Latest Odisha News

BREAKING NEWS

ସୁନ୍ଦରୀ ପ୍ରତିଯୋଗିତାରେ ବିଜେତାଙ୍କ ମୁକୁଟ ଭାଙ୍ଗିଦେଲେ ପରାସ୍ତ ପ୍ରତିଯୋଗୀଙ୍କ ସ୍ୱାମୀ

ବ୍ରାଜିଲ: ପ୍ରତ୍ୟେକ ପ୍ରତିଯୋଗିତାରେ ହାର-ଜିତ୍ ଥାଏ । ପ୍ରତିଯୋଗିତାରେ କେହି ତ ଜଣେ ବିଜୟୀ ହୋଇଥାନ୍ତି । ଅନ୍ୟ ପ୍ରତିଯୋଗୀମାନେ ହାରୁଥିଲେ ବି ଆଗାମୀ ଦିନରେ ପୁଣି ଜିତିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବ୍ରାଜିଲରେ ଆୟୋଜିତ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଭିନ୍ନ କିଛି ଦେଖିବାକୁ ମିଳିଛି । ଏଠାରେ ହାରିଯାଇଥିବା ମଡ଼େଲଙ୍କ ସ୍ୱାମୀ ରାଗିଯାଇ ବିଜେତାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ, ଯାହା ସମସ୍ତଙ୍କୁ ଚକିତ କରିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବ୍ରାଜିଲରେ ଏଲଜିବିଟିକ୍ୟୁ ବିୟୁଟି କଣ୍ଟେଷ୍ଟ ଆୟୋଜିତ ହୋଇଥିଲା । ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ମଡ଼େଲ ନାଥାଲି ବେକର ଏବଂ ଇମାନୁଏଲି ବେଲିନି ଫାଇନାଲରେ ପ୍ରବେଶ କରିଥିଲେ । ଶେଷରେ ବିଚାରପତିମାନେ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଇମାନୁଏଲି ବେଲିନି ବିଜୟୀ ହୋଇଥିଲେ । ତାଙ୍କୁ ମିସ ଗେ ମ୍ୟାଟୋ ଗ୍ରୋସୋ ୨୦୨୩ର ମୁକୁଟ ପିନ୍ଧାଯାଉଥିଲା । ଏହି ସମୟରେ ମଞ୍ଚ ତଳେ ବସିଥିବା ବେକରଙ୍କ ସ୍ୱାମୀ ହଠାତ୍ ରାଗିଯାଇଥିଲେ ।

ସେ ଧୁମ୍ ଧୁମ୍ ହୋଇ ମଞ୍ଚ ଉପରକୁ ଚଢ଼ି ଯାଇ ବେଲିନିଙ୍କ ମୁଣ୍ଡରୁ ମୁକୁଟକୁ ଛଡ଼ାଇ ତଳେ ପକାଇ ଭାଙ୍ଗି ଦେଇଥିଲେ । ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା । ପୁଣି ତଳେ ପଡ଼ିଥିବା ମୁକୁଟକୁ ଉଠାଇ ଭାଙ୍ଗି ଦେଇଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରି ବାହାରକୁ ନେଇ ଯାଇଥିଲେ । ପ୍ରତିଯୋଗିତା ସଂଯୋଜକ ମାଲୋନ ହେନିଶ କହିଛନ୍ତି ଯେ, ପ୍ରତିଯୋଗିତାରେ କୌଣସି ପାତରଅନ୍ତର କରାଯାଇନାହିଁ । ହେଲେ ଏହାର ଫଳାଫଳକୁ ନେଇ ବେକରଙ୍କ ସ୍ୱାମୀ ଅସନ୍ତୁଷ୍ଟ ହୋଇଥିଲେ । ସେଥିପାଇଁ ସେ ଏପରି କଲେ । ଯାହା ନିନ୍ଦନୀୟ ଘଟଣା ।

Leave A Reply

Your email address will not be published.