ବିହାର: ସାଧାରଣତଃ ସମୁଦ୍ରରେ ଭିନ୍ନ ଭିନ୍ନ ମାଛ ଦେଖିବାକୁ ମିଳିଥାଏ । ଦିନେ ଦିନେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ଏତେବଡ଼ ବଡ଼ ମାଛ ଧରନ୍ତି,ଯାହାକୁ ଦେଖି ଆମେ ଚକିତ ହୋଇଯାଆନ୍ତି । ଏବେ ସମୁଦ୍ରରୁ ନୁହେଁ, ବିହାରର ଏକ କେନାଲରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ମାଛ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ବିହାରର ସିୱାନ ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକର କରସର ଗାଁ ଦେଇ ଯାଇଥିବା କେନାଲରେ ଏହି ମାଛକୁ ଉଦ୍ଧାର କରାଯାଇଛି । ଏହି ମାଛର ଲମ୍ବ ୫ ଫୁଟ ଏବଂ ଓଜନ ୫୫ କିଲୋଗ୍ରାମ ରହିଛି । ଏହି ମାଛକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କରସର ଗାଁର କିଛି ଲୋକ ଏହି କେନାଲ ନିକଟରେ ଚାଷ କରୁଥିଲେ । ଏହି ସମୟରେ କେନାଲ ଭିତରେ ବହୁତ ଜୋରରେ କିଛି ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ସେଠାରେ ଥିବା ଲୋକମାନେ କ’ଣ ହେଲା ଦେଖିବା ପାଇଁ କେନାଲ ନିକଟକୁ ଦୌଡ଼ି ଆସିଥିଲେ । କେନାଲ ପାଣିରେ ଏକ ବଡ ମାଛ ଆସିଥିବା ଦେଖିବାକୁ ପାଇଥିଲେ । ଏତେ ବଡ ମାଛ ଦେଖି ପାଣିରେ ପଶି ଧରିବାକୁ କେହି ସାହସ ଜୁଟାଇଲେ ନାହିଁ । ପରେ ଏକ ଜାଲ ପକାଇଥିଲେ । ବହୁ ପରିଶ୍ରମ କରିବା ପରେ ଲୋକମାନେ ଏହି ବଡ଼ ମାଛ ଧରିବାରେ ସକ୍ଷମ ହୋଇଥିଲେ । ଏହି ମାଛକୁ ଉଦ୍ଧାର କରିବା ପରେ ଏହାକୁ ଅନ୍ୟ ଏକ ନଦୀରେ ଛାଡି ଦିଆଯାଇଥିଲା ।
ଏହି ମାଛକୁ ଗୋଇଟା ମାଛ କୁହାଯାଏ । ସାଧାରଣତଃ ଏପରି ମାଛ ସମୁଦ୍ରରେ ଦେଖିବାକୁ ମିଳିଥାଏ । ଏହି ମାଛ ନେପାଳର ପର୍ବତ ନଦୀରୁ ବାହାରି ଆସୁଛନ୍ତି । ଯେତେବେଳେ ବି କେନାଲରେ ପାଣି ଆସେ, ଏପରି ବଡ଼ ବଡ଼ ମାଛ ଚାଲି ଆସିଥିବାର ନଜିର ଅଛି ।
Comments are closed.