ବେଜିଂ: ପୂର୍ବ ଚୀନ୍ରେ ଭୟଙ୍କର ଘୂର୍ଣ୍ଣିବଳୟ ତଥା ବାତ୍ୟା ‘ଡଲଫିନ୍’ ନିଜର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ଏହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ଚୀନ୍ ସରକାର ଦେଶରେ ସର୍ବୋଚ୍ଚ ପାଣିପାଗ ସତର୍କତା ଜାରି କରିଛନ୍ତି। ବିଶେଷକରି ଝେଜିଆଙ୍ଗ ଏବଂ ଫୁଜିଆନ୍ ପ୍ରଦେଶରେ ଏହି ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବିପଦ ଓ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ରିପୋର୍ଟ ଅନୁଯାୟୀ, କେବଳ ପଡ଼ୋଶୀ ଝେଜିଆଙ୍ଗ ପ୍ରଦେଶର ୱେନଝୋଉ ସହରରୁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ରହିବା ପାଇଁ ଏକ ହଜାରରୁ ଅଧିକ ଜରୁରୀକାଳୀନ ଆଶ୍ରୟସ୍ଥଳୀ ବା ରିଲିଫ୍ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି। ସେହିପରି ଫୁଜିଆନ୍ ପ୍ରଦେଶରୁ ମଧ୍ୟ ପ୍ରାୟ ୯୮,୯୦୦ ରୁ ଅଧିକ ଲୋକଙ୍କୁ ବିପଦସଙ୍କୁଳ ଅଞ୍ଚଳରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି। ଲୋକଙ୍କୁ ଆବଶ୍ୟକୀୟ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ‘ଡଲଫିନ୍’ର ପ୍ରକୋପ ଯୋଗୁଁ ଯାତାୟାତ ଏବଂ ବାଣିଜ୍ୟିକ କାରବାର ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ପୂର୍ବ ଚୀନ୍ରେ ଉଭୟ ବିମାନ ଏବଂ ରେଳ ସେବାକୁ ସାମୟିକ ଭାବେ ବାତିଲ କରାଯାଇଥିବାରୁ ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସେତିକି ନୁହେଁ, ସମୁଦ୍ରରେ ବଡ଼ ବଡ଼ ଢେଉ ଉଠୁଥିବାରୁ ଏବଂ ପରିସ୍ଥିତି ଅଶାନ୍ତ ରହୁଥିବାରୁ ବନ୍ଦରଗୁଡ଼ିକରେ କାରବାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ମାଛଧରା ଡଙ୍ଗାଗୁଡ଼ିକୁ ତୁରନ୍ତ କୂଳକୁ ଫେରିଆସିବାକୁ ପ୍ରଶାସନ କଡ଼ା ନିର୍ଦ୍ଦେଶ ଦେଇଛି ।
ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅଯଥାରେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ବାତ୍ୟା ଉପକୂଳ ଅତିକ୍ରମ କରିବା ପରେ ଭାରି ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।
