Latest Odisha News

ସ୍ତ୍ରୀକୁ ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଥିଲା ସ୍ୱାମୀ

କୋରାପୁଟ: କାଳ ହେଲା ଘର କଳି । ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ । ଅଜବ ଲାଗୁଥିଲେ ବି ଘଟଣାଟି ସତ । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଦଶରଥ ସାହୁ ଓ ପତ୍ନୀ ଗୌରୀ ସାହୁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହୁଏ । ଆଉ ଏହି କଳିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଦଶରଥ ସ୍ତ୍ରୀ ଗୌରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଥିଲା । ହେଲେ ପ୍ରଥମେ କେହି ଟେର୍ ପାଇ ନଥିଲେ । ଦୀର୍ଘ ଦିନ ଧରି ଗୌରୀଙ୍କୁ ସାହି ପଡ଼ିଶା କେହି ନଦେଖିବାରୁ ସନ୍ଦେହ ହୋଇଥିଲା । ଏପରିକି ଗୌରୀଙ୍କ ବାପା ବାରମ୍ବାରା ଦଶରଥଙ୍କୁ ଝିଅ ବିଷୟରେ ପଚାରିବା ବେଳେ ସେ ଅନେକ ବାହାନା କରୁଥିଲେ ।

ପରେ କହିଥିଲେ ଗୌରୀ, ରାୟଗଡ଼ାରେ ପୁଅ ପାଖେ ଅଛି । ସଙ୍ଗେ ସଙ୍ଗେ ଅଜା, ନାତିକୁ ଫୋନ୍ କରି ପଚାରିଥିଲେ । ହେଲେ ନାତି କହିଥିଲା ମାଆ ମୋ ପାଖକୁ ଆସିନି, ମୁଁ ବି ବହୁତ ଦିନ ହେଲା କଥା ହୋଇ ନାହିଁ । ଯାହାକୁ ନେଇ ସନ୍ଦେହ ହେବାରୁ ଗୌରୀଙ୍କ ବାପଘର ଲୋକ କାକିରିଗୁମ୍ମା ଥାନାରେ ଏତଲା ଦେଇଥିଲେ । ପୋଲିସର ପଚରାଉଚରା ପରେ ଦଶରଥ, ଗୌରୀକୁ ମାରି ପାଇଖାନା ଟାଙ୍କିରେ ପୋତିଥିବା ମାନିଥିଲା ।

ଲକ୍ଷ୍ମୀପୁର ଏସଡିପିଓ ଅଶ୍ଵିନୀ କୁମାର ନାୟକ, କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ, ମାଜିଷ୍ଟ୍ରେଟ, ଫରେନସିକ୍ ଟିମ୍ ଉପସ୍ଥିତିରେ ପାଇଖାନା ଟାଙ୍କି ଖୋଳା ଯାଇ ଗୌରୀଙ୍କ ମୃତଦେହ ଜବତ କରାାଇଛି । ଫରେନସିକ୍ ପରୀକ୍ଷା ପାଇଁ ଶବର କିଛି ଅଂଶକୁ ଲ୍ୟାବକୁ ପଠା ଯାଇଛି ।

Comments are closed.