Latest Odisha News

BREAKING NEWS

ବଡଦାଣ୍ଡରେ ବଡ଼ ଭିଡ଼, ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ଭକ୍ତ ବିଭୋର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଅଣସରରେ ୧୪ ଦିନ ରହିବା ପରେ ମଙ୍ଗଳବାର ନବଯୈାବନ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ। ତିନି ଠାକୁରଙ୍କୁ ଏଥିପାଇଁ ସତେଜ ଫୁଲରେ ସଜାଯାଇଛି। ବିଶ୍ବର ବିଭିନ୍ନ ସ୍ଥାନରୁ ଭକ୍ତମାନେ ତିନି ଠାକୁରଙ୍କ ଦର୍ଶନ ପାଇବା ପାଇଁ ଜଗନ୍ନାଥ ମନ୍ଦିରରେ ଭିଡ଼ ଜମାଇଛନ୍ତି।

ସମୟ ନିର୍ଘଣ୍ଟ ଅନୁଯାୟୀ ପାରମାଣିକ ଟିକେଟ୍ ଦର୍ଶନ ସକାଳ ୮ ଟାରୁ ଆରମ୍ଭ ହୋଇ ଘଣ୍ଟାଏ ଚାଲିଥିଲା। ଏବେ ପାରମାଣିକ ଦର୍ଶନ ପାଇଁ ଟିକେଟ୍ ଧାରକମାନେ ଦକ୍ଷିଣ ଫାଟକ ଦେଇ ମନ୍ଦିରରେ ପ୍ରବେଶ କରିବେ। ସେହିଭଳି ସାହାଣମେଲା ଦର୍ଶନ ସକାଳ ୯ ଟାରୁ ୧୧ଟା ପର୍ଯ୍ୟନ୍ତ ରହିଛି। ସାହାଣମେଲା ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଫାଟକ ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଉତ୍ତର ଫାଟକ ଦେଇ ବାହାରକୁ ଆସିବେ।

ସକାଳ ୧୧ ଟା ପରେ ତ୍ରିମୂର୍ତ୍ତିଙ୍କ କୌଣସି ଦର୍ଶନ ହେବନାହିଁ। ଭକ୍ତମାନେ ମନ୍ଦିର ଭିତର ବୁଲାବୁଲି କରିପାରିବେ ଏବଂ ପାର୍ଶ୍ୱ ଦେବତାମାନଙ୍କର ଦର୍ଶନ ପାଇପାରିବେ।

ଜଣେଭକ୍ତ କହିଛନ୍ତି ଯେ ଚଉଦ ଦିନ ପରେ ଚକାନୟନକୁ ଦେଖି ଆମୋଦିତ ହୋଇଛନ୍ତି। ନବଯୌବନ ବେଶରେ ଦେଖିବାକୁ ହଜାର ହଜାର ଭକ୍ତ ଆସିଛନ୍ତି। ଆଉ ତିନି ଦିଅଁକୁ ଦେଖି ସେ ବେଶ ଖୁସି ବୋଲି କହିଛନ୍ତି। ଦିଅଁ ଦର୍ଶନ ପରେ ସେ କାନ୍ଦି ପକାଇଥିବା କହିଛନ୍ତି। କାଳିଆ ଠାକୁରଙ୍କୁ ଯେଉଁ ସମୟରେ ଯେଉଁ ଦୁଃଖ ଜଣାଇଛନ୍ତି ତାକୁ ସେ ଶୁଣିଛନ୍ତି ବୋଲି କହିଛନ୍ତି।

ସେହିପରି ଆଉ ଜଣେ କହିଛନ୍ତି, ସକାଳ କେମିତି ହେବ କାଳିଆ ଠାକୁରଙ୍କୁ ଦର୍ଶନ କରିବେ ଅପେକ୍ଷା କରିଥିଲେ। ଆଉ ଏବେ ସେ ଦେଖିବା ପରେ ବହୁତ ଖୁସି ଓ ଧନ୍ୟ ମନେ କରିଛନ୍ତି।

ନବଯୌବନ ଦର୍ଶନ ହେଉଛି ଏକ ରୀତିନୀତି ଯାହା ପ୍ରତିବର୍ଷ ରଥ ଯାତ୍ରା ପୂର୍ବରୁ କରାଯାଏ। ବିଶ୍ୱାସ ରହିଛି ଯେ ଏହି ଦିନ ଦେବତାମାନେ ସେମାନଙ୍କର ଯୁବ ରୂପରେ ଦେଖାଯାନ୍ତି। ଆସନ୍ତାକାଲି ରଥଯାତ୍ରା। ତିନି ଠାକୁର ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥରେ ବସି ମାଉସୀ ମା’ ମନ୍ଦିର ଯିବେ।

ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି। ଏକ ସ୍ୱତନ୍ତ୍ର ଟ୍ରାଫିକ୍ ମୋବିଲିଟି ସ୍କିମ୍ ମଧ୍ୟ ଅଛି। ପୁରୀ ସହର ୧୪ ଟି ଜୋନ୍ ଏବଂ ୨୯ ଟି ସେକ୍ଟରରେ ବିଭକ୍ତ ହୋଇଚି। ସହରର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ ପୋଲିସ ଚେକ୍ ପୋଷ୍ଟ ମଧ୍ୟ ସ୍ଥାପନ କରିଛି।

Comments are closed.