Latest Odisha News

ମଣିଷ ସହ କୁଙ୍ଗ ଫୁ ଟ୍ରେନିଂ ନେଉଛି ରୋବୋ, ଭାଇରାଲ ହେଉଛି ଭିଡିଓ..

ନୂଆଦିଲ୍ଲୀ: ଚୀନର ହେନାନ୍ ପ୍ରଦେଶର ପ୍ରସିଦ୍ଧ ଶାଓଲିନ୍ ମନ୍ଦିରରେ ମାନବୀୟ ରୋବୋଟ୍‌ଗୁଡ଼ିକ ଭିକ୍ଷୁମାନଙ୍କ ସହ ମିଶି କୁଙ୍ଗ ଫୁ ତାଲିମ୍ ନେଉଥିବାର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଏହା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ନୁହେଁ ବରଂ ଏହା ଏକ ଅସଲି ଭିଡିଓ ବୋଲି କୁହାଯାଇଛି।

ଏହି ମାନବୀୟ ରୋବୋଟ୍‌ଗୁଡ଼ିକ ଶାଓଲିନ୍ ଭିକ୍ଷୁମାନଙ୍କ ସହିତ ଛିଡ଼ା ହୋଇ ସେମାନଙ୍କ ପରି ଚାଲିବାର ଅଭ୍ୟାସ କରୁଥିବା ଫୁଟେଜରେ ଦେଖିବାକୁ ମିଳିଛି। ସେମାନେ କୁଙ୍ଗ ଫୁ ପୋଜ୍ କରି ଡ୍ରିଲ୍ କରୁଛନ୍ତି ଏବଂ ଜଣେ ମାନବ ଶିଷ୍ୟ ସେମାନଙ୍କ ଗୁରୁଙ୍କଠାରୁ ଶିଖୁଥିବା ସମାନ ବ୍ୟାୟାମକୁ ପୁନରାବୃତ୍ତି କରୁଛନ୍ତି। ତେବେ ଏହି ରୋବୋ ଗୁଡ଼ିକ ପ୍ରତ୍ୟେକ ଗତିବିଧିକୁ ଅବିକଳ ନକଲ କରୁଛନ୍ତି ଯାହାଦ୍ଵାରା ଏହା ଚିହ୍ନିବା କଷ୍ଟକର ହୋଇପଡିବ ଯେ ଏମାନେ ମେସିନ କି ମଣିଷ।

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। କାରଣ ଶାଓଲିନ୍ କୁଙ୍ଗ ଫୁ କେବଳ ଏକ ଯୁଦ୍ଧ ଶୈଳୀ ନୁହେଁ ବରଂ ଶତାବ୍ଦୀ ପୁରୁଣା ଅଭ୍ୟାସ ଏବଂ ଶୃଙ୍ଖଳାର ପ୍ରତୀକ। ଏହି କଳା ଅଭ୍ୟାସ କରୁଥିବା ମେସିନ୍‌ଗୁଡ଼ିକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ବହୁ ଆଗକୁ ବଢ଼ିଯାଇଛି ଯାହାକୁ ନେଇ ଅନେକେ ଖୁସି ହେଉଥିବା ବେଳେ କିଛି ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଶାଓଲିନ୍ କୁଙ୍ଗ ଫୁ ଚାଳନା ପୂର୍ବରୁ ବହୁତ କଷ୍ଟକର ଥିଲା କିନ୍ତୁ ବର୍ତ୍ତମାନ୍ ରୋବୋଟ୍ ଗୁଡ଼ିକ ଏହାକୁ ସଂପୂର୍ଣ୍ଣ ସଠିକ୍ ଭାବରେ ନକଲ କରିପାରୁଛନ୍ତି। ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ବୋଲି ଜଣେ ୟୁଜର ଲେଖିଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର୍ସ ଏହାକୁ ଏକ ଚମତ୍କାର ଉଦ୍ଭାବନ ବୋଲି କହିଛନ୍ତି। ଅନେକ ଲୋକ ଏହାକୁ ମଣିଷ ଏବଂ ମେସିନର ମିଳନର ପ୍ରତୀକ ବୋଲି ବିବେଚନା କରୁଥିବା ବେଳେ କେତେକ ଏହାକୁ ଏକ ଚେତାବନୀ ମଧ୍ୟ କହିଛନ୍ତି।

 

Leave A Reply

Your email address will not be published.