Latest Odisha News

BREAKING NEWS

ଏମିତି ହୁଏ ଦଲାଇ ଲାମାଙ୍କ ପୁନର୍ଜନ୍ମ !

ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରସଙ୍ଗରେ ଚୀନର ହସ୍ତକ୍ଷେପକୁ କଡା ବିରୋଧ କରିଛନ୍ତି ତିବ୍ବତର ନିର୍ବାସିତ ସରକାରର ମୁଖ୍ୟ ପେନପା ତ୍ସେରିଙ୍ଗ । ପୁନର୍ଜନ୍ମ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା । ତେଣୁ ପରବର୍ତ୍ତୀ ଦଲାଇ ଲାମା କେଉଁଠାରେ ଜନ୍ମ ନେବେ ସେକଥା ଚୀନ୍ କିଭଳି ସ୍ଥିର କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । କେଉଁଠାରେ ପୁନର୍ଜନ୍ମ ହେବ ସେକଥା ଆଧ୍ୟାତ୍ମିକ ଗୁରୁ ହିଁ ସ୍ଥିର କରନ୍ତି । ହିମାଚଳର ଧର୍ମଶାଳାରେ ରହୁଥିବା ବର୍ତ୍ତମାନର ଦଲାଇ ଲାମାଙ୍କୁ ଖୋଜିବା ପଛର କାହାଣୀକୁ ନେଇ ସେ ନିଜ ବହି ମାଇଁ ଲ୍ୟାଣ୍ଡ ଆଣ୍ଡ ମାଇଁ ପିପୁଲରେ ବିସ୍ତାର ଭାବେ ଦର୍ଶାଇଛନ୍ତି ।

ଏମିତି ହୁଏ ଦଲାଇ ଲାମାଙ୍କ ପୁନର୍ଜନ୍ମ

କେମିତି ହୁଏ ତିବ୍ବତୀୟ ବୌଦ୍ଧ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତାଙ୍କ ଚୟନ? କୁହାଯାଏ, ନୂଆ ଦଲାଇ ଲାମା ପୂର୍ବ ଲାମାଙ୍କ ପୁନର୍ଜନ୍ମ ହୋଇଥାନ୍ତି। ତାଙ୍କୁ ଚୟନ ନୁହେଁ ବରଂ ଖୋଜାଯାଏ । ଖୋଜିବା ପ୍ରକ୍ରିୟାରେ ଅନେକ ପ୍ରତୀକ ଓ ସଂକେତ ଉପରେ ଧ୍ୟାନ ରଖାଯାଏ । ସବୁ ଲକ୍ଷଣ ଓ ଆଧାରରେ ସନ୍ତୁଷ୍ଟ ହେବା ପରେ ହିଁ ନୂଆ ଦଲାଇ ଲାମାଙ୍କ ଘୋଷଣା କରାଯାଏ । ଦଲାଇ ଲାମାଙ୍କ ମୃତ୍ୟୁ ପରେ ବରିଷ୍ଠ ଭିକ୍ଷୁ ତାଙ୍କର ପରବର୍ତ୍ତୀ ଅବତାରଙ୍କୁ ଖୋଜନ୍ତି । ସ୍ବପ୍ନରେ ଦେଖିଥିବା ସଂକେତ ଓ ଛବିକୁ ସେ ବିଶ୍ଳେଷଣ କରନ୍ତି । ମୃତ୍ୟୁ ସମୟରେ ଦଲାଇ ଲାମାଙ୍କ ମୁଦ୍ରା, ତାଙ୍କ ଶବର ଦିଗ ଓ ଦାହ ସଂସ୍କାର ବେଳେ ଧୁଆଁର ଦିଗରୁ ବି ସଂକେତ ମିଳେ। ଲାହମୋ ଲାତ୍ସୋର ପ୍ରମୁଖ ହ୍ରଦର ବି ଏହି ପ୍ରକ୍ରିୟାରେ ବଡ଼ ଭୂମିକା ରହିଛି। ନୂଆ ଦଲାଇ ଲାମା ଖୋଜିବାର ପ୍ରକ୍ରିୟା ଯେତିକି ରୋଚକ ସେତିକି ଅବିଶ୍ବାସନୀୟ ।

ଦଲାଇ ଲାମାଙ୍କ ବହିରେ ପୂରା ପ୍ରକ୍ରିୟା

ହିମାଚଳପ୍ରଦେଶର ଧର୍ମଶାଳାରେ ରହୁଥିବା ବର୍ତ୍ତମାନର ଦଲାଇ ଲାମାଙ୍କୁ ଖୋଜିବାର ପ୍ରକ୍ରିୟା ବେଶ୍ ରୋଚକ ଥିଲା । ଏନେଇ ସେ ନିଜ ବହି ମାଇଁ ଲ୍ୟାଣ୍ଡ ଆଣ୍ଡ ମାଇଁ ପିପୁଲରେ ବିସ୍ତାର ଭାବେ ଦର୍ଶାଇଛନ୍ତି । ୧୯୩୩ ମସିହାରେ ପୂର୍ବତନ ଦଲାଇ ଲାମା ଥୁପଟେନ୍ ଗ୍ୟାତ୍ସୋଙ୍କ ପରଲୋକ ହୋଇଥିଲା । ଏହାପରେ ତାଙ୍କ ପୁନର୍ଜନ୍ମ ଖୋଜା ଆରମ୍ଭ ହୋଇଥିଲା । ତିବ୍ଦତର ଲାହମୋ ଲାତ୍ସୋ ହ୍ରଦରେ ଭବିଷ୍ୟତର ଝଲକ ଦେଖାଯିବା ନେଇ ବିଶ୍ବାସ କରାଯାଏ । ଅନେକ ଦିନର ଧ୍ୟାନ ଓ ପ୍ରାର୍ଥନା ପରେ ସେଠାରେ ତିବ୍ଦତୀୟ ଅକ୍ଷର, ଏକ ମଠ ଓ ଘରର ଚିତ୍ର ଦେଖିବାକୁ ମିଳିଥିଲା । ଏହାକୁ ଆଧାର କରି ପରବର୍ତ୍ତୀ ଦଲାଇ ଲାମାଙ୍କୁ ଖୋଜା ଯାଇଥିଲା ।

କେମିତି ମିଳିଲା ଦଲାଇ ଲାମାଙ୍କ ପୁନର୍ଜନ୍ମ?

ଅନେକ ଖୋଜାଖୋଜି ପରେ ବର୍ତ୍ତମାନର ଦଲାଇ ଲାମାଙ୍କ ଘରେ ପହଞ୍ଚିଥିଲେ ସନ୍ଧାନକାରୀ ଦଳ । ୧୯୩୫ମସିହାରେ ତିବ୍ଦତୀୟ କ୍ୟାଲେଣ୍ଡରର ଉଡ୍ ହଗ ବର୍ଷର ପଞ୍ଚମ ମାସ ପଞ୍ଚମ ଦିନରେ ସେ ତିବ୍ଦତର ପୂର୍ବୋତ୍ତରରେ ଥିବା ଟାକ୍ସର ନାମର ଛୋଟ ଗାଁରେ ସେ ଜନ୍ମ ନେଇଥିଲେ । ସେଠାରେ ଦୁଇ ବର୍ଷର ଛୋଟ ପିଲାଠାରେ ଅନେକ ସଂକେତ ଦେଖିଥିଲେ ସନ୍ଧାନକାରୀ ଦଳ । ତେବେ ସନ୍ତୁଷ୍ଟି ପାଇଁ ବିଭିନ୍ନ ପରୀକ୍ଷା ବି କରାଯାଇଥିଲା । ଏକାପ୍ରକାର ଦେଖା ଯାଉଥିବା ମାଳା, ଡ୍ରମ ଓ ବାଡ଼ି ବାଛିବା ପାଇଁ ଦିଆଗଲା । ସବ ପରୀକ୍ଷାରେ ସଫଳ ହୋଇଥିଲେ ବର୍ତ୍ତମାନର ଦଲାଇ ଲାମା । ଖାଲି ସେତିକି ନୁହେଁ ହ୍ରଦରେ ଦେଖା ଦେଇଥିବା ଅକ୍ଷର ସହ ତାଙ୍କ ଜିଲ୍ଲା, ନିକଟବର୍ତ୍ତୀ ମଠ ଓ ଗାଁର ନାଁ ମେଳ ଖାଇଥିଲା ।

କେବଳ ସେତିକି ନୁହେଁ ପୂର୍ବତନ ଦଲାଇ ଲାମା ମୃତ୍ୟୁ ପୂର୍ବରୁ ନିଜ ପୁନର୍ଜନ୍ମ ନେଇ କିଛି ସଂକେତ ବି ଦେଇଥିଲେ । ୧୩ତମ ଦଲାଇ ଲାମା ଚୀନରୁ ଫେରିବା ବେଳେ କର୍ମା ରୋଲପାଇ ଦୋର୍ଜେ ମଠରେ ରହିଥିଲେ । ଆଖପାଖର ଗାଁ ଲୋକ ତାଙ୍କର ଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରେ ବର୍ତ୍ତମାନର ଦଲାଇ ଲାମାଙ୍କ ବାପା ବି ସାମିଲ ଥିଲେ । ଯେଉଁ ଘରକୁ ଦେଖି ସୁନ୍ଦର ସ୍ଥାନ ବୋଲି କହିଥିଲେ, ସେଠାରେ ହିଁ ବର୍ତ୍ତମାନର ଦଲାଇ ଲାମାଙ୍କର ଜନ୍ମ ହୋଇଥିଲା । ଏସବୁ ଜାଣିବା ପରେ ସନ୍ଧାନକାରୀ ଦଳ ସନ୍ତୁଷ୍ଟ ହୋଇଥିଲେ ଓ ଲମ୍ବା ପ୍ରକ୍ରିୟା ପରେ ୧୪ତମ ଦଲାଇ ଲାମା ହୋଇଥିଲେ ।

Comments are closed.