ଲେଖଯୋଗ୍ୟ, ଚୀନ୍ ୧୯୫୦ ମସିହାରେ ତିବ୍ଦତ ଉପରେ ଆକ୍ରମଣ କରିଥିଲା। ଏହା ପରେ ଦଲାଇ ଲାମା ୧୯୫୯ ମସିହାରେ ତିବ୍ଦତରୁ ପଳାଇ ଆସିଥିଲେ। ସେବେଠାରୁ ତିବ୍ଦତ ଚୀନ୍ କବଜାରେ ଅଛି। ଦଲାଇ ଲାମା ୧୯୫୯ ମସିହାରୁ ଭାରତରେ ନିର୍ବାସିତ ଜୀବନ କାଟୁଛନ୍ତି। ବର୍ତ୍ତମାନ ଦଲାଇ ଲାମା ହିମାଚଳ ପ୍ରଦେଶର ଧର୍ମଶାଳାର ମ୍ୟାକଲିଓଡଗଞ୍ଜରେ ରହୁଛନ୍ତି।

Comments are closed.