Latest Odisha News

ପତ୍ନୀଙ୍କ ସହ ଘର ମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଫେରାର

ଢେଙ୍କାନାଳ: ଭୁଜାଲି ଧରି ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ୱାମୀ। ଏପରିକି ପାଖରେ ଥିବା  ଦୋକାନମାଲିକ ଓ ତାଙ୍କ ଦୁଇ ଝିଅଙ୍କୁ ମାରି ଗୁରୁତର ଅବସ୍ଥା କରି ଘଟଣାସ୍ଥଳରୁ ଫେରାର ଅଛି ସ୍ୱାମୀ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୯ ନମ୍ବର ୱାର୍ଡ ବନମାଳୀପ୍ରସାଦରେ। ଦୀର୍ଘଦିନ ହେବ ପାରିବାରିକ ତିକ୍ତତା କାରଣରୁ ଦମ୍ପତିଙ୍କ ମଧ୍ୟରେ ଚାଲିଥିଲା ବଚସା। ଶେଷରେ ପତ୍ନୀ ଓ ଘରମାଲିକଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ଅଛି ଅଭିଯୁକ୍ତ।

ସୂଚନା ଅନୁସାରେ, ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ୯ ନମ୍ବର ୱାର୍ଡ ବନମାଳୀପ୍ରସାଦର ବାସିନ୍ଦା ପ୍ରକାଶ ଚନ୍ଦ୍ର ସାହୁଙ୍କ(୬୦) ଦୋକାନ ଘରେ ଆଜିକୁ ତିନିବର୍ଷ ହେବ ସିଲିସ୍ମିତା ଭଡା ନେଇ ଏକ ବୁଟିକ ସେଣ୍ଟର ଓ ପାର୍ଲଲର ରୂପେ ବ୍ୟବହାର କରି ଦୁଇ ପୁଅଙ୍କ ସହ ଚଳୁଛନ୍ତି। ସିଲିସ୍ମିତା ଆଜିକୁ ୧୮ ବର୍ଷ ତଳେ କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ବାସିନ୍ଦା କାର୍ତ୍ତିକେଶ୍ୱର ସାହୁଙ୍କ ପୁଅ ଶ୍ରୀବତ୍ସ ସାହୁଙ୍କୁ ବିବାହ କରିଥିଲେ। ଅବସର ପ୍ରାପ୍ତ ଫୌଜୀ ଶ୍ରୀବତ୍ସ କଣିହାଁ NTPC ରେ ବର୍ତ୍ତମାନ ସୁରକ୍ଷା କର୍ମୀ ଭାବେ ଚାକିରି କରୁଛନ୍ତି। ପାରିବାରିକ ତିକ୍ତତା କାରଣରୁ ଦମ୍ପତି ଛାଡ଼ପତ୍ର ପାଇଁ ୩ ମାସ ହେବ କୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି। ଏହି ଅଶାନ୍ତ ପରିସ୍ଥିତିରେ ପଡି ବାରମ୍ବାର ପତ୍ନୀ ସିଲିସ୍ମିତାଙ୍କୁ ଟେଲିଫୋନ ମାଧ୍ୟମରେ ଗାଳି କରି ହତ୍ୟା କରିବାକୁ ଧମକ ଦେଇ ଚେଷ୍ଟା କରିସାରିଛି।

ରବିବାର ସନ୍ଧ୍ୟା ୮ ଟା ସମୟରେ ଶ୍ରୀବତ୍ସ ଏକ ଭୁଜାଲି ଧରି ପତ୍ନୀଙ୍କୁ ଆକ୍ରମଣ କରିଥିଲା। ପାଖ ଦୋକାନରେ ଉପସ୍ଥିତ ଥିବା ଦୋକାନ ମାଲିକ ପ୍ରକାଶଙ୍କୁ ଦେଖି ତାଙ୍କ ତଣ୍ଟିଚିପି ମାରିବା ସହ ତାଙ୍କ ଦୁଇ ଝିଅଙ୍କୁ ମାରି ଗୁରୁତର ଅବସ୍ଥା କରିଛି। ଏହି ଘଟଣାରେ୪ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶ୍ରୀବତ୍ସଙ୍କ ଏହି ଅମାନୁଷିକ ଆକ୍ରମଣ ଘଟଣାରେ ଘର ମାଲିକ ଓ ତାଙ୍କ ଦୁଇ ଝିଅଙ୍କ ଜୀବନ ସୁରକ୍ଷିତ ନଥିବା ବେଳେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ଜୀବନ ମଧ୍ୟ ସୁରକ୍ଷିତ ନଥିବା ଘଟଣା କାରଣରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.