Latest Odisha News

ଯୌତୁକ ପାଇଁ ବିଷ ଦେଇ ମାରିଦେଲେ ! ସ୍ୱାମୀ ସହ ଶାଶୂ ଓ ଶ୍ୱଶୁର ଗିରଫ

ରାୟଗଡ଼ା: ଅଧୁରା ରହିଲା ସଂସାର ଗଢ଼ିବା ସ୍ୱପ୍ନ । ବିବାହକୁ ପାଞ୍ଚ ମାସ ନ ପୂରୁଣୁ ଉଜୁଡ଼ି ଗଲା ସଂସାର । ସରିଗଲା ସବୁକିଛି । ରାୟଗଡ଼ା ସହର ରେଭେନ୍ୟୁ କଲୋନୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । କନ୍ୟା ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଝିଅର ସ୍ୱାମୀ ସହ ଶାଶୂ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାୟଗଡ଼ା ରାଣିଗୁଡ଼ାର ସରୋଜ ସାହୁ ଗତ ଫେବ୍ରୁଆରୀ ୨ ତାରିଖରେ ଝିନ ଚିନ୍ମୟୀକୁ ସହରର ସତ୍ୟବାନ ସାହୁଙ୍କ ପୁଅ ରାଧାଶ୍ୟାମଙ୍କୁ ବିବାହ କରାଇଥିଲେ । ବାହାଘରର ମାତ୍ର ୧୫ ଦିନ ପରେ ଚିନ୍ମୟୀଙ୍କ ଉପରେ ଆରମ୍ଭ ହୋଇଥିଲା ମାନସିକ ଓ ଶାରିରୀକ ନିର୍ଯ୍ୟାତନା । ସୁନା ଓ ବାସନକୁସନ ଆଣିବା ପାଇଁ ଗଞ୍ଜଣା ଦେଇଥିଲେ ଶାଶୂ ଘର ଲୋକ । ଚିନ୍ମୟୀର ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ବାପଘରକୁ ଚାଲି ଆସିଥିଲେ ।

ପରେ ଗତ ୨୨ ତାରିଖରେ ପୁଣି ଚିନ୍ମୟୀ ଶାଶୂଘରକୁ ଫେରିଥିଲେ । ହେଲେ ୨୪ ତାରିଖ ଶୁକ୍ରବାର ହଠାତ୍ ଚିନ୍ମୟୀଙ୍କ ଦେହ ଭଲ ନଥିବା ଫୋନ୍ କରି କହିଥିଲେ ଶାଶୂ । ଚିନ୍ମୟୀଙ୍କ ବାପା ସରୋଜ ଯାଇ ଦେଖନ୍ତି ଝିଅ ପାଟିରୁ ଫେଣ ବାହାରୁଛି । ସଙ୍ଗେ ସଙ୍ଗେ ମେଡିକାଲରେ ଚିନ୍ମୟୀଙ୍କୁ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବିଷ କ୍ରିୟାରୁ ଝିଅରୁ ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ଏନେଇ ରାୟଗଡ଼ା ଥାନାରେ ହତ୍ୟା ଅଭିଯୋଗ କରିଥିଲେ ସରୋଜ । ଏତଲା ଆଧାରରେ ପୋଲିସ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.